ଝାରସୁଗୁଡ଼ା: ଝାରସୁଗୁଡ଼ାରେ ଶିଳ୍ପ ବର୍ଜ୍ୟବସ୍ତୁ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୁଣି ସହରର ମୁଖ୍ୟ ରାସ୍ତାରୁ ନେଇ କିଛି ସରକାରୀ ହସ୍ପିଟାଲ ପଛପାର୍ଶ୍ବରେ କୁଢ଼ କୁଢ଼ ମେଡିକାଲ ଆବର୍ଜନା ଦେଖିବାକୁ ମିଳୁଛି। ନିୟମାନୁସାରେ, ମେଡିକାଲ ଆବର୍ଜନାଗୁଡ଼ିକୁ ସ୍ବତନ୍ତ୍ର ଭାବେ ସଂଗ୍ରହ କରାଯାଇ ତାକୁ ନଷ୍ଠ କରାଯିବା କଥା। କିନ୍ତୁ ରାସ୍ତା କଡ଼ରେ ଥିବା ପାଥୋଲ୍ୟାବ୍‌, ଔଷଧ ଦୋକାନୀ ରକ୍ତଲଗା ତୁଳା, ବ୍ୟାଣ୍ଡେଜ୍‌ କନା, ବ୍ୟବହୃତ ସିରିଞ୍ଜ ଭଳି ବାୟୋ ମେଡିକାଲ୍‌ ବର୍ଜ୍ୟକୁ ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି। ସେପଟେ, ପାଥୋଲ୍ୟାବ୍‌ ଓ ନର୍ସିଂହୋମ୍‌ କର୍ମଚାରୀ ଅତି ଚତୁରତାର ସହିତ କଳା ପଲିଥିନ୍‌ରେ ଉକ୍ତ ଆବର୍ଜନାକୁ ଭର୍ତ୍ତି କରି ମ୍ୟୁନିସିପାଲିଟିର ଆବର୍ଜନା ଉଠାଇବା ଗାଡ଼ିରେ ପକାଇ ଦେଉଛନ୍ତି।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ସମସ୍ତ ସରକାରୀ ହସ୍ପିଟାଲର ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା ପାଇଁ ଏକ ଘରୋଇ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି। ଉକ୍ତ ସଂସ୍ଥା ଏବେ କାର୍ଡିଆକ୍‌ ହସ୍ପିଟାଲ ଓ ଜିଲ୍ଲାର କିଛି ଘରୋଇ ହସ୍ପିଟାଲର ବର୍ଜ୍ୟ ପରିଚାଳନା ଦାୟିତ୍ବ ମଧ୍ୟ ନେଇଛି।
ମାତ୍ର ନର୍ସିଂହୋମ୍‌, କ୍ଲିନିକ୍‌ ଓ ପାଥୋଲ୍ୟାବ୍‌ଗୁଡ଼ିକ ଏହି ବାୟୋ ମେଡିକାଲ ବର୍ଜ୍ୟ ପରିଚାଳନା ନିୟମକୁ ପାଳନ କରୁନଥିବା ଜଣାପଡ଼ିଛି।
ସରକାରୀ ରେକର୍ଡ ଅନୁସାରେ, ଜିଲ୍ଳାରେ ଥିବା ଘରୋଇ ହସ୍ପିଟାଲ, ନର୍ସିଂହୋମ୍‌, କ୍ଲିନିକ୍‌, ପାଥୋଲ୍ୟାବ୍‌ ସଂଖ୍ୟା ମାତ୍ର ୩୧ଟି ରହିଛି। ଏଥିରେ ୪ଟି ଘରୋଇ ହସ୍ପିଟାଲ, ୮ଟି ନର୍ସିଂହୋମ୍‌ ରହିଥିବା  ବେଳେ ଅନ୍ୟଗୁଡ଼ିକ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର, ପାଥୋଲ୍ୟାବ୍‌, ଅଲଟ୍ରାସାଉଣ୍ଡ ୟୁନିଟ ରହିଛି। କିନ୍ତୁ କେବଳ ଝାରସୁଗୁଡ଼ା ସହରର ଚିତ୍ରକୁ ଆଖି ଆଗକୁ ନେଲେ କୋର୍ଟ ଛକରୁ ସରବାହାଲ, ବେହେରାମାଲ ଛକରୁ ପ୍ରସନ୍ନ ପଣ୍ଡା ଛକ, ପୁରୁଣା ବସ୍‌ଷ୍ଟାଣ୍ଡ ଛକରୁ ପୂର୍ଣ୍ଣା ଯାଏ ୩୦ରୁ ଅଧିକ ପାଥୋଲ୍ୟାବ୍‌, କ୍ଲିନିକ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ଦେଖିବାକୁ ମିଳେ। ଏହାକୁ ବାଦ୍‌ ଦେଇ ବ୍ରଜରାଜନଗର, ବେଲପାହାଡ଼, ଲଖନପୁର, ବନ୍ଧବାହାଲ, ଲଇକେରା, କୋଲାବିରାରେ ମଧ୍ୟ ପାଥୋଲ୍ୟାବ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରର ଅଭାବ ନାହିଁ।
ବେଆଇନ୍‌ ଭାବେ ଖୋଲାଯାଇଥିବାରୁ ଏହି ଡାଇଗ୍ନୋଷ୍ଟିକ୍‌ ସେଣ୍ଟର, ପାଥୋଲ୍ୟାବ୍‌ ଆଦି ବର୍ଜ୍ୟ ପରିଚାଳନା ପାଇଁ କୌଣସି ସଂସ୍ଥା ସହିତ ଚୁକ୍ତି କରିବା ବି ସମ୍ଭବ ହେଉନି। ଯେଉଁ କିଛି ସଂସ୍ଥା ନିକଟରେ ବୈଧ ଲାଇସେନ୍ସ ରହିଛି ସେମାନେ ବର୍ଜ୍ୟ ପରିଚାଳନା ସମ୍ପର୍କିତ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ଇଚ୍ଛୁକ ନୁହଁନ୍ତି। ତେଣୁ ଦୋକାନ ସମ୍ମୁଖରେ ଆବର୍ଜନା ପକାଇ ପୋଡ଼ିଦେବା ନଚେତ୍‌ ଘରୋଇ ବର୍ଜ୍ୟ ଉଠାଉଥିବା ଗାଡ଼ିରେ ପକାଇଦେଉଥିବା ଜଣାପଡ଼ୁଛି। କିନ୍ତୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏହି ଅବୈଧ ପାଥୋଲ୍ୟାବ୍‌ ଓ ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଏଠାରୁ ନିର୍ଗତ ହେଉଥିବା ବର୍ଜ୍ୟର ସୁପରିଚାଳନା ହେଉଛି ନା ନାହିଁ ସେଦିଗରେ ପ୍ରଶାସନ ବି ଧ୍ୟାନ ଦେଉନି ବୋଲି ଅଭିଯୋଗ ହୋଇଛି।