ବ୍ରଜରାଜନଗର/ଝାରସୁଗୁଡ଼ା: ପଡ଼ୋଶୀ ରାଜ୍ୟ ଛତିଶଗଡ଼ ମହାନଦୀ ଉପରେ ଯେଭଳି ବେଆଇନ ବ୍ୟାରେଜ ନିର୍ମାଣ କରି ଚାଲିଛି, ଏହାର ପ୍ରଭାବ ଆଗାମୀ ଦିନରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର, ବେଲପାହାଡ଼, ଝାରସୁଗୁଡ଼ା ସହର ପାଇଁ ଜଳକଷ୍ଟ ବୃଦ୍ଧି ହେବା ସହ ଏହା ଚିନ୍ତାର କାରଣ ହେବ ବୋଲି ଏଠାରେ ଆୟୋଜିତ ସଭାରେ ଦେବୀପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି। ଏହି ୩ଟି ସହରକୁ ପାନୀୟ ଜଳ ଯୋଗାଣ ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଜଳଯୋଗାଣ ପାଇଁ ପ୍ରାୟ ୩ ଶହ କୋଟି ବ୍ୟୟ ଅଟକଳରେ ୩ଟି ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଛି। ଏହି ଜଳ ହୀରାକୁଦ ଡ୍ୟାମରୁ ଅଣାଯିବ।
ଛତିଶଗଡ଼ ସରକାରଙ୍କ ପକ୍ଷରୁ ସାରାଡିହି, କଲମା, ମିରୋନି, ସିଓରିନାରାୟଣ, ବସନ୍ତପୁର ଭଳି ବ୍ୟାରେଜ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ହୀରାକୁଦ ଡ୍ୟାମର ଅଣମୌସୁମି ସମୟରେ ଜଳର ଅଭାବ ହେବ ବୋଲି ଶ୍ରୀ ମିଶ୍ର ଆଶଙ୍କା ପ୍ରକାଶ କରିଥିଲେ। ଏହି ସଭାରେ ଅନୁପ ସାଏ, ସଞ୍ଜୟ ଦାସ, କିଶୋର ମହାନ୍ତି, ରବି ପାଣି ପ୍ରମୁଖ ଉଦ୍ବୋଧନ ଦେଇଥିଲେ। ଗୁରୁବାର ସକାଳ ୯ଟାରେ ମହାନଦୀ ମହାସଂଗ୍ରାମର ଅଭିଯାତ୍ରୀମାନେ ବ୍ରଜରାଜନଗର ବିଜୁ ପଟ୍ଟନାୟକ ଛକରେ ବିଜୁ ବାବୁଙ୍କ ପ୍ରତିର୍ମୂତ୍ତିରେ ମାଲ୍ୟାର୍ପଣ କରି ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ା ଯାଇଥିଲେ। ଟାଉନ ସଭାପତି ଜୟନ୍ତ ଦୀକ୍ଷିତ, ଯୁବ ସଭାପତି ମାନସ ସାହୁ, କାଉନ୍ସିଲର ଚିନ୍ତାମଣି ସାହୁ, ବିଜୟ ସିଂ, ଧୀରଜ ପାଣ୍ଡେ, ଗୁଡୁ ରାଓଲାନି ପ୍ରମୁଖ ଦଳର ଶତାଧିକ କର୍ମୀ ଶୁଭେଚ୍ଛା ଜଣାଇଥିଲେ।
ଏହି ବାଇକ ରାଲି ବୁଧବାର ସୁଖାସୋଢ଼ାରୁ ବାହାରିଲା ପରେ ଗୁରୁବାର ଝାରସୁଗୁଡ଼ା ଜିଲ୍ଲାରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ବାହାରିଛି। ଏହା ଜଗତସିଂହପୁର ଠାରେ ପହଞ୍ଚିବ। ଏହି ରାଲି ବୁଧବାର ବ୍ରଜରାଜନଗର ଠାରେ ରାତ୍ରୀଯାପନ କରିଥିଲା। ଗୁରୁବାର ସକାଳେ ଏହା ଝାରସୁଗୁଡ଼ା ଦେଇ ସମ୍ବଲପୁର ଅଭିମୁଖେ ବାହାରିଥିଲା। ଏହି ରାଲି ଝାରସୁଗୁଡ଼ା ପହଞ୍ଚିବା ପରେ ବିଭିନ୍ନ ଛକରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏଥିରେ ସଂଜୟଦାସ ବର୍ମା ଓ ଦେବୀ ମିଶ୍ର ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ଝାରସୁଗୁଡ଼ା ଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବହୁ ବିଜେଡି ନେତା ଓ କର୍ମୀ ଏଥିରେ ସାମିଲ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/water-crisis.jpg)