ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଶୂନ୍‌:ଭୂତ ଖାଇଲେ ୨୮ ପିଲାଙ୍କ ମଧ୍ୟାହ୍ନ ଭୋଜନ

ବାମରା: ସ୍କୁଲ ଖୋଲା ଥିଲା। ୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ଥିଲେ। ଛାତ୍ରଛାତ୍ରୀ କେହି ନଥିଲେ। ମଧ୍ୟାହ୍ନ ଭୋଜନ ରନ୍ଧା ଯାଇ ନଥିଲା। ବାମରା ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀ (ବିଇଓ)ଙ୍କ ଅଫିସ୍‌କୁ ମୋବାଇଲରେ ମେସେଜ୍‌ ଆସିଲା ଯେ ୨୮ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଅଛନ୍ତି, ତାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହୋଇଛି। ହେଲେ ଛାତ୍ରଛାତ୍ରୀ ନଥିବାରୁ ଭୋଜନ କିଏ ଖାଇଲା ବୋଲି ପ୍ରଶ୍ନ ହୋଇଛି। ଏନେଇ ପ୍ରଭାରୀ ବିିଇଓ ରମାକାନ୍ତ ମହାନନ୍ଦିଆ, ଏବିଇଓ ସତ୍ୟନାରାୟଣ ନାୟକ, ସିଆରସିସି ଟଙ୍କଧର ନାୟକଙ୍କୁ ଅଭିଯୋଗ କରାଯାଇଛି ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ବାମରା ବ୍ଲକ୍‌ ଲରିଆପାଲି ପିୟୁପିଏସ ସ୍କୁଲରେ ଏହି ଘଟଣା ଘଟିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିବ୍ୟବନ୍ଧୁ ନାଏକଙ୍କ କହିବାନୁସାରେ, ଶୂନ୍‌ ଉପସ୍ଥାନ ମେସେଜ୍‌ରେ ଯାଉ ନଥିବାରୁ କିଛି ଛାତ୍ରଛାତ୍ରୀଙ୍କ ଉପସ୍ଥାନ ପକେଇବାକୁ ବାଧ୍ୟ ହୋଇଥିଲେ। ଏବିଇଓ ସତ୍ୟନାରାୟଣ ନାୟକ ସ୍କୁଲକୁ ଯାଇ ତଦାରଖ କରିଥିଲେ। ସମସ୍ତ ଉପସ୍ଥାନ ଖାତ ଯାଂଚ କରି ରିପୋର୍ଟ ଦେଇଥିଲେ। ମଧ୍ୟାହ୍ନ ଭୋଜନ ଷ୍ଟକ୍‌ ଖାତା ମାଗିବାରୁ ତାହା ଘରେ ଅଛି ବୋଲି ପ୍ରଧାନ ଶିକ୍ଷକ ଜଣାଇଥିଲେ। ୧୫୨ ଛାତ୍ରଛାତ୍ରୀ ଉକ୍ତ ସ୍କୁଲରେ ଅଧ୍ୟୟନ କରୁଥିବା ବେଳେ ୧୯୫୬ରେ ପ୍ରତିଷ୍ଠିତ ଏହି ସ୍କୁଲରେ ୧୧୦ ଏବଂ ୪୦ ଶଯ୍ୟା ବିଶିଷ୍ଟ ଏକ ହଷ୍ଟେଲ ରହିଛି। ଶୌଚାଳୟଟି ପରିତ୍ୟକ୍ତ ଅବସ୍ଥାରେ ରହିଛି। ସ୍କୁଲର ଆବଶ୍ୟକ କୋଠରୀ ମଧ୍ୟ ନାହିଁ। ଛାତ୍ରଛାତ୍ରୀ ବାହାରକୁ ପରିସ୍ରା ପାଇଁ ଯାଉଛନ୍ତି। କୋଠାଗୁଡ଼ିକ ବିପଦସଂକୁଳ ରହିଛି। ଅନ୍ୟପକ୍ଷରେ ଏସଏଚଜି ଗ୍ରୁପ ଦାୟିତ୍ୱରେ ଏହି ସ୍କୁଲର ମଧ୍ୟାହ୍ନ ଭୋଜନ ରହିଥିବା ଜଣାପଡ଼ିଛି। ହେଲେ ସମସ୍ତ କାର୍ଯ୍ୟ ପ୍ରଧାନ ଶିକ୍ଷକଙ୍କୁ ବୁଝିବାକୁ ପଡ଼ୁଛି।

ସମ୍ବନ୍ଧିତ ଖବର