ଝାରସୁଗୁଡ଼ା: ଝାରସୁଗୁଡ଼ା-କନକତୋ‌ରା ୪୯ ନମ୍ବର ଜାତୀୟ ରାଜପଥରେ ରହିଥିବା ଇବ୍‌ ନଦୀରେ ନୂଆ ପୋଲ ନିର୍ମାଣ ପାଇଁ ବହୁ ବର୍ଷ ହେଲା ହେଉଥିବା ଦାବି ପୂରଣ ହେବାକୁ ଯାଉଛି। ୬୦ ବର୍ଷ ପୁରୁଣା ପୋଲ ବଦଳରେ ଏକ ୬ ଥାକିଆ ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ ଡିପିଆର୍‌ ପ୍ରସ୍ତୁତ କରିସାରିଛି। ଗତ ୨୫ ତାରିଖରେ ଏନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ବର ରାଓ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ଏହି ରିପୋର୍ଟ ପଠାଇ ମଞ୍ଜୁରୀ ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ଶ୍ରୀ ରାଓଙ୍କୁ ପଚାରିବାରେ, ପ୍ରକଳ୍ପ ରିପୋର୍ଟ ନୂଆଦିଲ୍ଲୀ ସ୍ଥିତ ଏନ୍‌ଏଚ୍‌ଏଆଇର ମୁଖ୍ୟାଳୟକୁ ଯାଇଛି। ସେଠା‌ରୁ ମଞ୍ଜୁରୀ ହେବା ପରେ ଏ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିବେ ବୋଲି କହିଛନ୍ତି।

Advertisment

ସୂଚନାନୁସାରେ ଗତ ଫେବ୍ରୁଆରିରେ ଜାତୀୟ ରାଜପଥ ପ୍ରାଧିକରଣ ଝାରସୁଗୁଡ଼ାରୁ କନକତୋରା ଯାଏ ୬୮ କିମି ରାସ୍ତାକୁ ୪ ଥାକିଆ କରିବା ପାଇଁ ଡିପିଆର୍‌ ପ୍ରସ୍ତୁତ କରିବାକୁ ମେସର୍ସ ମାର୍କ ଟେକ୍‌ନୋକ୍ରାଫ୍ଟସ ପ୍ରା. ଲିଃ.କୁ ଦାୟିତ୍ବ ଦେଇଥିଲା। ଇତି ମଧ୍ୟରେ ମାର୍କ ଟେକ୍‌ନୋକ୍ରାଫ୍ଟସ, ଆଲମୋଣ୍ଡ୍‌ଜ ଗ୍ଲୋବାଲ ଇନ୍‌ଫ୍ରା କନସଲ୍‌ଟାଣ୍ଟ ଓ ଏସିଆନ୍‌ ଜିଓଟେକ୍‌ ରିସର୍ଚ ସର୍ଭିସେସ୍‌ ପକ୍ଷରୁ ଏହି ରାସ୍ତାରେ ଥିବା ଇବ୍‌ ନଦୀର ପୋଲ ପାଇଁ ମଧ୍ୟ ଡିପିଆର୍‌ ପ୍ରସ୍ତୁତ ସରିଛି। ନୂଆକରି ନିର୍ମାଣ ହେବାକୁ ଥିବା ଏହି ‌ପୋଲର ଦୈର୍ଘ୍ୟ ୪୪୮.୮୦ ମିଟର ରହିବ, ଯାହା ମୋଟ ୧୭ଟି ଭାଗରେ ବିଭକ୍ତ ହେବ। ପୋଲ ଉପରେ ଦେଢ଼ ମିଟରର ଫୁଟପାଥ ବି ରହିବ। ବର୍ତ୍ତମାନର ପୋଲର ପ୍ରସ୍ଥ ସାଢ଼େ ୭ ମିଟର ଥିବା ବେଳେ ନୂଆ ପୋଲର ପ୍ରସ୍ଥ ୧୭ ମିଟର ରହିବ। ଉଭୟ ପାର୍ଶ୍ବରେ ୧୫୦ ମିଟରର ଆପ୍ରୋଚ୍‌ ରୋଡ୍‌ ଓ କ୍ରାସ୍‌ ବ୍ୟାରିଅର୍‌ ଲାଗିବ। ଡିପିଆର୍‌ର ତଥ୍ୟ ଅନୁସାରେ, ଏହି ବ୍ରିଜ୍‌ ପାଇଁ ଖର୍ଚ୍ଚ ହେବ ୮୮.୩୯ କୋଟି ଟଙ୍କା। ଯେଉଁଥିରେ ୭୨ କୋଟି ଟଙ୍କା ବ୍ରିଜ୍‌ ନିର୍ମାଣ ବାବଦକୁ ୧ କୋଟି ଟଙ୍କା ଆପ୍ରୋଚ୍‌ ରୋଡ୍‌, ୧ କୋଟି ଟଙ୍କା ରିଟେନିଂ ୱାଲ ବାବଦକୁ ଖର୍ଚ୍ଚ ହେବ। ପ୍ରକଳ୍ପର ମୂଲ୍ୟ ସମସ୍ତ ଆନୁସଙ୍ଗିକ ଖର୍ଚ୍ଚ ମିଶାଇ ମୋଟ ୧୦୫ କୋଟି ୧୮ ଲକ୍ଷ ୪୧ ହଜାର ୬୦୦ ଟଙ୍କା ହେବ ବୋଲି ଏନ୍‌ଏଚ୍‌ଏଆଇ ପକ୍ଷରୁ ଦାଖଲ କରାଯାଇଥିବା ଚିଠିରେ ଉଲ୍ଳେଖ ରହିଛି। ପୁରୁଣା ପୋଲକୁ ନ ଭାଙ୍ଗି ନୂଆ ପୋଲ ନିର୍ମାଣ କରାଯିବ।

ଇବ୍‌ ନଦୀର ପୁରୁଣା ଅଣଓସାରିଆ ପୋଲ ଯୋଗୁ ଅନେକ ଦୁର୍ଘଟଣା ଘଟିଥିବା ବେଳେ ବ୍ରିଜର ସଂଯୋଗ ସ୍ଥଳଗୁଡ଼ିକର ସମ୍ପ୍ରସାରଣ ହୋଇ ନପାରିବାରୁ ଲୋକେ ଯିବାଆସିବା ସୁରକ୍ଷିତ ମଣୁନାହାନ୍ତି। ଗତ ଜୁନ୍‌ ପହିଲାରେ ପୋଲ ନିକଟରେ ଲୋକେ ଆନ୍ଦୋଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଥିଲେ। ତୁରନ୍ତ ନୂଆ ପୋଲ ନିର୍ମାଣ ନହେଲେ ଏହି ପୋଲକୁ ବନ୍ଦ କରିବା ସହ ଟୋଲ ପ୍ଲାଜା ଭାଙ୍ଗିବେ ବୋଲି ଚେତାବନୀ ଦେଇଥିଲେ। ଏହାର ୨ ଦିନ ପରେ ଦିଶା ବୈଠକରେ ଓ ଜୁନ୍‌ ୫ ତାରିଖରେ ହୋଇଥିବା ସମୀକ୍ଷା ବୈଠକରେ ‌ସାଂସଦ ସୁରେଶ ପୂଜାରୀ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିବା ସହ ସଂସଦର ମୌସୁମୀ ଅଧିବେଶନରେ ପ୍ରସଙ୍ଗ ଉଠାଇବେ ବୋଲି କହିଥିଲେ।