ବ୍ରଜରାଜନଗର/ଝାରସୁଗୁଡ଼ା : ଝାରସୁଗୁଡ଼ା ଭଳି ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଶିଶୁ ବିକ୍ରି ଭଳି ଏକ ସମ୍ବେଦନଶୀଳ ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଆର୍ଥିକ ଅନଟନର ଶିକାର ହୋଇ ଜଣେ ୨୦ ବର୍ଷିଆ ଯୁବତୀ ‘ଦାନ କଲି’ ବୋଲି କହି ନିଜ ଔରସରୁ ଜନ୍ମିତ ଶିଶୁପୁତ୍ରକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ହାତରେ ଟେକି ଦେଇଥିଲେ। ଏହି ଘଟଣାରେ ଗୁରୁବାର ପୁଲିସ୍‌ ସଂପୃକ୍ତ ୨ ଜଣ ଦଲାଲଙ୍କୁ ଗିରଫ କରିଛି। ଘଟଣାଟି ଘଟିଛି ଝାରସୁଗୁଡ଼ା ନିକଟ ବଡ଼ମାଳ ଥାନା ବଂଜାରୀ ଗାଁରେ। ଉକ୍ତ ଯୁବତୀ ସରିତା ସୋରେନ ସେହି ଗାଁର ରାଜମିସ୍ତ୍ରି ଭାବେ କାମ କରୁଥିବା ରାଜୁ ଅନସାରୀ (୨୫) ସହ ଏକାଠି ରହୁଥିଲେ। ସେମାନେ ବିବାହ ନହୋଇ ‘ଲିଭ-ଇନ ରିଲେସନ’ରେ ରହୁଥିବା କୁହାଯାଉଛି।

Advertisment

ତେବେ, ପ୍ରେମ ପ୍ରଣୟରୁ ଗତ ୧୩ ତାରିଖରେ ବୁର୍ଲା ମେଡିକାଲରେ ସେ ପୁଅଟିଏ ଜନ୍ମ ଦେଇଥିଲେ। ସେ ସମୟରେ ଚିକିତ୍ସା ଏବଂ ଅନ୍ୟାନ୍ୟ ଖର୍ଚ ବାବଦକୁ ସରିତା ଓ ରାଜୁ ୮ ହଜାର ଟଙ୍କା ଉଧାରି ଆଣିଥିଲେ। ଏହା ପରେ ବି ସେମାନଙ୍କ ଅର୍ଥାଭାବ ଲାଗି ରହିଥିଲା। ବଂଜାରୀ ଗାଁର ଜଣେ ଗାଡ଼ି ଚାଳକ ପ୍ରଦୀପ ଗୁରୁ ସେମାନଙ୍କୁ କହିଥିଲେ ଯେ ଟଙ୍କା ଦେଇଥିବା ରାମକୃଷ୍ଣ ସାହୁ (୪୦) ପିଲାଟିକୁ ନେବାକୁ ଚାହୁଛନ୍ତି। ଫଳରେ ଏହାପରେ ଆଉ ୪ ହଜାର ଟଙ୍କା ରାମକୃଷ୍ଣଠାରୁ ଆଣି ଶିଶୁଟିକୁ ଦାନ କରି ଦେଇଥିବା ପ୍ରକାଶ କରିଛନ୍ତି ସରିତା। ରାମକୃଷ୍ଣ ସାହୁ ସମ୍ବଲପୁର ଜିଲ୍ଲା ଶାସନ ଥାନା ବଲବସପୁର ଗାଁର। ସେ ଝାଲମୁଢ଼ି ବିକ୍ରି କରି ଚଳୁଥିବା ବେଳେ ମାତ୍ର କିଛି ଟଙ୍କା ବଦଳରେ ଶିଶୁଟିଏ ପାଇ ଖୁସି ହୋଇ ଚାଲି ଯାଇଥିଲେ।

ଏହାପରେ କୌଣସି ସୂତ୍ରରୁ ଝାରସୁଗୁଡ଼ା ଚାଇଲଡଲାଇନ ଖବର ପାଇଥିଲା। ବଡ଼ମାଳ ପୁଲିସ୍‌ ସହାୟତାରେ ବୁଧବାର ରାତି ୧୨ଟାରେ ବଲବସପୁର ଗାଁରୁ ଶିଶୁଟିକୁ ଉଦ୍ଧାର କରି ଝାରସୁଗୁଡ଼ା ଆଣିଥିଲେ। ଶିଶୁ ମଂଗଳ କମିଟି (ସିଡବ୍ଲୁସି) ଆଗରେ ଗୁରୁବାର ଉଭୟ ସରିତା ଓ ଶିଶୁକୁ ହାଜର କରାଯାଇ ବୟାନ ରେକର୍ଡ କରାଯାଇଥିଲା। ଝାରସୁଗୁଡ଼ା ଚାଇଲଡଲାଇନ ଜିଲ୍ଲା କେନ୍ଦ୍ରୀୟ ସଂଯୋଜକ ଆଶିଷ ପଣ୍ଡା, ଜନ୍ମଜୟ ଦାଶ, ପଦ୍ମନାଭ ମାଳି, ହରିଶଙ୍କର ପୁରୋହିତ, ଗୋବର୍ଧନ ମହାନନ୍ଦ, ସେହଡ଼ା ନିର୍ଦେଶକ ଆନନ୍ଦିନୀ ପାଢ଼ୀ, ଝରଣା ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ ଘଟଣାକ୍ରମ ଶୁଣିଲା ପରେ ସିଡବ୍ଲସି ପକ୍ଷରୁ ଉଭୟ ମା’ ଓ ଶିଶୁକୁ ସେହଡ଼ାର ସୁଧାର ଗୃହକୁ ସାମୟିକ ଥଇଥାନ କରାଯାଇଛି। ଅନ୍ୟପକ୍ଷରେ ଚାଇଲଡଲାଇନ ପକ୍ଷରୁ ବଡ଼ମାଳ ଥାନାରେ ଏନେଇ ଏକ ଏତଲାକୁ ଭିତ୍ତି କରି ପୁଲିସ୍‌ ଆଇପିିସି ୩୬୬-୪୩/୮୧ରେ ମାମଲା ରୁଜୁ କରିବା ସହ ପ୍ରଦୀପ ଗୁରୁ ଓ ରାମକୃଷ୍ଣ ସାହୁକୁ ଗିରଫ କରିଥିବା ସୂଚନା ମିଳିଛି।