ଝାରସୁଗୁଡ଼ା: ‘ଜଙ୍ଗଲରେ ବାଘ ବୁଲୁଛି। ଗ୍ରାମବାସୀମାନଙ୍କୁ ଅନୁରୋଧ- ଜଙ୍ଗଲକୁ ଛେଳି, ଗାଈଗୋରୁ ଚରାଇବାକୁ ନିଅନ୍ତୁ ନାହିଁ। ସମସ୍ତଙ୍କ ଜୀବନ ମୂଲ୍ୟବାନ ଅଟେ। ବାଘ ଆମର ଜାତୀୟ ପଶୁ, ତାକୁ ସୁରକ୍ଷା ଦେବାରେ ବନ ବିଭାଗକୁ ସହଯୋଗ କରନ୍ତୁ’। ଲଖନପୁର ବ୍ଲକର ପିକୋଲ ଜଙ୍ଗଲରେ ମାସକ ତଳେ ଠାବ ହୋଇଥିବା କଲରାପତରିଆ ବାଘ ଜନବସତିମୁହାଁ ହେବା ପରେ ବନବିଭାଗ ପକ୍ଷରୁ ଗାଁ’ ଗାଁ’ରେ ଡାକବାଜି ଯନ୍ତ୍ର ଦ୍ବାରା ଏଭଳି ସୂଚନା ଦିଆଯାଉଛି। ଏହି ବାଘ ଆଖପାଖ ଜନବସତିକୁ ପ୍ରବେଶ କରିବା ଆରମ୍ଭ କରିବା ପରେ ଲୋକଙ୍କ ଭିତରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି। ବାଘମୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମରେ ମଧ୍ୟ ବାଘର ପାଦଚିହ୍ନ କିଛି ଲୋକ ଦେଖିବା ପରେ ବନବିଭାଗର ଟିମ୍ ପହଞ୍ଚି ତାହା ନିରୀକ୍ଷଣ ଓ ସଂଗ୍ରହ କରିଛି। ଏ ନେଇ ବେଲପାହାଡ଼ ରେଞ୍ଜର ଶର୍ମିଲି ନାଏକଙ୍କୁ ପଚାରିବାରେ, ବାଘଟି ଟ୍ରାପ୍ କ୍ୟାମେରାରେ କଏଦ୍ ହୋଇଛି। କିନ୍ତୁ ଛେଳି ନେବା ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳିପାରିନାହିଁ। ତଥାପି ଲୋକେ ସତର୍କ ରହିବା ପାଇଁ ସଚେତନ କରାଯାଉଛି ବୋଲି କହିଛନ୍ତି।
/sambad/media/post_attachments/wp-content/uploads/2024/01/3c0ada80-bff3-4f5c-beed-63dd838b9045-135x300.jpeg)
ବାଘଟି ଆଖପାଖ ଅଞ୍ଚଳରେ ବୁଲୁଥିବା ବିଛୁଆପଡ଼ା, ଲୋହିଆପଡ଼ା, ବିକ୍ରମଖୋଲ, ବାଣ୍ଡିପାହାଡ଼ ଅଞ୍ଚଳରେ ଲୋକେ ଦେଖିଥିବା ତଥା ବାଘ ଜନବସତିକୁ ଯାଇ ପ୍ରତି ୨-୩ ଦିନରେ ଗୋଟିଏ କିମ୍ବା ଦୁଇଟି ଛେଳି ନେଇ ଯାଉଥିବା ଗ୍ରାମବାସୀ ବନ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି। ଜାମବେର୍ଣ୍ଣା ଗ୍ରାମରୁ ପାଦଚିହ୍ନ ଠାବ ହୋଇଥିବା ବେଳେ ଏହାର ପୂର୍ବ ରାତିରେ ଅଏଁଲାଝରନ୍ ଗାଁ’ରୁ ୨ ଛେଳିଙ୍କୁ ବାଘ ନେଇ ଯାଇଥିବା ଅଭିଯୋଗ ହେଉଛି। ଏହା ପୂର୍ବରୁ ବାଣ୍ଡିପାହାଡ଼, ବଞ୍ଜାରୀ, ଖାଡୁ ଅଞ୍ଚଳରୁ ବି ଛେଳି ନେଇ ଯାଇଥିବା ଅଭିଯୋଗ ହୋଇଥିଲା। ବଞ୍ଜାରୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁହାଳରୁ ଗାଏବ୍ ଏକ ଛେଳିର କିଛି ଅଂଶ ନିକଟସ୍ଥ ଜଙ୍ଗଲରୁ ଠାବ କରାଯାଇଥିଲା। ତେବେ ବର୍ତ୍ତମାନ ବାଘ କେଉଁଠି ଅଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ବନବିଭାଗର ବିଶେଷଜ୍ଞ ଆସି ଟ୍ରାପ୍ କ୍ୟାମେରାଗୁଡ଼ିକ ଯାଞ୍ଚ କଲେ ପ୍ରକୃତ ଗତିବିଧି ଜଣାପଡ଼ିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ବିଶେଷକରି ଭୋର୍ ଓ ସନ୍ଧ୍ୟା ପରେ ବାଘର ଗତିବିଧି ରହିଥିବାରୁ ସେ ସମୟରେ ଜଙ୍ଗଲକୁ ଏକା ନଯିବାକୁ ପରାମର୍ଶ ଦିଆଯାଉଛି। ସେପଟେ, ଟ୍ରାପ୍ କ୍ୟାମେରାରେ କଏଦ୍ କଲରାପତରିଆ ଓ ପାଦଚିହ୍ନ ମିଳିଥିବା ବାଘ ଗୋଟିଏ ନା ଭିନ୍ନ ଭିନ୍ନ ସେ ନେଇ ବି ବନବିଭାଗ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/tiger-nuapada-1-750x430-1.jpg)