ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚାଗାଁ ପଂଚାୟତ ତଥା ଇନ୍ଦ୍ରାବତୀ ଜଳ ଭଣ୍ଡାର ଅପରପାର୍ଶ୍ୱରେ ରହୁଥିବା ତଳଙ୍ଗ ଗ୍ରାମର ୨୭ ଜଣ ହିତାଧିକାରୀଙ୍କୁ ବ୍ଲକ ପ୍ରଶାସନ ପକ୍ଷରୁ ଜବ କାର୍ଡ ପ୍ରଦାନ କରାଯାଇଛି | ତଳଙ୍ଗ ଗ୍ରାମବାସୀ ଇନ୍ଦ୍ରାବତୀ ନଦୀବନ୍ଧ ଯୋଜନା ପରଠୁ ଜଳଭଣ୍ଡାର ଅପର ପାର୍ଶ୍ୱରେ ରହି ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି | ଯାତାୟାତ ସୁବିଧା ନଥିବା ଯୋଗୁଁ ଗାଁ ରେ କୌଣସି ସରକାରୀ ଯୋଜନା ପହଂଚି ପାରୁନି | ଗାଁରେ ୩୫ଟି ପରିବାର ରହୁଥିବାବେଳେ ମାତ୍ର ୨ଟି ପରିବାରକୁ ଜବ କାର୍ଡ ମିଳିଥିଲା | ଫଳରେ ଗ୍ରାମବାସୀ ସରକାରଙ୍କ ମନରେଗା ଯୋଜନାରୁ ବଂଚିତ ରହି କୌଣସି କାମରେ ନିୟୋଜିତ ହୋଇପାରୁନଥିଲେ | ଏନେଇ ସମ୍ବାଦ ଖବରକାଗଜରେ ରୋଜଗାର ଦେବାରେ ମନରେଗା ବିଫଳ, ଗାଁରୁ ୨ ଜଣ ପାଇଛନ୍ତି ଜବ କାର୍ଡ ଶୀର୍ଷକରେ ଗତ ୩୦ ତାରିଖ ଦିନ ଏକ ବିସ୍ତୃତ ଖବର ସମ୍ବାଦରେ ପ୍ରକାଶ ପାଇଥିଲା | ଏହାପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ତଳଙ୍ଗ ଗ୍ରାମବାସୀଙ୍କୁ ଜବ କାର୍ଡ ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା | ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ତେନ୍ତୁଳିଖୁଣ୍ଟି ବିଡିଓ ମନୋଜ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗ୍ରାମ ରୋଜଗାର ସେବକ ଛବିଳ ହରିଜନ ସମସ୍ତ କାର୍ଯ୍ୟ ତୁଲେଇ ତଳଙ୍ଗ ଗ୍ରାମର ୨୭ ଜଣ ହିତାଧିକାରୀ ଙ୍କୁ ଜବ କାର୍ଡ ପ୍ରଦାନ କରିଛନ୍ତି |

Advertisment

ପୂର୍ବରୁ ତଳଙ୍ଗ ଗ୍ରାମର ଶଶୀ କମାର ଏବଂ ସନାଇ କମାରଙ୍କୁ ଛାଡିଦେଲେ ଅନ୍ୟ କୌଣସି ପରିବାରଙ୍କୁ ଜବ କାର୍ଡ ପ୍ରଦାନ ହୋଇନଥିଲା | ତେବେ ଖବର ପ୍ରକାଶ ପରେ ଆଜି ତଳଙ୍ଗ ଗ୍ରାମର ମାଗତା ଜାନି, ରାଧା କୋମାର, ତରାଇ ମୁଦୁଲି, ସୁରେନ୍ଦ୍ର ମୁଦୁଲି, କୃଷ୍ଣ ମୁଦୁଲି, ରାମଚନ୍ଦ୍ର ମୁଦୁଲି, ଲକ୍ଷ୍ମଣ ମୁଦୁଲି, ଯୁଧିଷ୍ଠିର କୋମାର, ବଇଦ କୋମାର, ମାତଲି ମୁଦୁଲି, ସୁନାମାଲ ମୁଦୁଲି, ଘସୀ ମୁଦୁଲି, ତୁମେଶ୍ୱର କୋମାର, ରାମଦାସ ମୁଦୁଲି, ସୀତାରାମ ମୁଦୁଲି, ଇଛାବତୀ ଜାନି, ଜଗଦୀଶ ମୁଦୁଲି, ଭଞ୍ଜ ମୁଦୁଲି, ରାଧା ମୋହନ କୋମାର, ଗୁରୁବାରୁ ମୁଦୁଲି, ଜିତୁ ନାୟକ, ବୁଦୁ ମୁଦୁଲି, ମନ ନାୟକ, ବାରୁ ମୁଦୁଲି, ମାଧବ କୋମାର, ରାଧା କୋମାର, ମଦନ ମୁଦୁଲି, ବିମଳା କୋମାରଙ୍କୁ ଜବ କାର୍ଡ ପ୍ରଦାନ କରାଯାଇଛି | ସେହିପରି ତଳଙ୍ଗ ଗ୍ରାମବାସୀଙ୍କ ନିମନ୍ତେ ଉକ୍ତ ଗ୍ରାମରେ ୧୦ ଲକ୍ଷ ଟଙ୍କାର ମନରେଗା କାର୍ଯ୍ୟ ବ୍ଲକ ପ୍ରଶାସନ ଆରମ୍ଭ କରିଥିବା ସୂଚନା ମିଳିଛି |