ଝାରସୁଗୁଡ଼ା: ଝାରସୁଗୁଡ଼ା ସହରର ଜଣେ କଲେଜ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଏବେ ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୂରି ବୁଲୁଛି। ଭିଡିଓରେ କଲେଜ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହିତ ବନ୍ଦ କୋଠରିରେ ଥିବା ବେଳର ଅନ୍ତରଙ୍ଗ ଚିତ୍ର ରହିଛି। ଏ ନେଇ ଛାତ୍ରୀ ଜଣକ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ଛାତ୍ରୀ ଜଣକ ଲୋକଲଜ୍ଜାରେ ଘରୁ ବାହାରିବା ବନ୍ଦ କରି ଦେଇଥିବା ଜଣାଯାଇଛି। ଅଭିଯୋଗ ଅନୁସାରେ, କୋଲାବିରା ଥାନା ସମାସିଂଘା ଗ୍ରାମର ଜଣେ ବିବାହିତ ଯୁବକ ସତ୍ୟନାରାୟଣ ପଟେଲ (୨୮) ତାଙ୍କ ଜଣେ ସମ୍ପର୍କୀୟଙ୍କୁ ପ୍ରତିଦିନ କଲେଜ ଛାଡ଼ି ଯାଉଥିଲେ। ପ୍ରତିଦିନ କଲେଜ ଯିବା ସମୟରେ କଲେଜର ଜଣେ ଛାତ୍ରୀଙ୍କ ସହିତ ଦେଖା ସାକ୍ଷାତ ହୋଇଥିଲା। ଏହା ପ୍ରେମ ସଂପର୍କ ଆଡ଼କୁ ଯାଇଥିଲା।
ପ୍ରେମ ଅନ୍ତରଙ୍ଗ ହେବା ପରେ ଉଭୟ ବାହା ହେବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ। ଯୁବକ ଜଣକ ପୂର୍ବରୁ ବିବାହ କରିଥିବା କଥା ନ କହି ଛାତ୍ରୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ହୋଇଥିଲା। ମାତ୍ର ଏହି ସମୟର ଭିଡିଓକୁ ଯୁବକ ଜଣକ ତାଙ୍କ ମୋବାଇଲରେ ରେକର୍ଡ କରି ରଖିଥିଲେ। ଏଭଳି ଅନେକ ଦିନ ଚାଲିବା ପରେ ଛାତ୍ରୀ ଜଣକ ତାଙ୍କ ପୁରୁଷ ବନ୍ଧୁ ବିବାହିତ ବୋଲି ଜାଣିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଯୁବକ ଜଣକ ଛାତ୍ରୀଙ୍କ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରି ଦେଇଥିଲେ। ଏ ନେଇ ଛାତ୍ରୀଙ୍କ ପରିବାର ପକ୍ଷରୁ ଗତ ୭ ତାରିଖ ବିଟିଏମ୍ ଫାଣ୍ଡିରେ ଯୁବକଙ୍କ ନାମରେ ଏକ ଏତଲା ଦିଆଯାଇଛି। ଟାଉନ୍ ପୁଲିସ କେସ ନମ୍ବର ୩୮୯ରେ ଏକ ମାମଲା ରୁଜୁ କରିଛି। ସାଇବର ସେଲ ଦ୍ୱାରା ତଦନ୍ତ କରି ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/06/objectionable-Video-1498379909_835x547.jpg)