ଝାରସୁଗୁଡ଼ା: ଗ୍ୟାସ ସିଲିଣ୍ଡର ମରାମତି ବେଳେ ଅଗ୍ନିକାଣ୍ଡ, ୩ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି

ଝାରସୁଗୁଡ଼ା: ସରବାହାଲ ଠାରେ ଗୁରୁବାର ଅପରାହ୍ନରେ ଗ୍ୟାସ ସିଲଣ୍ଡର ମରାମତି ବେଳେ ଅଗ୍ନିକାଣ୍ଡ ଘଟିବାରୁ ୨ ଜଣ ବ୍ୟକ୍ତି ଗୁରୁତର ଆହତ  ହୋଇଥିବା ଜଣାଯାଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ବିବରଣୀରୁ ପ୍ରକାଶ ଯେ, ଡ଼ିଏଭି ସ୍କୁଲରେ ଶିକ୍ଷକତା କରୁଥିବା ରାଜ ବିହାରୀ ଦାଶଙ୍କ ଗ୍ୟାସ ସିଲିଣ୍ଡରରେ ଲାଗୁଥିବା ରେଗୁଲେଟରରେ କିଛି ତ୍ରୁଟି ଥିବାରୁ ତାକୁ ଜଣେ ଗ୍ୟାସ ଡ଼େଲିଭେରି ବଏ ରବି ବାରିକ ଓ ତାଙ୍କ ସହିତ ଆସିଥିବା ଅନ୍ୟଜଣେ ବ୍ୟକ୍ତି ଶୈଳେନ୍ଦ୍ର ରାମଦାସ ମରାମତି କରୁଥିଲେ। ମରାମତି ସମୟରେ ଗ୍ୟାସ ଲିକ୍‌ ହୋଇ ସେଥିରେ ନିଆଁ ଲାଗି ବିସ୍ଫୋରଣ ଘଟିଥିବା ଶୁଣାଯାଇଥିଲା। ତେବେ ସିଲିଣ୍ଡର ଫାଟି ନଥିଲା।

ରୋଷେଇ ଘରେ ଭେନଟିଲେସନ ସୁବିଧା ନଥିବାରୁ ଗ୍ୟାସ ଲିକ୍‌ ହୋଇ ଜମା ହୋଇଯାଇଥିଲା ଓ ସେତିକି ବେଳେ ସମ୍ଭବତଃ ଲାଇଟର ମାରିବାରୁ ଗ୍ୟାସରେ ନିଆଁ ଲାଗି ଯାଇଥିବା କୁହାଯାଉଛି। ଏଥିରେ ମରାମତି କରୁଥିବା ରବି ବାରିକ(୪୫) ଓ ଶୈଳେନ୍ଦ୍ର ରାମଦାସ(୩୬) ପୋଡ଼ିଯାଇ ଗୁରୁତର ଆହତ ହୋଇଥିବା ବେଳେ ଘର ନିକଟରେ ରହୁଥିବା ଅନ୍ୟ ଜଣେ ପରିବାର ଅକ୍ଷୟ କୁମାର ପାଣିଙ୍କ ମା’ ମାତାଜୀ ପାଣି(୭୦)ଙ୍କ ମୁହଁ ପୋଡ଼ି ଯାଇଥିଲା।

ନିଆଁ ସଙ୍ଗେ ସଙ୍ଗେ ଲିଭିଯାଇଥିଲେ ମଧ୍ୟ ଘରେ ଲାଗିଥିବା କବାଟ ଓ ଅନ୍ୟାନ୍ୟ ଜିନିଷ ବିସ୍ଫୋରଣରେ ଛିଟିକି ପଡ଼ିଥିବା ଦେଖା ଯାଇଛି। ଗୁରୁତର ଆହତ ରବି ଓ ଶୈଳେନ୍ଦ୍ରଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ମାତାଜୀ ପାଣିଙ୍କୁ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକତ୍ସା କରାଯାଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର