ବିଚାରାଧୀନ ବନ୍ଦୀ ଫେରାର୍: ଜେଲ୍‌ ୱାର୍ଡର୍ ନିଲମ୍ବିତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବିଚାରାଧୀନ ବନ୍ଦୀ ଇନ୍ଦ୍ରଜିତ ସାହାଣୀ(୨୫) ଫେରାର୍ ହୋଇଯାଇଥିବା ଜଣାଯାଇଛି। । ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ବହୁ ଖୋଜାଖୋଜି ପରେ ମଧ୍ୟ ବନ୍ଦୀର ପତ୍ତା ମିଳିନାହି, ଯାହାକୁ କେନ୍ଦ୍ର କରି ଡ୍ୟୁଟିରେ ଥିବା ଜେଲ୍‌ ୱାର୍ଡର କିରଣ କୁମାର ଯୋଶୀଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଜେଲ୍ ଅଧୀକ୍ଷକ ଏଲ. କେ. ଧାଙ୍ଗଡ଼ା ସୂଚନା ଦେଇଛନ୍ତି। ଜେଲର ଅନ୍ୟ ୨ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ଫେରାର୍ ମାରିଥିବା ବିଚାରାଧୀନ ବନ୍ଦୀ ଇନ୍ଦ୍ରଜିତ ସାହାଣୀର ଘର ବିହାର ରାଜ୍ୟର ମାଧୋପୁର ଥାନା ବୋଥନା ଗାଁରେ। ସେ ଗତ ୨୬ ତାରିଖ ବ୍ରଜରାଜନଗର ଓରିଏଣ୍ଟ୍‌ ଥାନାରୁ ଏକ ଟ୍ରକ୍ ଚୋରି ମାମଲାରେ ଗିରଫ ହୋଇ କୋର୍ଟଚାଲାଣ ହୋଇଥିଲେ। ତାଙ୍କ ବିରୋଧରେ ଓରିଏଣ୍ଟ୍‌ ଥାନାରେ ଆଇପିସିର ଧାରା ୩୭୯ ଏବଂ ୧୦୯ରେ ମାମଲା ରୁଜୁ କରାଯାଇଥିଲା । ଗତ ୨୭ ତାରିଖରେ ସେ ଝାରସୁଗୁଡ଼ା ଉପ କାରାଗାରରେ ଅସୁସ୍ଥ ହୋଇ ପଡ଼ିବା ପରେ ତାକୁ ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଥିଲା । ଡାକ୍ତରଖାନାରେ ଜେନେରାଲ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ଗତକାଲି ରାତିରେ ସେ ସୁଯୋଗ ଦେଖି ଫେରାର ହୋଇ ଯାଇଥିବା ଜଣା ପଡ଼ିଥିଲା।

ସମ୍ପୃକ୍ତ ବନ୍ଦୀଙ୍କୁ ଜଗିବା ଲାଗି ଜେଲ୍‌ ୱାର୍ଡର କିରଣ କୁମାର ଯୋଶୀ ଡ୍ୟୁଟିରେ ଥିଲେ। ସମୁଦାୟ ୩ ଜଣଙ୍କୁ ତିନିଟି ସିଫ୍ଟରେ ଡ୍ୟୁଟି ଦିଆଯାଇଥିଲା। ହେଲେ ୱାର୍ଡର ଶ୍ରୀ ଯୋଶୀ ରାତି ଡ୍ୟୁଟିରେ ଥିବାରୁ ତାଙ୍କୁ ଏଥିପାଇଁ ଦାୟୀ କରାଯାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର