ବ୍ରଜରାଜନଗର: ୭୦ଟି ପରିବାର ଏ ବର୍ଷ, ସରକାରଙ୍କ ନୂଆ ନିୟମ ଲାଗୁ ହୋଇଥିବାରୁ ଜାତି ପ୍ରମାଣପତ୍ର ପାଇପାରୁ ନାହାନ୍ତି। ସେମାନେ ଏକପ୍ରକାର ନିଜ ପରିଚୟ ଖୋଜୁଛନ୍ତି। ଲଖନପୁର ବ୍ଲକ କଣ୍ଢେଇକେଲା ପଞ୍ଚାୟତ ମହୁଲପାଲି ଗଁାରେ ହୀରାକୁଦ ନଦୀବନ୍ଧ ଦ୍ବାରା ବିସ୍ଥାପିତ ହୋଇ ଏହି ମତ୍ସ୍ୟଜୀବୀ ପରିବାର ବସବାସ କରିଆସୁଛନ୍ତି। ପ୍ରାୟ ୨୫୦ ମତଦାତା ଅଛନ୍ତି। ସରକାରୀ ଯୋଜନା, ମୌଳିକ ସୁବିଧା ସୁଯୋଗ, ଅଧିକାର, ଗଣତନ୍ତ୍ର ସେମାନେ ବୁଝନ୍ତି ନାହିଁ। ଗ୍ରାମବାସୀ ଭାଗ ଭାଗ ହୋଇ ପ୍ରତି ସଂଧ୍ୟାରେ ମାଛ ମାରିବାକୁ ମହାନଦୀକୁ ଯାଇ ସକାଳେ ପୁଣି ଫେରନ୍ତି। ସେଥିରୁ ବିକ୍ରି କରି ଯାହା କିଛି ମିଳେ, ନତୁବା ଶୁଖୁଆ ବିକ୍ରି କରି ଦୁଇ ପଇସା ଅର୍ଜନ କରି ଘର ପରିବାର ଚଳିଯାଏ। ସରକାର, ଗଣତନ୍ତ୍ର, ଭୋଟ୍.. ଏସବୁ ପ୍ରତି ସେମାନଙ୍କ ଧ୍ୟାନ ନଥାଏ।
ଏ ଥର ସାଧାରଣ ନିର୍ବାଚନରେ ସେମାନେ ଭୋଟ୍ ଦେବେ କି ନାହିଁ ବୋଲି ପଚାରିବାରୁ କିଛି ଗ୍ରାମବାସୀ ସେମାନଙ୍କ ସମସ୍ୟା କଥା କହିଥିଲେ। ଗ୍ରାମର ଜଣେ ଯୁବକ ଆକାଶ ମାଝି କହନ୍ତି, ‘ଆମ ଗଁାରେ ୫ ଜଣ ମେଟ୍ରିକ ପଢ଼ୁଆ ଯୁବକ ଅଛନ୍ତି। ଝିଅମାନଙ୍କୁ କଣ୍ଢେଇକେଲାକୁ ଯାଇ ପାଠ ପଢ଼ିବାକୁ ମନା ରହିଛି। ପୁଅ ପିଲାମାନେ ସେଠାକୁ ଯାଇ ମେଟ୍ରିକ ପର୍ଯ୍ୟନ୍ତ ପଢ଼ିଛନ୍ତି’। ଏହି ଗ୍ରାମବାସୀଙ୍କ ଧୀବର ବା କେଉଁଟ ପରିଚୟ ରହିଛି। ମୁଖ୍ୟତଃ ଗତବର୍ଷ ପର୍ଯ୍ୟନ୍ତ ଅନୁସୂଚିତ ଜାତି ରୂପେ ଆବଶ୍ୟକ ସମୟରେ ପ୍ରମାଣପତ୍ର ବିଭାଗୀୟ ଅଧିକାରୀଙ୍କଠାରୁ ପାଇ ନିଜ ସରକାରୀ କାର୍ଯ୍ୟ କରି ଆସୁଥିଲେ। ଏ ବର୍ଷ ତହସିଲଦାର ସେମାନଙ୍କୁ ପ୍ରମାଣପତ୍ର ଦେବାକୁ ମନା କରି ଦେଇଛନ୍ତି। ଏହା ଏକ ବଡ଼ ସମସ୍ୟା ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ନିଜ ଜାତି ପ୍ରମାଣପତ୍ର ସରକାରଙ୍କଠାରୁ ମିଳିପାରୁ ନାହିଁ, ଭୋଟ୍ କଥା ସେମାନେ ଚିନ୍ତା ବି କରୁନାହାନ୍ତି। ଜାତିଗତ ପ୍ରମାଣପତ୍ରର ନୂଆ ନିୟମକୁ ଆଧାର କରି ଏବେ ଜମିର ପଟ୍ଟା ଆବଶ୍ୟକ ହେଉଥିବାରୁ ଏଥିରେ ସମସ୍ୟା ଉପୁଜିଛି। ପଟ୍ଟାରେ ଜାତି ‘ମଝିଆ’ ଲେଖାଯାଇଛି। ଏବେ ପିଲାମାନଙ୍କ ପାଠପଢା ଓ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଜାତି ପ୍ରମାଣପତ୍ର ବାଧକ ସାଜିଛି। ସେମାନଙ୍କ ମଝିଆ ଜାତି ଅନୁସୂଚିତ ଜାତି, ଜନଜାତି କିମ୍ବା ଓବିସିରେ ଯାଉନାହିଁ। ଏନେଇ ପୂର୍ବରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନିରାଶ ହୋଇ ବସିଛନ୍ତି। ଏବେ ନିର୍ବାଚନ ଆସିଥିବାରୁ ସେମାନେ କାହାକୁ ଭୋଟ ଦେବେ ସେନେଇ ଗ୍ରାମରେ ବୈଠକ କରି ନେଇଥିବା ନିଷ୍ପତ୍ତିକୁ ପ୍ରାର୍ଥୀଙ୍କୁ ଶୁଣାଇଥିବା କହିଥିଲେ। ଯେଉଁ ଦଳ ଓ ପ୍ରାର୍ଥୀ ସେମାନଙ୍କ ଅନୁସୂଚିତ ଜାତିର ମାନ୍ୟତାର ପ୍ରମାଣପତ୍ର ଦେବାରେ ସହଯୋଗ କରିବ ସେମାନେ ଭୋଟ୍ ପାଇଁ ଗୋଡ଼ କାଢ଼ିବେ ବୋଲି ପ୍ରକାଶ କରିଛନ୍ତି। ଏନେଇ ଠୋସ୍ ପ୍ରତିଶ୍ରୁତି ଅପେକ୍ଷାରେ ରହିଥିବା କେଶରୀଲାଲ ମାଝି, ନେହରୁ ମାଝି, ମାଘୁ ମାଝି, ପୁସାରୁ ମାଝି , ଭୋଗଉ ମାଝି, କଳାବତୀ ମାଝି, ଯାମିନୀ ମାଝି, ଅଶୋକ ମାଝି ଦାବି ଜଣାଇଛନ୍ତି।
ବିସ୍ଥାପିତ ୭୦ ମାଝି ପରିବାରର ନିଷ୍ପତ୍ତି:ଜାତି ପ୍ରମାଣପତ୍ର ମିଳିଲେ ଭୋଟ୍ ଦେବେ
/sambad/media/post_attachments/wp-content/uploads/2019/04/jhars.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)