ଝାରସୁଗୁଡ଼ା: ଇବ୍ ଥର୍ମାଲ ଓପିଜିସି ପାୱାର ପ୍ଲାଣ୍ଟର ଶରଧାପାଲିସ୍ଥିତ ପାଉଁଶ ପୋଖରୀ(ଗ) ଶନିବାର ଭୁଶୁଡ଼ିବା ପରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ବି ଆଶଙ୍କା ଦେଖାଦେଇଛି। ରବିବାର ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଘଟଣାସ୍ଥଳରେ ପହଞ୍ଚି କିଭଳି ତୁରନ୍ତ ପାଉଁଶ ପୋଖରୀ ମରାମତି କାର୍ଯ୍ୟ ଶେଷ ହେବ ସେନେଇ ଓପିଜିସି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏହି ପାଉଁଶ ପୋଖରୀ ପାଇଁ ଡିଜାଇନ୍‌ ଦେଇଥିବା ଆଇଆଇଟି ମାଡ୍ରାସର ଇଞ୍ଜିନିୟର ଟିମ୍‌ ଆସି ଇବ୍‌ ଥର୍ମାଲରେ ପହଞ୍ଚି ସାରିଥିବା ବେଳେ ସେମାନଙ୍କ ତତ୍ତ୍ବାବଧାନରେ ମରାମତି କାମ ଜାରି ରହିଥିବା ନେଇ ଓପିଜିସି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Advertisment

ମରାମତି କାମ ଶେଷ ହେବାକୁ ୩-୪ ଦିନ ଲାଗିବ। ତେଣୁ ଦିନ ରାତି କାମ ଜାରି ରହିଥିବ। ଓପିଜିସିର ୪ଟି ୟୁନିଟ୍‌ରେ ଦୈନିକ ବିଦ୍ୟୁତ୍‌ ଉତ୍ପାଦନ କ୍ଷମତା ୧୭୪୦ ମେଗାୱାଟ୍‌ ରହିଛି। ବର୍ତ୍ତମାନ ୩ ଓ ୪ ନଂ ୟୁନିଟ୍‌ କୌଣସି କାରଣରୁ ବନ୍ଦ ରହିଥିବା ବେଳେ ବିଦ୍ୟୁତ୍‌ ଉତ୍ପାଦନ ୪୨୦ ମେଗାୱାଟ୍‌କୁ ଖସିଆସିଛି। ଭୁଶୁଡ଼ିଥିବା ପାଉଁଶ ପୋଖରୀ ପାୱାର ପ୍ଲାଣ୍ଟର ୧ଓ ୨ ନଂ ୟୁନିଟ୍‌କୁ ସଂଯୋଗ କରୁଥିବାରୁ ଉକ୍ତ ପାଇପ୍‌କୁ ଅନ୍ୟ ପାଉଁଶ ପୋଖରୀକୁ ଏବେ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ପ୍ରାଥମିକ ସ୍ଥିତିରେ ବିଦ୍ୟୁତ୍‌ ଉତ୍ପାଦନ‌ରେ ଯେଭଳି କୌଣସି ବାଧା ସୃଷ୍ଟି ନହେବ ସେଥିପାଇଁ ପାଉଁଶ ପୋଖରୀ ମରାମତିକୁ ପ୍ରାଧାନ୍ୟ ଦିଆଯାଇଥିବା ଜିଲ୍ଲାପାଳ ଶ୍ରୀମତୀ ନରୱଣେ କହିଛନ୍ତି। ପାଉଁଶ ପୋଖରୀ ହିଡ଼ ମରାମତି ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସମସ୍ୟା ଓ କାହିଁକି ପାଉଁଶ ପୋଖରୀ ଭାଙ୍ଗିଲା ସେନେଇ ଛାନ୍‌ଭିନ୍‌ କରାଯିବ ବୋଲି ଶ୍ରୀମତୀ ନରୱଣେ କହିଛନ୍ତି।