ଝାରସୁଗୁଡ଼ା/ବେଲପାହାଡ଼: ଦୁର୍ଗାପୂଜା ଓ ରାବଣ ପୋଡ଼ିକୁ ନେଇ ଝାରସୁଗୁଡ଼ା ସହରରେ ପୋଷ୍ଟର ଯୁଦ୍ଧ କିଛି ନୂଆ କଥା ନୁହେଁ। କିନ୍ତୁ ଚଳିତବର୍ଷ ପୂଜାରେ ଭିନ୍ନ ଏକ ନିର୍ବାଚନମଣ୍ଡଳୀରେ ଝାରସୁଗୁଡ଼ିଆ ନେତାଙ୍କ ମଧ୍ୟରେ ପୋଷ୍ଟର ଯୁଦ୍ଧକୁ ନେଇ ଏବେ ରାଜନୀତି ସରଗରମ୍‌ ହେବାକୁ ଲାଗିଲାଣି। ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉଭୟ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ହୋଇଥିବା ବେଳେ ସେମାନେ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବେଲପାହାଡ଼ରେ ପୋଷ୍ଟର ମାରିଥିବା ବେଳେ ସେଠାରେ ବିଜେପି-ବିଜେଡ଼ି ପୋଷ୍ଟର କାଉଣ୍ଟର୍‌ ବି ଦେଖିବାକୁ ମିଳିଛି। ତେବେ ୨୦୨୮ ବେଳକୁ ନିର୍ବାଚନମଣ୍ଡଳୀଗୁଡ଼ିକର ପୁନଃ ସୀମା ନିର୍ଦ୍ଧାରଣ ଥିବା ବେଳେ ଉଭୟ ନେତା ଆଗୁଆ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି।

Advertisment

ବିଜେଡ଼ିର ସାଧାରଣ ସମ୍ପାଦକ ଦାୟିତ୍ବ ମିଳିବା ପରେ ଦୀପାଳି କେବଳ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ କାହିଁକି; ଅନ୍ୟ ନିର୍ବାଚନ ମଣ୍ଡଳୀରେ ବି ପୋଷ୍ଟର ମାରିପାରିବେ। କିନ୍ତୁ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦଳର ପୂର୍ବତନ ବିଧାୟିକା ଅଳକା ମହାନ୍ତି ରହିଛନ୍ତି। ଏଭଳି ସ୍ଥିତିରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦୀପାଳିଙ୍କ ଏଣ୍ଟ୍ରିକୁ କିଶୋର ସମର୍ଥକ ‌ଗୋଷ୍ଠୀ ସହଜରେ ଗ୍ରହଣ କରିପାରୁନାହାନ୍ତି। ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସ୍ବର୍ଗତ ନବ ଦାସଙ୍କ ଏକ ବଳିଷ୍ଠ ସଂଗଠନ ରହିଥିଲା, ଯାହା ଆଜି ବି ସକ୍ରିୟ ରହିଛି। ଯେଉଁ ସଂଗଠନ ବ୍ରଜରାଜନଗର ମ୍ୟୁନିସିପାଲଟି ଅନାସ୍ଥାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

ତେବେ ଦୀପାଳି ଦାସଙ୍କ ବେଲପାହାଡ଼ରେ ପୋଷ୍ଟର ୩ଟି ଦିଗକୁ ଇଙ୍ଗିତ କରୁଛି। ପ୍ରଥମେ ସୀମା ନିର୍ଦ୍ଧାରଣ ହୋଇ ଝାରସୁଗୁଡ଼ା ଆସନ ସଂରକ୍ଷିତ ହେଲେ ଅନ୍ୟ ନିର୍ବାଚନମଣ୍ଡଳୀକୁ ଯିବାକୁ ପଡ଼ିପାରେ, ଦ୍ବିତୀୟରେ ଯଦି ଝାରସୁଗୁଡ଼ା ଆସନ ପୂର୍ବବତ୍‌ ଅଣ ସଂରକ୍ଷିତ ରୁହେ ତେବେ ବିଶାଳ ଦାସ ଝାରସୁଗୁଡ଼ା ଆସନରୁ ଛିଡ଼ା ହୋଇ ଦୀପାଳି ଦାସଙ୍କୁ ବ୍ରଜରାଜନଗର ନିର୍ବାଚନମଣ୍ଡଳୀ ପାଇଁ ଛିଡ଼ା କରାଇପାରନ୍ତି, ତୃତୀୟରେ ନବ-କିଶୋର ଗୋଷ୍ଠୀ ବିବାଦ ଏବେ ପୁଣି ତେଜିଥିବା ବେଳେ କିଶୋର ଗୋଷ୍ଠୀଙ୍କୁ ଚିଡ଼ାଇବା ପାଇଁ ଦୀପାଳିଙ୍କର ଏହି ପୋଷ୍ଟର ଷ୍ଟଣ୍ଟ ହୋଇଥାଇପାରେ ବୋଲି କୁହାଯାଉଛି।

କିନ୍ତୁ ବିଜେଡ଼ି ତୁଳନାରେ ବିଜେପିର ପୋଷ୍ଟର ଅଧିକ ଚର୍ଚ୍ଚା ସାଉଁଟିଛି। ବ୍ରଜରାଜନଗରରେ ବିଜେପିର ଟାଣୁଆ ବିଧାୟକ ତଥା ରାଜ୍ୟର କ୍ଷମତାଶୀଳ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ରହିଛନ୍ତି। ଶ୍ରୀ ପୂଜାରୀଙ୍କ କ୍ଷମତା ଦେଖି ୨୦୨୯ରେ ବି ସେ ଉକ୍ତ ଆସନରୁ ପ୍ରତିଦ୍ବନ୍ଦିତା କରିପାରନ୍ତି ବୋଲି ଚର୍ଚ୍ଚା ହେଲାଣି। ଏଭଳି ସ୍ଥିତିରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପୋଷ୍ଟର ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବେଲପାହାଡ଼ରେ କାହିଁକି ଲାଗିଲା ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। କେବଳ ସେତିକି ନୁହେଁ ବରଂ ବିଧାୟକ ଶ୍ରୀ ତ୍ରିପାଠୀଙ୍କ ପୋଷ୍ଟରରେ ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ଓ ସାଂସଦଙ୍କ ଫଟୋ ରହିଥିଲେ ହେଁ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇ ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀ ଥିବା ଶ୍ରୀ ପୁଜାରୀଙ୍କ ଫଟୋ କାହିଁକି ଲାଗିଲାନି ତାହା ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି।