ଜିଲ୍ଲା ପରିଷଦ ଉପନିର୍ବାଚନ: ବାଲେଶ୍ବରର ୨ଟି ଜୋନ୍‌ ପାଇଁ ନାମାଙ୍କନ ଭରିଲେ ୭ ପ୍ରାର୍ଥୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ୧୫ ନମ୍ବର ଜୋନ୍‌(ବସ୍ତା ବ୍ଲକ) ଏବଂ ୩୪ ନମ୍ବର ଜୋନ୍‌(ଭୋଗରାଇ ବ୍ଲକ)ରେ ଆସନ୍ତା ୨୮ ତାରିଖ ହେବାକୁ ଥିବା ଜିଲ୍ଲା ପରିଷଦ ସଭ୍ୟ ଉପନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଆଜି ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀମାନେ ନିଜ ଦଳର ନେତୃବୃନ୍ଦ ଓ କର୍ମୀଙ୍କ ସହ ଶୋଭାଯାତ୍ରାରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଥିବା ଦେଖାଯାଇଥିଲା। ତେବେ ୧୫ ନମ୍ବର ଜୋନ୍‌ ପାଇଁ ବିଜେଡିରୁ ମହାଦେବ ଦାସ, ବିଜେପିରୁ ଦେବାଶିଷ ମହାପାତ୍ର ଓ କଂଗ୍ରେସରୁ ସତ୍ୟନାରାୟଣ ଗୁପ୍ତା ନାମାଙ୍କନ ପତ୍ର ଭରିଥିବା ବେଳେ ୩୪ ନମ୍ବର ଜୋନ୍‌ ପାଇଁ ବିଜେଡିରୁ ରାଧିକାରାଣୀ ନାୟକ, ବିଜେପିରୁ ରବୀନ୍ଦ୍ରନାଥ ଜେନା, କଂଗ୍ରେସରୁ ରାଜେନ୍ଦ୍ର ଦଳେଇ ଓ ସ୍ବାଧୀନରୁ ଭଗବାନ ଚନ୍ଦ୍ର ବେହେରା ନାମାଙ୍କନ ଭରିଥିବା ଜଣାଯାଇଛି।

୧୫ ନମ୍ବର ଜୋନ୍‌ରେ ସମ୍ପୃକ୍ତ ୩ ପ୍ରାର୍ଥୀଙ୍କର ୫ ସେଟ୍‌ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ୩୪ ନମ୍ବର ଜୋନ୍‌ରେ ୮ ସେଟ୍‌ ନାମାଙ୍କନ ପତ୍ର ଦାଖଲ କରାଯାଇଛି। ଆସନ୍ତା ୬ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ୍‌ ହେବା ସହ ୮ ତାରିଖରେ ପ୍ରତ୍ୟାହାର ଏବଂ ୯ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଦୁଇଟି ଜୋନ୍‌ ଏହା ପୂର୍ବରୁ ବିଜେଡି ହାତରେ ରହିଥିଲା। ତେବେ ଉପନିର୍ବାଚନରେ ଦଳକୁ ମାତ ଦେବା ପାଇଁ କଂଗ୍ରେସ ଏବଂ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ବେଳେ ବିଜେଡି ପକ୍ଷରୁ ମଧ୍ୟ ଏହି ନିର୍ବାଚନ ଜିତିବା ପାଇଁ ଶକ୍ତ ରଣନୀତି ପ୍ରସ୍ତୁତ କରାଯାଇଥିବା ନେତୃବୃନ୍ଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବସ୍ତା ବ୍ଲକ ୧୫ ନମ୍ବର ଜୋନ୍‌ ଅଧୀନରେ ୯ଟି ପଞ୍ଚାୟତ ଯଥାକ୍ରମେ: ମଥାନୀ, ଗଡ଼ପଦା, ସଦାନନ୍ଦପୁର, ପତ୍ରଝଡ଼ା, ରାଉତପଡ଼ା, ବାହାର୍ଦା, ଦୁଧହଂସା, ବାସୁଚକୁଳାଇ ଓ କୁଡ଼ିଆ ରହିଥିବା ବେଳେ ଏଥିରେ ସମୁଦାୟ ଭୋଟର ସଂଖ୍ୟା ୩୯ହଜାର ୪୭୫ ରହିଛି। ସେହିପରି ଭୋଗରାଇ ବ୍ଲକ ୩୪ ନମ୍ବର ଜୋନ୍‌ ଅଧୀନରେ ପସରବିନ୍ଧା, କଖଡ଼ା, ସାହିଘବିପୁର, କୁମ୍ଭାରମୂଳୀ, ବାଜିତପୁର, ଗୁନାଇବସାଣ, ନିମାତପୁର, ବାରବାଟିଆ, ଜଳ‌ସହୋରିଆ ଆଦି ୧୦ଟି ପଞ୍ଚାୟତ ରହିଥିବା ବେଳେ ସେଥିରେ ଭୋଟର ସଂଖ୍ୟା ୪୯ହଜାର ୬୪୨ ରହିଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର