ଝାରସୁଗୁଡ଼ା: କଂଗ୍ରେସ ବିଧାୟକ ନବ ଦାସ ରବିବାର ନିଜ ନିର୍ବାଚନ ମଣ୍ଡଳୀର ଲଇକେରା ବ୍ଲକ ଅନ୍ତର୍ଗତ ହାତୀଆନାଳ ଚେକଡ୍ୟାମ ନିକଟରେ ଆୟୋଜିତ କର୍ମୀ ସମ୍ମିଳନୀରେ ସବଡିଭିଜନ ଦାବି ପ୍ରସଙ୍ଗ ପୁଣି ଥରେ ଉଠାଇଛନ୍ତି। ନବ ଦାସ ଆଜି ଯେଉଁ ସ୍ଥାନରେ କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ, କିଛି ଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଟାଣୁଆ ନେତା ହେମାନନ୍ଦ ବିଶ୍ୱାଳ ପୁରୁଣା ଦଳୀୟ କର୍ମୀଙ୍କୁ ନେଇ ସୌଜନ୍ୟତା ସହ ପ୍ରାସଙ୍ଗିକ ଆଲୋଚନା କରିଥିଲେ।

Advertisment

publive-image

ନବ ଯଦି କଂଗ୍ରେସ ଛାଡ଼ନ୍ତି ତେବେ କେଉଁ ଦଳରେ ଯୋଗ ଦେବେ ବା ସେ କାହିଁକି କଂଗ୍ରେସ ଛାଡ଼ିବେ ସେ ନେଇ ଶ୍ରୀ ଦାସ ଏ ପର୍ଯ୍ୟନ୍ତ କେଣସି ସ୍ପଷ୍ଟ କଥା କହୁନଥିବା ବେଳେ ମାଟି କଥା ଉଠାଇ ଚତୁରତାର ସହିତ ଏଭଳି ପ୍ରଶ୍ନକୁ ଏଡ଼ାଇ ଯାଉଛନ୍ତି। ଏପଟେ ସେ ଯଦି କଂଗ୍ରେସ ଦଳ ଛାଡ଼ିବେ ତେବେ ଜିଲ୍ଲାରେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେ ନେଇ ମଧ୍ୟ ଏବେଠାରୁ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ନବ ନିକଟରେ ତାଙ୍କ ସୁପୁତ୍ର ବିଶାଳ ଦାସଙ୍କୁ ରାଜନୀତିକୁ ଆଣିଛନ୍ତି। ବିଶାଳ ଅଧୁନା ଜିଲ୍ଲା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଦାୟିତ୍ୱରେ ରହିଛନ୍ତି। ଜିଲ୍ଲା କଂଗ୍ରେସ ସଂଗଠନର ସଂପୂର୍ଣ୍ଣ ନିୟନ୍ତ୍ରଣ ନବଙ୍କ ହାତରେ ରହିଥିବାରୁ ସେ ଯଦି କଂଗ୍ରେସ ତ୍ୟାଗ କରନ୍ତି ତେବେ କଂଗ୍ରେସ ଦାୟିତ୍ୱ ବିଶାଳ ସମ୍ଭାଳିବେ ନା ଦଳବଳ ନେଇ ନବ କଂଗ୍ରେସ ଛାଡ଼ି ଅନ୍ୟଦଳରେ ଯୋଗ ଦେବେ ତାହା ଏବେ ବଡ଼ ପ୍ରଶ୍ନବାଚୀ ହୋଇଛି।