ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କିରାଣୀ

ବ୍ରଜରାଜନଗର : ୧୫ଶହ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗର କିରାଣୀ ଭରତ ଘାସି (୩୫) ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛି। ଏହି ଚଢ଼ାଉ ଆଜି ମଧ୍ୟାହ୍ନରେ ହୋଇଥିଲା।
ସୂଚନା ଅନୁସାରେ ଝାରସୁଗୁଡ଼ାର ସରୋଜିନୀ କିଷାନ ନିଜ ବାପା ମାଙ୍କ ମୃତ୍ୟୁ ପ୍ରମାଣ ପତ୍ର ନେବାପାଇଁ ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବାରମ୍ବାର ଫେରିଥିଲେ। ଶେଷରେ ଜନ୍ମ ମୃତ୍ୟୁ ପଞ୍ଜିକରଣ ବିଭାଗରେ ଥିବା କିରାଣୀ ଭରତ ଘାସିଙ୍କୁ କହିବାରୁ ୧୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ସେ ଗରିବ ଲୋକ ହୋଇଥିବାରୁ ଏତେ ଟଙ୍କା ଦେବା ସମ୍ଭବ ନୁହେଁ ବୋଲି କହିବାରୁ ସେ ଶୁଣିନଥିଲେ। ଶେଷରେ ଏନେଇ ସରୋଜିନୀ ଭିଜିଲାନ୍ସ ଏସ ପିଙ୍କୁ ଜଣାଇବା ପରେ ଏକ ଟିମ୍ ପ୍ରସ୍ତୁତ କରି ଚଢ଼ାଉ ପାଇ ନିର୍ଦେଶ ଦେଇଥିଲେ।

ଭିଡ଼ିଲାନ୍ସ ଟିମ ରାଉଲକେଲା ଡି ଏସ ପି ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ସୁନ୍ଦରଗଡ଼ ଆଇ ଆଇ ସି ସୁଧାଂଶୁ ଶେଖର ପୂଜାରୀ, ଦେବଗଡ଼ ଆଇ ଆଇ ସି ଯୋଗେଶ ପ୍ରସାଦ ପଟେଲ, ରାଉଲକେଲା ଆଇ ଆଇ ସି ଗୀତାଞ୍ଜଳି ପ୍ରଧାନ, ଝାରସୁଗୁଡ଼ା ଆଇ ଆଇ ସି ପ୍ରଦୀପ ଆଇଣ୍ଡି ସମେତ କନେଷ୍ଟବଳ ଗୌରୀ ମେହେର, ପି ଦେହୁରୀ, ପି କେ ଦାସ, ଏଚ ଆର ସିଂହ ଆଦି ସାଧା ପୋଷକରେ ହସ୍ପିଟାଲ ଭିତରର ଓ ବାହାରେ ଛକି ରହିଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆଯାଇଥିବା ରାସାୟନିକ ପାଉଡର ବୋଳା ୧୫ଶହ ଟଙ୍କା ସରୋଜିନୀ କିଷାନ ନେଇ ଭରତ ଘାସିଙ୍କୁ ଦେଇଥିଲେ। ଭରତ ଟଙ୍କା ନେବା କ୍ଷଣି ବାହାରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ଭିତରକୁ ପଶି ଭରତ ଘାଷିଙ୍କୁ ଧରି ନେଇଥିଲେ। ଭରତ ଘାସିଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ବିଭାଗ ଡି ଏ ସ ପି ବୀରେନ୍ଦ୍ର ନାୟକ ସୂଚନା ଦେଇଛନ୍ତି। ଆଜି ସଂଧ୍ୟା ସୁଦ୍ଧା ସମ୍ବଲପୁର ଭିଜିଲାନ୍ସ କୋର୍ଟରେ ହଜାର କରିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର