ବିଜେପି ଓ ବିଜେଡି ପଥରେ ଜେଏମଏମ; ମୟୂରଭଞ୍ଜ ହେଲା ଦୁଇ ସାଙ୍ଗଠନିକ ଜିଲ୍ଲା

ପୂର୍ବରେ ଚକ୍ରଧର ଓ ପଶ୍ଚିମରେ ସୁନୀଲ ଜିଲ୍ଲା ସଭାପତି

ବାରିପଦା: ବିଜେପି ଓ ବିଜେଡି ପଥରେ ଜେଏମଏମ। କେନ୍ଦ୍ର ଓ ରାଜ୍ୟରେ ଶାସନରେ ଥିବା ଉଭୟ ଦଳଙ୍କ ଭଳି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ମଧ୍ୟ ମୟୂରଭଞ୍ଜ ଜିଲ୍ଲା କମିଟିକୁ ଭାଙ୍ଗି ୨ଟି ସାଙ୍ଗଠନିକ ଜିଲ୍ଲାରେ ପରିଣତ କରିଛି। ପୂର୍ବ ଓ ପଶ୍ଚିମ ଜିଲ୍ଲା ଭାବେ ନବଗଠିତ ଦୁଇ ଜିଲ୍ଲା ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ରାଇରଙ୍ଗପୁର, କରଞ୍ଜିଆ, ଯଶିପୁର ଓ ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ପଶ୍ଚିମ ସାଙ୍ଗଠନିକ ଜିଲ୍ଲା ଗଠିତ। ସେହିପରି ବାରିପଦା, ବଡ଼ସାହି, ମୋରଡ଼ା, ଉଦଳା ଓ ବାଙ୍ଗିରିପୋଷି ବିଧାନସଭା ନିର୍ବାଚନମଣ୍ଡଳୀଗୁଡ଼ିକୁ ନେଇ ପୂର୍ବ ସାଙ୍ଗଠନିକ ଜିଲ୍ଲା ଗଠନ କରାଯାଇଥିବା ସୂଚନା ଦେଇଛନ୍ତି। ଦଳର ରାଜ୍ୟ ସଭାପତି ମହେଶ ହେମ୍ବ୍ରମ୍।  ଆଜି ଏନେଇ ବାରିପଦାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର କେନ୍ଦ୍ରୀୟ କମିଟି ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଫାଗୁ ହାଁସଦାଃଙ୍କ ସଂଯୋଜନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ପୂର୍ବ ସାଙ୍ଗଠନିକ ଜିଲ୍ଲାର ସଭାପତି ଭାବେ ଚକ୍ରଧର ସିଂ’ଙ୍କ ନାମ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟଯେ ଉଦଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମୟୂରଭଞ୍ଜ ଜିଲ୍ଲାପରିଷଦର ଏକ ନମ୍ବର ଜୋନ୍ରୁ ଶ୍ରୀ ସିଂ ଜେଏମଏମର ଏକମାତ୍ର ଜିଲ୍ଲାପରିଷଦ ସଦସ୍ୟ ଅଛନ୍ତି।  ସେହିପରି ଦାଶ ମାର୍ଣ୍ଡି ଓ ଆଦିକନ୍ଦ ମହାନ୍ତ ଉପସଭାପତି, ଶଙ୍କର ମୁର୍ମୁ ଓ ମଧୁସୂଦନ ଟୁଡୁ ସମ୍ପାଦକ ଏବଂ ଜଗନ୍ନାଥ ମାର୍ଣ୍ଡିଙ୍କୁ କୋଷାଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି। ପଶ୍ଚିମ ସାଙ୍ଗଠନିକ ଜିଲ୍ଲା ସଭାପତି ଭାବେ ସୁନୀଲ ମାଝିଙ୍କ ନାମ ଘୋଷଣା କରାଯାଇଛି। ଏଠାରେ ଭୀମସେନ ନାଏକ ଓ ସାଲୁ କିସ୍କୁ ଉପସଭାପତି, ଅସିତ ବେହେରା ସମ୍ପାଦକ ଏବଂ ବୀରେନ କୁମାର ଦାସ କୋଷାଧ୍ୟକ୍ଷ ରହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ଦଳ ସଙ୍ଗଠନ ସମ୍ପ୍ରସାରଣ ପୂର୍ବକ ଅନ୍ୟାନ୍ୟ ବିଭିନ୍ନ କମିଟିର ମୁଖ୍ୟଙ୍କ ନାମ ଘୋଷଣା କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ହେମ୍ବ୍ରମ ପ୍ରକାଶ କରିଛନ୍ତି। ଏଥିସହିତ କମିଟିରେ ଥିବା କର୍ମକର୍ତ୍ତାମାନେ କେବଳ ସଙ୍ଗଠନ ଦାୟିତ୍ୱ ନିର୍ବାହ କରିବେ। ସେମାନେ ନିର୍ବାଚନ ଲଢ଼ି ପାରିବେ ନାହିଁ । ଏହାଫଳରେ ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଧିକ ସଂଖ୍ୟକ ଦଳୀୟ ପ୍ରାର୍ଥୀଙ୍କ ବିଜୟ ମୁକୁଟ ପିନ୍ଧିବା ସହଜ ଓ ସରଳ ହୋଇ ପାରିବ ବୋଲି ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ, କେନ୍ଦ୍ରୀୟ କମିଟି ସଦସ୍ୟ ଗୋବିନ୍ଦ ସୋରେନ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସମ୍ବନ୍ଧିତ ଖବର