ପ୍ରଶାସନ ଏବଂ ଯୋଗାଣ ବିଭାଗ ଦେଖାଇଲା ତତ୍ପରତା: ଝିଲ୍ଲୀଙ୍କୁ ମିଳିଲା ରାସନ କାର୍ଡ

ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ବତିସୁଆଁ ପଞ୍ଚାୟତର କୋରଡ଼ା ଗ୍ରାମର ଗରିବ ଆଦିବାସୀ ପରିବାର ଚୌଧୁରୀ ବୋଇତାଙ୍କ ସ୍ତ୍ରୀ ଝିଲି ବୋଇତା ୨ଟି ଶିଶୁଙ୍କୁ ଧରି ଭଙ୍ଗା ଚାଳିଆରେ ରହୁଥିଲେ। ଲଗାଣ ବର୍ଷାରେ ତାଙ୍କ ଘରଟି ସମ୍ପୂର୍ଣ ଭାଙ୍ଗିଯିବା ପରେ ଗାଁ ଲୋକଙ୍କ ସହାୟତାରେ ଗାଁ କ୍ଲବ୍‌ ଘରେ ବର୍ତ୍ତମାନ ରହୁଛନ୍ତି। ଚୌଧୁରୀ ଛେଳି ଚାରାଇ ପରିବାର ପ୍ରତିପୋଷଣ କରନ୍ତି। ତାଙ୍କର ଆଧାରକାର୍ଡ ଥିଲେ ମଧ୍ୟ ସେ ପାଞ୍ଚ ବର୍ଷ ହେଲା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇ ସରକାରୀ ଚାଉଳ ମଧ୍ୟ ପାଇବାରୁ ବଞ୍ଚିତ ହେଇଥିଲେ।

ଏସଂପର୍କରେ ‘ସମ୍ବାଦ’ରେ ରିପୋର୍ଟ ପ୍ରକାଶ ପାଇବା ପରେ ପାଲଲହଡ଼ା ବ୍ଲକ ପ୍ରଶାସନ ଏବଂ ଯୋଗାଣ ବିଭାଗର ତତ୍ପରତା ପ୍ରକାଶ ପାଇଥିଲା। ପାଳଲହଡ଼ା ବିଡ଼ିଓ ରବି ନାରାୟଣ ମାଝୀ ଚୌଧୁରୀକୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ତଦନ୍ତ କରି ରିପୋର୍ଟ୍‌ ପ୍ରଦାନ କରିବା ପାଇଁ ବତି ସୂଆ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ପାଳଲହଡ଼ା ଯୋଗାଣ ବିଭାଗ ନିରୀକ୍ଷକ ପିନ୍‌ଟୁ ବେହେରା ଏହି ଗରିବ ଆଦିବାସୀ ପରିବାରକୁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରି ଚାଉଳ ଓ କଣ୍ଟ୍ରୋଲ ସାମଗ୍ରୀ ପାଇବା ପାଇଁ ଆଜି ରାସନ୍‌ କାର୍ଡ ପ୍ରଦାନ କରିଥିଲେ। ଚୌଧୁରୀ ବୋଇତା ଏବଂ ତାର ପରିବାର ସମ୍ବାଦ, ପାଲଲହଡ଼ା ବ୍ଲକ ପ୍ରଶାସନ ଓ ଯୋଗାଣ ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର