ରାଇରଙ୍ଗପୁର ଉପନିୟୋଜନ କାର୍ଯ୍ୟାଳୟକୁ ଯାଇ ହନ୍ତସନ୍ତ ଚାକିରି ଆଶାୟୀ

କାର୍ଯ୍ୟାଳୟରେ ୪ କର୍ମଚାରୀ ବଦଳରେ ଜଣଙ୍କରେ ଚାଲିଛି କାର୍ଯ୍ୟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପ-ନିୟୋଜନ କାର୍ଯ୍ୟାଳୟକୁ ଯାଇ ଚାକିରି ଆଶାୟୀ ଥିବା ଯୁବକ ଯୁବତୀ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ ଯେ, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ବାରିପଦା ଠାରେ ଥିବା ବେଳେ ସମସ୍ତ ଉପଖଣ୍ଡରେ ଗୋଟିଏ ଲେଖାଁଏ ଉପ ନିୟୋଜନ କାର୍ଯ୍ୟାଳୟ ରହିଛି। ତେବେ ବାମନଘାଟୀ ଉପଖଣ୍ଡର ରାଇରଙ୍ଗପୁରଠାରେ ୭ଟି ବ୍ଲକର ଚାକିରି ଆଶାୟୀ ଥିବା ଯୁବକ ଯୁବତୀ ମାନେ ନିଜର ସମସ୍ତ ଶିକ୍ଷାଗତ ପ୍ରମାଣ ପତ୍ର ପଞ୍ଜୀକରଣ କରିଥାନ୍ତି।

ପଞ୍ଜୀକରଣ କରିବା ପରେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରର ବିଭିନ୍ନ ସରକାରୀ କ୍ଷେତ୍ରରେ ଚାକିରି ପାଇଁ ଆବେଦନ କରିଥାନ୍ତି। ତେବେ ପୂର୍ବରୁ ପଞ୍ଜୀକରଣ ଅଫଲାଇନ ମାଧ୍ୟମରେ ହେଉଥିବା ବେଳେ କିଛିମାସ ପୂର୍ବରୁ ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ହେଉଅଛି। ଆଶାୟୀ ମାନେ ପ୍ରଥମେ ଜନସେବା କେନ୍ଦ୍ରରେ ଅନଲାଇନ ମାଧ୍ୟମରେ ଆବେଦନ କରିବା ପରେ ଯାଞ୍ଚ ପରେ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ।

ତେବେ ଉକ୍ତ ପଞ୍ଜୀକରଣ ପତ୍ରର ବୈଧତା ୩ ବର୍ଷ ରହୁଅଛି। ତେବେ ଯେଉଁ ମାନଙ୍କର ବୈଧତା ସରିଯାଇଛି ତାଙ୍କର ପଞ୍ଜୀକରଣ ପ୍ରମାଣ ପତ୍ର ପ୍ରଥମେ ରଦ୍ଧ କରିବା ପାଇଁ ଉପ-ନିୟୋଜନ କାର୍ଯ୍ୟାଳୟକୁ ଯିବା ପାଇଁ ପଡୁଛି। ତେବେ ଉକ୍ତ କାର୍ଯ୍ୟାଳୟରେ ୪ ଜଣ ବଦଳରେ ଜଣେ କର୍ମଚାରୀ ଥିବାରୁ ବିଭିନ୍ନ କାର୍ଯ୍ୟ ହୋଇ ପାରୁନାହିଁ। ଏହାବ୍ୟତିତ ଅଧିକାଂଶ ସମୟରେ ପଞ୍ଜୀକରଣ ପାଇଁ ଥିବା ୱେବସାଇଟ କାର୍ଯ୍ୟ କରୁନଥିବାରୁ ପଞ୍ଜୀକରଣ ପ୍ରମାଣ ପତ୍ର ରଦ୍ଧ ହୋଇପାରୁନି ଏବଂ ରଦ୍ଧ ନହେଲେ ସେମାନେ ପୁନଃର୍ବାର ପଞ୍ଜୀକରଣ କରି ପାରୁନହାଁନ୍ତି। ଯାହାଫଳରେ ଚାକିରି ଆଶାୟୀ ଥିବା ଯୁବକ ଯୁବତୀ ମାନେ କାର୍ଯ୍ୟାଳୟକୁ ଆସି ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି।

ଏନେଇ ରାଇରଙ୍ଗପୁର ଉପ-ନିୟୋଜନ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଖେଲା ମୁର୍ମୁଙ୍କୁ ଯୋଗାଯୋଗ କରିବାରୁ ୪ ଜଣ ପରିବର୍ତେ ସେ ଏକା କର୍ମଚାରୀ କାର୍ଯ୍ୟ କରୁଛନ୍ତି ଏବଂ ୱେବସାଇଟ କାର୍ଯ୍ୟ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି। ତେବେ ଆଶାୟୀ ଯୁବକ ଯୁବତୀଙ୍କ ଭବିଷ୍ୟତ ମଧ୍ୟ ଅନ୍ଧାର ହେବାର ଆଶଙ୍କା ରହିଛି। ଏଣୁ ଯଥାଶୀଘ୍ର ଉକ୍ତ ସମସ୍ୟାର ସମାଧାନ କରାଯାଉ ବୋଲି ଦାବି ହେଉଛି।

ସମ୍ବନ୍ଧିତ ଖବର