ସମ୍ବଲପୁର: ପାଣିନି ପ୍ରାଜ୍ଞ କଲଚରାଲ ଏକାଡେମି ସହ କରିଥିବା ୧୦ ବର୍ଷର ଚୁକ୍ତି ଖିଲାପ କରି ଫସି ଯାଇଛନ୍ତି ହାସ୍ୟ ଅଭିନେତା ଯୋଗେଶ୍ୱର ଉଗର ଓରଫ ଯୋଗେଶ ଜୋଜୋ। ଏନେଇ ତାଙ୍କୁ କୋର୍ଟରୁ ସମନ ଜାରି କରାଯାଇଛି। ଶୁକ୍ରବାର ଏକାଡେମିର ମୁଖ୍ୟ ପାଣିନି ପ୍ରାଜ୍ଞଙ୍କ ପକ୍ଷରୁ ସ୍ଥାନୀୟ ଡ୍ୟାନ୍‌ସ ଫ୍ଲୋରରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ତାଙ୍କ କହିବା ମୁତାବକ ୨୦୦୯ରେ ପାଣିନି ପ୍ରାଜ୍ଞ ନିର୍ଦ୍ଦେଶିତ ‘ପାଣିନି ପ୍ରାଜ୍ଞ କଲଚ୍ୟୁରାଲ ଏକାଡେମି’ ନାମକ ଏକ ଅନୁଷ୍ଠାନ ପ୍ରତିଷ୍ଠା ହୋଇଥିଲା। ଓଡ଼ିଶାରେ ହାସ୍ୟ ଅଭିନେତା ଭାବେ ଖ୍ୟାତି ଅର୍ଜନ କରିଥିବା ଜୋଜୋ ଏହି ଅନୁଷ୍ଠାନର ଛାତ୍ର ଥିଲେ।

Advertisment

ଗୁରୁ ଓ ଶିଷ୍ୟ ଉଭୟ ମିଳିତ ଭାବରେ ବହୁ ସ୍ଥାନରେ ଅଭିନୟ କରିଥିଲେ। ୨୦୧୨ରେ ଜୋଜୋ ପାଣିନିଙ୍କ ସହ କାମ କରିବାକୁ ଅନୁରୋଧ କରିବାରୁ ଉଭୟଙ୍କ ମଧ୍ୟରେ ୧୦ ବର୍ଷର ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା। ଚୁକ୍ତି ଅନୁଯାୟୀ ସେ ପାଣିନିଙ୍କ ବିନା ଅନୁମତିରେ କୌଣସି ପ୍ରଯୋଜନା ସଂସ୍ଥାରେ କାମ କରିପାରିବେ ନାହିଁ କିନ୍ତୁ ଜୋଜୋ ଓଡ଼ିଶାରେ ଜଣେ ପ୍ରତିଷ୍ଠିତ ଅଭିନେତା ହୋଇଯିବା ପରେ ୨୦୧୯ ଜାନୁଆରି ୧୯ରେ ପାଣିନିଙ୍କ ସହ କାମ କରିବାକୁ ସମ୍ପୂର୍ଣ୍ଣ ମନା କରି ଦେଇଥିଲେ।

ଏହାପରେ ପାଣିନି କୋର୍ଟରେ ଚୁକ୍ତିର ଖିଲାପ ହୋଇଥିବା କେସ୍‌ କରିବା ପରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ ଯୋଗେଶ ଜୋଜୋଙ୍କୁ ସମନ ଜାରି ହୋଇଛି। ଏନେଇ ତାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଚୁକ୍ତି ସମ୍ପୂର୍ଣ୍ଣ ମିଛ ବୋଲି ସେ କହିଥିଲେ। ତାଙ୍କ ପାଖରେ ଏନେଇ କୌଣସି ତଥ୍ୟ ନାହିଁ ଏବଂ ତାଙ୍କୁ ପାଣିନି ପ୍ରାଜ୍ଞ ଅନୁଷ୍ଠାନରୁ କୌଣସି ପାରିଶ୍ରମିକ ମିଳୁ ନଥିବାରୁ ସେ କାମ ଛାଡ଼ିଥିବା ମତାମତ ଦେଇଛନ୍ତି।