ବ୍ରଜରାଜନଗର: ଝାରସୁଗୁଡ଼ାରୁ ବରପାଲି ଦେଇ ସୁନ୍ଦରଗଡ଼ ଜିଲ୍ଲା ସବଡେଗା ରେଳ ଲାଇନର ଏକ ଅସମ୍ପୂର୍ଣ୍ଣ ରେଲୱେ ଓଭରବ୍ରିଜ୍ (ଆରଓବି) କାର୍ଯ୍ୟକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ବହୁ ଦିନ ହେଲା ଏହା ସମ୍ପୂର୍ଣ୍ଣ ହେଉ ନାହିଁ। ରାଜପୁର ଖେଳ ପଡ଼ିଆ ନିକଟରେ ନିର୍ମାଣାଧୀନ ଥିବା ଆର୍ଓବି ଶେଷ ହେଉ ନଥିବାରୁ ଯାତାୟାତରେ ସ୍ଥାନୀୟ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି। ରେଳ ଲାଇନକୁ ପ୍ରଧାନମନ୍ତ୍ରୀ ଗତବର୍ଷ ସେପ୍ଟେମ୍ବର ୨୨ରେ ଲୋକାର୍ପଣ କରିଥିଲେ। ଏହି ରେଳ ଲାଇନ୍ ଦେଇ ଏବେ ସ୍ବାଭାବିକ ଭାବେ କୋଇଲା ପରିବହନ ହେଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଯାତାୟାତକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହେଉଛି। ଏହି ରାସ୍ତାରେ ଯାତାୟାତ ପାଇଁ ସ୍ଥାନୀୟ ୩ଟି ପଞ୍ଚାୟତ ସହ ବାହାର ଅଞ୍ଚଳର ଦୈନନ୍ଦିନ ଯାତାୟାତ ପାଇଁ ପ୍ରାୟ ୨୦ ହଜାର ଲୋକ ନିର୍ଭର କରୁଥିବା ଜଣାପଡ଼ିଛି।
ଏବେ ଏକ ଅସ୍ଥାୟୀ ରାସ୍ତା ଉପରେ ଯାତାୟାତ ହେଉଛି। ସୁନ୍ଦରଗଡ଼ ଜିଲ୍ଲାର ବସୁନ୍ଧରା କୋଇଲା ଖଣିରୁ ଏହି ରେଳ ଲାଇନ ଦ୍ୱାରା ଝରସୁଗୁଡ଼ା ବାଲିଯୋରୀ ଦେଇ ଦେଶର ବିଭିନ୍ନ ଶିଳ୍ପକୁ କୋଇଲା ପରିବହନ ହେଉଛି। ଏନଏଚ ୪୯ ଗାନ୍ଧୀ ଛକରୁ ସୁନ୍ଦରଗଡ଼କୁ ସଂଯୋଗ କରୁଥିବା ଏହି ରାସ୍ତା ଅଞ୍ଚଳବାସୀଙ୍କ ଯାତାୟାତ ପାଇଁ ଗୁରୁତ୍ବ ବହନ କରିଆସୁଛି। ଆରଓବିଟି ପ୍ରାୟ ୩ ବର୍ଷ ହେବ ନିର୍ମାଣାଧୀନ ଅବସ୍ଥାରେ ପଡି ରହିଛି। ଗତବର୍ଷ ଜୁନ ୨ ତାରିଖରେ ଏକ ଯାତ୍ରୀବାହୀ ଟାଟା ମେଜିକ ଏହି ରାସ୍ତାରେ ଟ୍ରେନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ସେହି ଜୁନ ୨୫ ତାରିଖରେ କୋଇଲା ବୋଝେଇ ଟ୍ରେନ ଅସ୍ଥାୟୀ ଫାଟକରେ ଫସି ଯାଇଥିବା ଏକ ହାଇୱାକୁ ଧକ୍କା ଦେବା ଫଳରେ ହାଇୱାଟି ଚୂରମାର ହୋଇଯାଇଥିଲା। ରେଳ ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଥିଲା। ଉକ୍ତ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇଥିଲା। ଆଲୋଚନା ବେଳେ ୨୪ ଘଣ୍ଟିଆ ଜଗୁଆଳି ସହ ଫାଟକରେ ଆଲୋକ ବ୍ୟବସ୍ଥା ଆଦି ଦାବି କରାଯାଇଥିଲା। ସେସବୁ ଦାବିଗୁଡ଼ିକୁ ପୂରଣ କରିବାରେ ପ୍ରଶାସନ ପ୍ରତିଶ୍ର୍ରୁତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି କାର୍ଯ୍ୟ ହୋଇପାରିନାହିଁ।
ଆର୍ଓବି କାର୍ଯ୍ୟ ସରୁନି, ବଢ଼ୁଛି ଅସନ୍ତୋଷ
/sambad/media/post_attachments/wp-content/uploads/2019/04/jhar-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)