ରାଇରଙ୍ଗପୁର: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷା ଅଂଜନୀ ସୋରେନ ମାରାଣ୍ଡିଙ୍କ ନିର୍ଦ୍ଦେଶନାରେ ମୁର୍ମୁ ଛକ ସ୍ଥିତ ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି ସୁନୀଲ ମାଝୀଙ୍କ ସଭାପତିତ୍ବରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ସରକାରଙ୍କର ରାଜ୍ୟ କ୍ୟାବିନେଟ ବୈଠକରେ ଆଦିବାସୀ ଜମିକୁ ଅଣଆଦିବାସୀ କିଣି ପାରିବେ, ଉଚ୍ଚ ଶିକ୍ଷା ଲାଭ ପାଇଁ ଜମିକୁ ବ୍ୟାଙ୍କରେ ବନ୍ଧକ ଦେଇ ପାରିବେ, ସର୍ବସାଧାରଣ ଉଦେଶ୍ୟରେ ଆଦିବାସୀ ନିଜ ଜମିକୁ ଉପହାର ଦେଇପାରିବେ ବୋଲି ରାଜ୍ୟ କ୍ୟାବିନେଟ ବୈଠକରେ ମୋହର ଦିଆଯାଇଥିଲା, ଯାହାକି ରେଗୁଲେସନ ୨୧୯୫୬ କୁ ଉଲଙ୍ଘନ କରୁଅଛି, ତତସହିତ କେନ୍ଦ୍ର ସରକାରଙ୍କର ଜଙ୍ଗଲ ଅଧିନିୟମ ୨୦୨୩କୁ ମଧ୍ୟ ଆଲୋଚନା କରାଯାଇଥିଲା।
ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଦିବାସୀ ମାରଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ଏହାକୁ ଆଗାମୀ ଦିନରେ ତୀବ୍ର ବିରୋଧ କରାଯିବ ବୋଲିି ବୈଠକରେ ଆଲୋଚନା କରାଯାଇଥିଲା। ବାମନଘାଟୀ ଉପଖଣ୍ଡର ସମସ୍ତ ବ୍ଲକସ୍ତରରୁ ଜିଲ୍ଲାସ୍ତରୀୟ ପ୍ରଜନ୍ତ ଜନସଚେତନ କାର୍ଯ୍ୟକ୍ରମ କରି ଆନ୍ଦୋଳନ ମାଧ୍ୟମରେ ଭାରତର ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ବିଡ଼ିଓଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବ। ଯଦି ଆଗାମୀ ଦିନରେ ଆଦିବାସୀ ମାରଣ ନୀତି ନିୟମକୁ ଯଦି ପ୍ରତ୍ୟାହାର ନ କରାଯାଏ, ତା ହେଲେ ଆଗାମୀ ଦିନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳ ରାଜ ରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ନେଇଛି।
ବୈଠକରେ କେନ୍ଦ୍ରୀୟ କମିଟି ସଦସ୍ୟ ସାଲୁ କିସ୍କୁ, ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ଉପସଭାପତି ମଦନ ମାରାଣ୍ଡି, ଭୁବନ ଟୁଡୁ, ଜିଲ୍ଲା ପ୍ରବକ୍ତା ସୋନ୍ତଷ କୁମାର ମୁର୍ମୁ ଏବଂ ଵାମନଘାଟୀ ଉପଖଣ୍ଡର ସାତଟି ବ୍ଲକ୍ ର ସଭାପତି ଏବଂ ସମ୍ପାଦକ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଦଳର କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।