ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗୌରମାଲ ଗ୍ରାମର ସୌମ୍ୟ ମେହେର(୨୪)ଙ୍କ ସ୍ତ୍ରୀ ଅଞ୍ଜନା ମେହେର(୨୨)ଙ୍କର ଶନିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ଶାଶୂଘର ଲୋକେ ଚିକିତ୍ସା ପାଇଁ ତାଙ୍କୁ ବ୍ରଜରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଅଞ୍ଜନାଙ୍କ ଶାଶୂଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକେ ତା’ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପୁଲିସ ବାପଘର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ଏକ ହତ୍ୟା ମାମଲା ରୁଜୁକରି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ତଦନ୍ତରେ ସହଯୋଗ ପାଇଁ ସାଇଣ୍ଟିଫିକ୍ ଟିମର ସହାୟତା ନେଇଛି। ଆସିଷ୍ଟାଣ୍ଟ କଲେକ୍ଟର ଦୁଷ୍ମନ୍ତ ମହାନ୍ତିଙ୍କ ଉପସ୍ଥିତିରେ ପଞ୍ଚନାମା କରାଯାଇ ଥିଲା। ରବିବାର ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାଯୋଗ୍ୟ, ଲୁଇସିଂହ ପଞ୍ଚାୟତ ଭୋଇମୁଣ୍ଡା ଗ୍ରାମର ଅଞ୍ଜନା ମେହେର ଓ ଗୌରମାଲର ସୌମ୍ୟ ମେହେରଙ୍କ ମଧ୍ୟରେ ଫେସବୁକ ମାଧ୍ୟମରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨ ବର୍ଷ ପରେ ପ୍ରେମ ସମ୍ପର୍କ ନିବିଡ଼ ହେବାରୁ ସେମାନେ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ ସେମାନେ ଗୋଟିଏ ବଂଶର ଏବଂ ଦୂର ସମ୍ପର୍କୀୟ ହୋଇଥିବାରୁ ବିବାହ ପାଇଁ ଝିଅ ପରିବାର ରାଜି ହୋଇ ନ ଥିଲେ। ଶେଷରେ ୨୫ ନଭେମ୍ବର ୨୦୨୨ ରାତିରେ ଅଞ୍ଜନା ଘରୁ ଲୁଚି ସୌମ୍ୟଙ୍କ ଘରକୁ ଗୌରମାଲ ଚାଲିଯାଇ ଥିଲେ। ଘଟଣା ଜଣାପଡ଼ିବା ପରେ ଗ୍ରାମବାସୀ ଓ ଜାତିଭାଇଙ୍କ ଉପସ୍ଥିତିରେ ଲେଖାପଢ଼ା ହୋଇ ଅଞ୍ଜନାଙ୍କ ପରିବାର ଲୋକେ ଝିଅକୁ ତ୍ୟାଗକରିବା ସହ ଝିଅଘରକୁ ଯାଉ ନ ଥିଲେ।

Advertisment

ଘଟଣା ସମ୍ପର୍କରେ ସୌମ୍ୟଙ୍କୁ ପଚାରିବାରୁ ସେ କହିଥିଲେ, ‘ଶୁକ୍ରବାର ରାତିରେ ସେମାନେ ସ୍ବାଭାବିକ ଭାବରେ ଖାଇପିଇ ଶୋଇଥିଲେ। ସକାଳୁ ଉଠି ସୌମ୍ୟ ନିକଟସ୍ଥ ପୋଖରୀକୁ ଯାଇଥିବା ବେଳେ ଅଞ୍ଜନା ଘରେ ଥିଲେ। ପୋଖରୀରୁ ଫେରି ଶୋଇଘର କବାଟ ଭିତରୁ ବନ୍ଦ ଥିବା ଦେଖି କବାଟ ଖୋଲିବା ପାଇଁ ଡାକିଥିଲେ। ହେଲେ ଅଞ୍ଜନା କବାଟ ନ ଖୋଲିବାରୁ ସେ ଝରକା ରେଲିଂ ତାଡ଼ି ଭିତରକୁ  ଯାଇଥିଲେ। ଭିତରେ ଅଞ୍ଜନା ବେକରେ ଓଢଣୀ ବାନ୍ଧି ଝୁଲୁଥିବା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକି ବ୍ରଜରାଜନଗର ହସ୍ପିଟାଲକୁ ଆଣିଥିବା କହିଥିଲେ। ତେବେ ଅଞ୍ଜନା କାହିଁକି ଆତ୍ମହତ୍ୟା କଲେ, ସେ ଜାଣି ନ ଥିବା ସୌମ୍ୟ କହିଛନ୍ତି।

ଅପରପକ୍ଷେ ଅଞ୍ଜନାଙ୍କୁ ହତ୍ୟାକରି ଆତ୍ମହତ୍ୟା ରୂପ ଦେବାକୁ ପ୍ରୟାସ କରାଯାଇ ଥିବା ତା’ଙ୍କ ଭାଇ ଅଭିଯୋଗ କରିଛନ୍ତି। ବର୍ଷକତଳେ ଅଞ୍ଜନାଙ୍କୁ ଫୁସୁଲାଇ ନେଇ ଯାଇଥିବା ଅଭିଯୋଗ କରିଛନ୍ତି। ସେ ଯିବା ସମୟରେ ଘରୁ ପ୍ରାୟ ୫ ଲକ୍ଷ ଟଙ୍କାର ସୁନାରୁପା ଗହଣା ଓ ନଗଦ ଟଙ୍କା ନେଇଯାଇ ଥିଲେ। ଯେଉଁଦିନ ଅଞ୍ଜନା ଘରୁ ଲୁଚି ସୌମ୍ୟ ଘରକୁ ଯାଇଥିଲେ, ବର୍ଷକ ପରେ ଠିକ୍ ସେହିଦିନରେ ତାଙ୍କ ମୃତଦେହ ଶାଶୂଘରୁ ବାହାରିଲା ବୋଲି କୋହଭରା କଣ୍ଠରେ ତାଙ୍କ ଭାଇ କହିଛନ୍ତି।