୮୭ ବର୍ଷ ବୟସରେ ହାରିଗଲେ ଜିରୁ ବାବା

ଜୟପୁର: ୮୭ ବର୍ଷ ବୟସରେ ବୈଦ୍ୟ ମହମ୍ମଦ ଜୁରାରତ ଆଜାଦ ଖାନ୍ନ (ଜିରୁ ବାବା) ହାର ମାନି ଆରପାରିକୁ ଚାଳି ଯାଇଛନ୍ତି। ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ପାରାବେଢ଼ା ଘରେ ହିଁ ଚିକିତ୍ସିତ ହେବା ସହ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ଆଜି ଦିନ ୧୧ଟା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ପରିବାରବର୍ଗ ପକ୍ଷରୁ ସୂଚନା ମିଳିଛି। ତାଙ୍କ ମୃତ୍ୟୁ ପରେ ଲୋକଙ୍କ ସେବାରେ ବ୍ରତୀ ହୋଇଥିବା ତିନି ପିଢ଼ୀ ଶେଷ ହୋଇଛି। ତାଙ୍କ ମୃତ୍ୟୁ ଖବର ଶୁଣି ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ ବହୁ ବୁଦ୍ଧିଜୀବୀ, ଗନ୍ୟମାନ୍ୟ ବ୍ୟକ୍ତି ମାନେ ଶୋକ ପ୍ରକାଶ କରିଛନ୍ତି।

୮୭ ବର୍ଷ ବୟସରେ ବି ଜିରୁ ବାବା ହାର ନ ମାନି ପାରିବାରିକ ପରମ୍ପରାକୁ ବଜାୟ ରଖି ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ତାଙ୍କ ନିକଟକୁ ଅବିଭକ୍ତ କୋରାପୁଟ ଜିଲ୍ଲା, କଳାହାଣ୍ଡି, ଛତିଶଗଡ଼ର ବସ୍ତର, ଜଗଦଲପୁର, ଆନ୍ଧ୍ରର ସାଲୁର, ପାର୍ବତୀପୁରମ, ବିଜୟନଗରମ, ବିଶାଖାପାଟଣା ପର୍ଯ୍ୟନ୍ତ ବିଭିନ୍ନ ରୋଗର ରୋଗୀ ଓ ତାଙ୍କ ସଂପର୍କୀୟ ମାନେ ବିଭିନ୍ନ ରୋଗରେ ଚିକିତ୍ସିତ ହେବା ଏବଂ ଔଷଧ ନେବା ପାଇଁ ଯିବା ଆସିବା କରୁଥିଲେ। ପ୍ରଥମେ ଜେଜେବାପା ମହମ୍ମଦ ମଉଜାର ଖାନ୍ନ ତା ପରେ ଜିରୁଙ୍କ ବାପା ମହମ୍ମଦ ସାତ୍ତର ଖାନ୍ନ ବୈଦ୍ୟ ଭାବେ କାମ କରି ଆସିଥିଲେ। ସେ ତାଙ୍କ ବାପା ସାତ୍ତର ଖାନ୍ନଙ୍କ ଠାରୁ ବୈଦ୍ୟ ବିଦ୍ୟା ଶିଖିଥିବା ଜିରୁ ଜୀବିତ ଥିବା ବେଳେ ସମ୍ବାଦକୁ କହିଥିଲେ।

Sambad

ଗତ ୫୧ବର୍ଷ ହେବ ସେ ପ୍ରାୟ ୧୦ହଜାର ଲୋକଙ୍କର ସେବା ସୁଶ୍ରସା କରିଥିବା ଏବଂ ଏଥିରେ ତାଙ୍କୁ ଆନନ୍ଦ ମିଳୁଛି ବୋଲି ବି ମୃତ ଜିରୁ ବାବା ସମ୍ବାଦକୁ କହିଥିଲେ। ସେ ରୋଗୀଙ୍କୁ ଚିକିତ୍ସା କରି କାହାରିକୁ ବି ଟଙ୍କା ମାଗୁନଥିଲେ। ଲୋକେ ଯାହା ଦେଲେ ଖୁସିରେ ନେଉଥିଲେ। ଗତ ମାସକ ତଳେ ସମ୍ବାଦରେ ଜିରୁବାବାଙ୍କ ସଂପର୍କରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେତେବେଳେ ସେ କହିଥିଲେ ଭଗବାନ ଜନ୍ମ ଦେଇଥିବା ମଣିଷ ଜୀବନ ହେଉଛି ସବୁ ଠାରୁ ଶ୍ରେଷ୍ଠ। ଏହି ମଣିଷ ଜୀବନକୁ ସୁସ୍ଥ, ବିକଶିତ ସମାଜ ଗଠନରେ ସାମିଲ କରି ମାନବ ସେବା ମାଧବ ସେବା କରିବାକୁ ଆହ୍ବାନ ଦେଇଥିଲେ ଜିରୁ ବାବା। ଘରୁ ବାହାରିଲେ ମାସ୍କ ପିନ୍ଧିବା, ସରକାରୀ ଗାଇଡ୍ ଲାଇନକୁ ମାନିବାକୁ ବି ସେ ଅନୁରୋଧ କରିଥିଲେ। ଏପରି ମହାନ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଶୋକ ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର