ଝାରସୁଗୁଡା : ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ପାଇଁ ପ୍ରସ୍ତୁତି ବୈଠକ

ଝାରସୁଗୁଡା : ଭାରତର ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁସାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଜି ଡିଏମ୍ଏଫ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ କରିବା, ନୂଆ ଭୋଟର ପଞ୍ଜୀକରଣ, ଅଧିକରୁ ଅଧିକ ସଂଖ୍ୟାରେ ମହିଳା ଭୋଟରଙ୍କ ନାମ ଭୋଟର ତାଲିକାରେ ସାମିଲ କରିବା ନେଇ ସଚେତନତା ସୃଷ୍ଟି ଉପରେ ଜିଲ୍ଲାପାଳ ଶ୍ରୀ ସାମଲ ଗୁରୁତ୍ୱାରୋପ କରିବା ସହ ଏ ଦିଗରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବୁଥ୍‌ସ୍ତରୀୟ ଏଜେଣ୍ଟ ନିଯୁକ୍ତି ପାଇଁ ଜିଲ୍ଲାପାଳ ଉପସ୍ଥିତ ପ୍ରତିନିଧିମାନଙ୍କୁ କହିଥିଲେ। ଚଳିତ ନଭେମ୍ବର ୧୬ ତାରିଖରେ ଡ୍ରାଫ୍ଟ ପବ୍ଲିକେସନ୍‌ ହୋଇଥିବା ବେଳେ ଆସନ୍ତା ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଭୋଟରମାନେ ଭୋଟର ତାଲିକା ଓ ଫଟୋ ପରିଚୟପତ୍ରରେ ସଂଶୋଧନ, ନାମ ପଞ୍ଜୀକରଣ ତଥା ବାଦ ପାଇଁ ନିଜ ନିଜ ବୁଥ୍‌ରେ  ଆବେଦନ କରିପାରିବେ। ନୂତନ ଭାବରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଆସନ୍ତା ଜାନୁଆରି ୧ ତାରିଖକୁ (୦୧ . ୦୧ . ୨୦୨୧)କୁ  ଯୋଗ୍ୟତା ସୂଚକ ତାରିଖ ହିସାବରେ ଧାର୍ଯ୍ୟ କରାଯାଇଛି।

ଏହି ତାରିଖ ସୁଦ୍ଧା ଯେଉଁମାନଙ୍କୁ ୧୮ ବର୍ଷ ହୋଇଥିବ ସେମାନେ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିପାରିବେ। ଚଳିତ ନଭେମ୍ବର ମାସ ୨୮ (ଶନିବାର) ଓ ୨୯ତାରିଖ (ରବିବାର) ଏବଂ ଡିସେମ୍ବର ମାସ ୫ ତାରିଖ (ଶନିବାର) ଓ ୬ତାରିଖ (ରବିବାର) ଏଥି ପାଇଁ ସ୍ୱତନ୍ତ୍ର ଅଭିଯାନ କରାଯିବ। ଏହି ଦିନମାନଙ୍କରେ ବୁଥସ୍ତରୀୟ ଅଧିକାରୀମାନେ ବୁଥରେ ଉପସ୍ଥିତ ରହି ଭୋଟର୍‌ମାନଙ୍କ ନିକଟରୁ ନିର୍ଦ୍ଧାରିତ ଫର୍ମ ମାଧ୍ୟମରେ ବିଭିନ୍ନ ଆପତ୍ତି ଅଭିଯୋଗ ଓ ନାମ ପଞ୍ଜୀକରଣ ପାଇଁ ଆବେଦନ ଗ୍ରହଣ କରିବେ। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ମିଳିଥିବା ଆବେଦନଗୁଡ଼ିକର ଆସନ୍ତା ଜାନୁଆରି ୫ ତାରିଖ ସୁଦ୍ଧା ଶୁଣାଣି ଓ ୧୫ତାରିଖ ଦିନ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଏହି ବୈଠକରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ଡେପୁଟି କଲେକ୍ଟର (ନିର୍ବାଚନ) ନିବେଦିତା ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିବୃନ୍ଦ ତ୍ରିନାଥ ଗୁଆଲ, ରଘୁନନ୍ଦନ ପାଢ଼ୀ, ବୀରେନ୍ଦ୍ର ଭୋଳ, ମନୀଷ ବାଜପାଇ ଓ ଭୁଜବଳ ସାହ ପ୍ରମୁଖ ଉପସ୍ଥିତ ଥିଲେ। ଯତୀନ୍ଦ୍ର ଭୋଇ ଓ ସାହେବଲାଲ ପ୍ରଧାନ ବୈଠକ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର