ଲଇକେରା: ପ୍ରେମ ପାଇଁ ହତ୍ୟା। ରକ୍ତରଂଜିତ ହେଲା ମା’ କାଳୀଙ୍କ ମନ୍ଦିର। ମା’ ପାଖରେ ମଣିଷ ବଳି ପଡ଼ିଲା। ମଂଗଳବାର ସକାଳେ ବାଗଡିହି ମହାକାଳେଶ୍ୱର ମନ୍ଦିର ଭିତରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଅଭିଯୁକ୍ତ ମିଶ୍ର ମାଝିକୁ ବୁଧବାର ପୁଲିସ୍‌ କୋର୍ଟ ଚାଲାଣ କରିଛି। ରୋଷେୟା ଭାବେ କାମ କରୁଥିବା ସମ୍ବଲପୁର ଜିଲ୍ଲା ନାକ୍‌ଟିଦେଉଳ ଥାନା ପୋଡ଼ାମାଳ ଗାଁର ନାଥ ସାହୁ (୩୬)ଙ୍କୁ ସେ ହତ୍ୟା କରିଥିବା ସ୍ୱୀକାର କରିଛି। ବର୍ଷେ ହେବ ନାଥ ସାହୁ ମନ୍ଦିରରେ କାମ କରୁଥିଲେ। ମନ୍ଦିର ସମ୍ମୁଖ ଗେଟ ନିକଟରେ ଝାରମୁଣ୍ଡା ଗାଁର ମିଶ୍ର ମାଝି ନଡ଼ିଆ ବିକ୍ରି କରି ଗୁଜୁରାଣ ମେଣ୍ଟାଉଥିଲା। ମିଶ୍ର ମାଝିର ପତ୍ନୀ ଦୋକାନରେ ବସି ବେଳେବେଳେ ନଡ଼ିଆ ବିକନ୍ତି। ନାଥ ସାହୁ ସହ ତାଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଥିଲା।

Advertisment

ତା’ପରେ ଅନୈତିକ ସଂପର୍କ। ଏହା ମିଶ୍ର ମାଝିର କାନରେ ପଡ଼ିଥିଲା। ସେ ବୁଝାସୁଝା କଲା ପରେ ମଧ୍ୟ ସଂପର୍କ ବଦଳି ନଥିିଲା। ଲୁଚି କରି ନାଥ ସାହୁ ତା’ ପତ୍ନୀ ସହ ମିଶୁଥିଲା। ଶେଷରେ ନିଷ୍ପତ୍ତି ନେଲା ଯେ ତାକୁ ଦୁନିଆରୁ ଉଡ଼େଇ ଦେବ। ସୁଯୋଗ ଅପେକ୍ଷାରେ ଥିଲା। ମଂଗଳବାର ସକାଳୁ ଟାଙ୍ଗିଆକୁ ଘୋଡ଼େଇ ୭/୮ ଥର ମନ୍ଦିରର ଭିତରୁ ବାହାରୁ ଯିବା ଆସିବା କରୁଥିବା ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ ରହିଛି। ନାଥ ସାହୁକୁ ଦେଖିଲା ମାତ୍ରେ ଚୋଟ ଉପରେ ଚୋଟ ୯ ଥର ମା’ କାଳୀଙ୍କ ସାମନାରେ ମାରିଥିଲା। ଘଟଣାସ୍ଥଳରେ ରକ୍ତର ଧାରା ବହିଥିଲା।

ଏସବୁ କଥା ଖୋଦ ଅଭିଯୁକ୍ତ ମିଶ୍ର ମାଝି ପୁଲିସ ଆଗରେ ସ୍ୱୀକାର କରିଛି। ବୁଧବାର ଲଇକେରା ଥାନାଧିକାରୀ ସାରଦା ପ୍ରସନ୍ନ ଦାସ ତାକୁ କୋର୍ଟ ଚାଲାଣ କରିଛନ୍ତି। ସେହିପରି ସୁଲେହୀଠାରେ ଘଟିଥିବା ଅନ୍ୟ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। କିର୍ମିରା ବ୍ଲକ୍‌ ସୁଲେହୀ ଗାଁର ରାଜୀବ ଗାନ୍ଧି ସେବାକେନ୍ଦ୍ର ନିକଟରେ ମଂଗଳବାର ଘଟିଥିବା ହତ୍ୟାକାଣ୍ଡର ଅଭିଯୁକ୍ତ ନିବାସ ଧୁରୁଆ (୩୫)କୁ କୋର୍ଟ ଚାଲାଣ କରାଯାଇଛି। ଗୁଣିଗାରେଡ଼ି ସଂଦେହ ଏବଂ ପୂର୍ବ ଶତ୍ରୁତା କାରଣରୁ ନିବାସ ସେହି ଗାଁର ଭକ୍ତରାମ କାଲୁ (୬୫)ଙ୍କୁ ହତ୍ୟା କରିଥିଲା। ପୁଲିସ୍‌ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି।