କରୋନା ମାଡ଼: କଞ୍ଚାମାଲ ଅଭାବ ସାଙ୍ଗକୁ ରପ୍ତାନି ବନ୍ଦ, ପ୍ରଥମ ଥର ଉତ୍ପାଦନ ବନ୍ଦ ରଖିଲା ଜେକେ କାଗଜକଳ 

ରାୟଗଡ଼ା: କରୋନା ମାଡ଼ର ପ୍ରଭାବ ଜେକେ କାଗଜକଳ ଉପରେ ପ୍ରଭାବ ପଡ଼ିଛି। କଞ୍ଚାମାଲ ଅଭାବ ସାଙ୍ଗକୁ ଉତ୍ପାଦିତ ସାମଗ୍ରୀ ରପ୍ତାନି ହୋଇପାରୁ ନ ଥିବାରୁ କଂପାନି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଉତ୍ପାଦନ ବନ୍ଦ ରଖିବାକୁ ଆଜି ଘୋଷଣା କରିଛି। ଉତ୍ପାଦନ ବନ୍ଦ ଘଟଣା କଂପାନି ଇତିହାସରେ ପ୍ରଥମ ହୋଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ବାର୍ଷିକ ୪.୫ ଲକ୍ଷ ଟନ୍ ଉତ୍ପାଦନ କ୍ଷମତା ରଖିଥିବା ଜେକେ କାଗଜକଳରୁ ଦୈନିକ ୫ ଶହ ଟନ୍ କାଗଜ ଉତ୍ପାଦିତ ହେଉଛି। କରୋନା ମୁକାବିଲା ପାଇଁ ସରକାର ଭାରତ ଲକଡାଉନ୍ ଘୋଷଣା କରିବା ପରେ କଂପାନିରୁ ଉତ୍ପାଦିତ ଦ୍ରବ୍ୟ ରପ୍ତାନିରେ ବାଧା ସୃଷ୍ଟି ହୋଇଥିଲା। ସମସ୍ତ ଦୋକାନ ବଜାର ସମେତ ବହୁ କଂପାନି ଓ ଅନୁଷ୍ଠାନ ବନ୍ଦ ଥିବାରୁ କଂପାନିର ବହୁ ଅର୍ଡର୍ ମଧ୍ୟ ଇତି ମଧ୍ୟରେ ବାତିଲ୍ ହୋଇଥି‌ଲା। ସେହିପରି ବିଶାଖାପାଟଣା ବନ୍ଦରରେ ବାହାରକୁ ଯିବା ପାଇଁ ପଡ଼ି ରହିଥିବା ମାଲ୍ ଖାଲି ହେଉନଥିବାରୁ କଂପାନିର ଚିନ୍ତା ବଢ଼ିଥିଲା। ଗାଡ଼ି ଚଳାଚଳ ବନ୍ଦ ଯୋଗୁ କଞ୍ଚାମାଲ ଆସିବାରେ ମଧ୍ୟ ବାଧା ଉପୁଜିଥିଲା।

କଂପାନି ପାଇଁ ଆବଶ୍ୟକ ୭୦ ପ୍ରତିଶତ କଞ୍ଚାମାଲ ଆନ୍ଧ୍ରପ୍ରଦେଶରୁ ଆସୁଥିବାରୁ ସୀମା ସିଲ୍ ପରେ ଶହ ଶହ ଟ୍ରକ୍ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅଟକି ରହିଛି। ଫଳରେ କଂପାନି ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଉନ୍ନତମାନର କାଗଜ ଉତ୍ପାଦନ ଲାଗି ବିଶ୍ବ ବଜାରରେ ଜେକେ ପେପରର ବହୁତ ଚାହିଦା ରହିଛି। କିନ୍ତୁ ରପ୍ତାନିରେ ସମସ୍ୟା ସାଙ୍ଗକୁ କଞ୍ଚାମାଲର ଅଭାବ ଯୋଗୁ କଂପାନି ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତ୍ତି ଉଚ୍ଚ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିବା କଂପାନିର ଲୋକ ସଂପର୍କ ବିଭାଗ ବରିଷ୍ଠ ପ୍ରବନ୍ଧକ ସୁନୀଲ କୁମାର ନାଥ ସୂଚନା ଦେଇଛନ୍ତି।

ଆଜିଠୁ ‘ବି’ ଓ ‘ସି’ ସିଫଟକୁ କଂପାନି ବନ୍ଦ କରି ଦେବା ସହ କାର୍ଯ୍ୟକ୍ଷମ ଥିବା ୫ଟି ମେସିନ୍ ଓ ଅନ୍ୟ ଯନ୍ତ୍ରପାତି ଗୁଡ଼ିକୁ ବନ୍ଦ କରିବା ପ୍ରକ୍ରିୟା ଆରମ୍ଭ କରିଛି। ସମସ୍ତ ମେସିନ୍ ବନ୍ଦ କରିବାକୁ ୨/୩ ଦିନ ଲାଗିବ ବୋଲି କଂପାନି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ବର୍ତ୍ତମାନ କଂପାନିରେ ଦୈନିକ ଓ ଚୁକ୍ତିଭିତ୍ତିକ ଭାବେ ୪ ହଜାର କର୍ମଚାରୀ କାର୍ଯ୍ୟରତ ଥିବାରୁ କରୋନା କବଳରୁ ବର୍ତ୍ତିବା ପାଇଁ ଗାଇଡ୍ ଲାଇନ୍ ଜାରି କରାଯାଇଛି। ଯେଉଁ କର୍ମଚାରୀ ଲକଡାଉନ୍ ନିଷ୍ପତ୍ତିକୁ ଉଲ୍ଲଂଘନ କରିଥିବା ପ୍ରମାଣିତ ହେଲେ ସଂପୃକ୍ତ କର୍ମଚାରୀଙ୍କ ଚଳିତ ବର୍ଷ ପଦୋନ୍ନତି ସାଙ୍ଗକୁ ଦରମା ବୃଦ୍ଧି ରୋକିବାକୁ କଂପାନି ଚେତାବନୀ ଦେଇଛି। କେବଳ ବିଦ୍ୟୁତ୍, ପାଣି ଯୋଗାଣ, ୟାର୍ଡ ରକ୍ଷଣାବେକ୍ଷଣ, ସଫେଇ ଓ ପରିମଳ ଭଳି ଜରୁରି କାମ ତୁଲାଇବାକୁ ଦୈନିକ ୨ ଶହ କର୍ମଚାରୀ ନିୟୋଜିତ ରହିବେ ବୋଲି କଂପାନି ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧିତ ଖବର