ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ସମରବଗା ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟିକା ରେବତୀ ସାହୁଙ୍କୁ ବିଭିନ୍ନ ସମୟରେ ପିଡିଏସ୍ ସାମଗ୍ରୀ ସହିତ ବସ୍ତା, ଟଙ୍କା ଆଦି ମାଗିବା ଏବଂ ନ ଦେଲେ ନ୍ୟୁଜ୍ କରିଦେବାର ଧମକ ଦେବା ଏପରିକି ତାଙ୍କ ସ୍ୱାମୀଙ୍କୁ ଜୀବନରେ ମାରିଦେବାର ଧମକ ଦେବା ଅଭିଯୋଗରେ ପୁଲିସ ଏକ ୱେବ୍ ଚ୍ୟାନେଲ୍ର ରିପୋର୍ଟର ରଞ୍ଜିତ ପ୍ରଧାନକୁ ଗିରଫ କରିଛି। ଏହି ଘଟଣାକୁ ନେଇ ଶ୍ରୀମତୀ ସାହୁ ଗତ ୩ ତାରିଖରେ ରେଙ୍ଗାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ରଞ୍ଜିତ ବିରେଧରେ ଆଇପିସି ଧାରା ୨୯୪, ୩୮୫ ଓ ୫୦୬ରେ ମାମଲା ରୁଜୁ ହୋଇଥିବା ତଦନ୍ତକାରୀ ଅଧିକାରୀ ବାଜୁ ପଟ୍ଟନାୟକ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ଶ୍ରୀମତୀ ସାହୁ କୁଡ଼ାବଗା ପଞ୍ଚାୟତ କୁରେଇମାଲ ଗାଁରେ ରୁହନ୍ତି। ଗତ ୭ ବର୍ଷ ହେବ ସେ ସମରବଗା ପଞ୍ଚାୟତର ଯୋଗାଣ ସହାୟିକା ଭାବେ କାର୍ଯ୍ୟ କରୁଛନ୍ତି। ସମରବଗା ଗ୍ରାମର ରଞ୍ଜିତ ବିଭିନ୍ନ ସମୟରେ ଯୋଗାଣ ସାମଗ୍ରୀ ଚାଉଳ, ଗହମ, ବସ୍ତା ଓ ଟଙ୍କା ମାଗିଥାଏ। ଏଥିରେ ସହଯୋଗ ନକଲେ ରେବତୀଙ୍କ ବିରୋଧରେ ନ୍ୟୁଜ୍ କରି ବଦନାମ କରିବାକୁ ଧମକ ଦିଏ। ଏପରିକି ସେ ଚାକିରିରୁ ବାହାର କରିଦେବାର ଧମକ ଦେଇ ଆସୁଥିବା ଶ୍ରୀମତୀ ସାହୁ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। କୁଡ଼ାବଗା ଗ୍ରାମର ଧନେଶ୍ୱର ନେଗୀଙ୍କୁ ପ୍ରବର୍ତାଇ ଯୋଗାଣ ସାମଗ୍ରୀ ଦେଇ ନଥିବା ଭଳି ଅଭିଯୋଗ କରିବା ସହ ଏହାକୁ ତାଙ୍କ ଚ୍ୟାନେଲ୍ରେ ପରିବେଷଣ କରି ବଦନାମ କରାଯାଇଥିବାର ପ୍ରୟାସ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଏଭଳି ଅପପ୍ରଚାର ନେଇ ରଞ୍ଜିତକୁ ପଚରିବାରୁ ସେ ଶ୍ରୀମତୀ ସାହୁଙ୍କୁ ଆଶ୍ରାବ୍ୟ ଭାଷାରେ ଗାଳି ଦେଇଥିଲା। ଏପରିକି ତାଙ୍କ ସ୍ୱାମୀକୁ ଜୀବନରେ ମାରି ଜଙ୍ଗଲରେ ଫିଙ୍ଗି ଦେବେ ବୋଲି ଧମକ ଦେଇଥିବା ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି। ଏଭଳି ନ୍ୟୁଜ୍ ଚ୍ୟାନେଲ୍ ଓ ରିପୋର୍ଟର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଥାନାରେ ଦାବି କରିଛନ୍ତି। ଏ ନେଇ ରେଙ୍ଗାଲି ଥାନା ଆଇଆଇସି ସାରଙ୍ଗ ପାଣିଗ୍ରାହୀଙ୍କୁ ପଚାରିବାରୁ ଅଭିଯୁକ୍ତ ରଞ୍ଜିତ ନାମରେ ପୂର୍ବରୁ ୪ଟି ମାମଲା ବିଚାରାଧୀନ ରହିଛି। ସେହିପରି ସେ ଥାନାରେ ଅସାମାଜିକଙ୍କ ତାଲିକାରେ ଥିବା ସେ କହିଛନ୍ତି। ପୁଲିସ ଏହା ଉପରେ ଅଧିକ ଅନୁସନ୍ଧାନ କରୁଥିବା ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଥିଲେ ।