ଝାରସୁଗୁଡ଼ା: ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜିଲ୍ଲା ମେଡ଼ିକାଲ ଅଫିସର

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଅଧିକ୍ଷକ ତଥା ଡିଏମ୍‌ଓ ଡା. ଉଷାରାଣୀ ଦାଶ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଏହି ମେଡ଼ିକାଲରେ କଣ୍ଟ୍ରାକ୍‌ଚୁଆଲ ଇଲେକ୍ଟ୍ରିସିଆନ୍‌ ଦେବାନନ୍ଦ ବାରିକ ଶବ ବ୍ୟବଚ୍ଛେଦ ଗୃହରେ ୧୩ ହଜାର ୫ ଶହ ଟଙ୍କାର ବିଦ୍ୟୁତ୍‌ କାମ କରିଥିଲେ। ଏହି ବିଲ୍‌ ପାସ୍‌ କରି ଦେବାକୁ ଡାକ୍ତର ଦାଶ ୫ ହଜାର ଟଙ୍କା ଦାବି କରି ଆସୁଥିଲେ।

ଡାକ୍ତରଖାନାରେ ବିଭିନ୍ନ କାମରେ ଅଭିଯୋଗକାରୀ ଶ୍ରୀ ବାରିକଙ୍କ ୭୦ ହଜାର ଟଙ୍କାର ବିଲ ବକେୟା ପଡ଼ି ରହିଥିଲେ ମଧ୍ୟ ଅଭିଯୁକ୍ତ ଡା. ଦାଶ ଏହି ବିଲ୍‌ ପାସ କରି ଦେଉନଥିଲେ। ଏ ନେଇ ଶ୍ରୀ ବାରିକ ଭିଜିଲାନ୍‌ସ ବିଭାଗରେ ଅଭିଯୋଗ କଲାପରେ ମଙ୍ଗଳବାର ଭିଜିଲାନ୍‌ସ ବିଭାଗ ସମ୍ବଲପୁରର ଅତିରିକ୍ତ ଏସ୍‌ପି ରବୀନ୍ଦ୍ର ପ୍ରଧାନଙ୍କ ତତ୍ତ୍ୱାବବଧାନରେ ତଥା ଝାରସୁଗୁଡ଼ା ଡ଼ିଏସ୍‌ପି ଦିଲୀପ କୁମାର କରଙ୍କ ନେତୃତ୍ତ୍ୱରେ ରାଉରକେଲା ଡ଼ିଏସ୍‌ପି ଦାଶରଥୀ ସେଠୀ, ଝାରସୁଗୁଡ଼ା ଇନ୍‌ସପେକ୍ଟର ପ୍ରଦୀପ କୁମାର, ସୁନ୍ଦରଗଡ଼ ଇନ୍‌ସପେକ୍ଟର ଏସ୍‌.ଏସ୍‌. ପୂଜାରୀ, ରାଉରକେଲା ଇନ୍‌ସପେକ୍ଟର ଜେପି ପଟେଲ, ରୀତାଞ୍ଜଳୀ ପ୍ରଧାନ, ସମ୍ବଲପୁର ଇନ୍‌ସପେକ୍ଟର ଏସ୍‌.ର୍ତିକିଙ୍କ ସମେତ କନଷ୍ଟେବଳ ଗୌରୀଶଙ୍କର ମେହେର, ପିକେ ଦାଶ, ରଞ୍ଜୁ ପଣ୍ଡା, ବେଜୟନ୍ତୀ, ପ୍ରଭାସ ପଟେଲ, ରଜତ ନାଏକ, ଜେଜେ ରକ୍ଷା ପ୍ରମୁଖ ଜାଲ ବିଛାଇ ଥିଲେ।

ପୂର୍ବ ପ୍ରସ୍ତୁତି ଅନୁଯାୟୀ ଅଭିଯୋଗକାରୀ ବାରିକ କେମିକାଲ ବୋଳା ଟଙ୍କା ଦେବା ପରେ ଲୁଚି ରହିଥିବା ଭିଜିଲାନ୍‌ସ ଅଧିକାରୀ ମାନେ ଅଭିଯୁକ୍ତ ଡା. ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଚଢ଼ଉ ପରେ ଡାକ୍ତର ଦାଶଙ୍କ କଲୋନୀ ଘର ଉପରେ ଚଢଉ କରାଯାଇ ଆୟ ବର୍ହିଭୁତ ସଂପତ୍ତିର ହିସାବ କରାଯାଉଥିବା ଭିଜିଲାନ୍‌ସ ଅତିରିକ୍ତ ଏସ୍‌ପି ପ୍ରଧାନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର