ସୁନ୍ଦରଗଡ଼: ଏନଟିପିସି ଡୁଲିଙ୍ଗା କୋଇଲା ଖଣି ବିସ୍ଫୋରଣରେ ସାନଘୁମୁଡ଼ା ପଞ୍ଚାୟତ ଖୁଟିଝରିଆ ଗାଁ ଥରୁଥିବା ଅଭିଯୋଗ ହୋଇଛି। ବେନିୟମ ଭାବେ ଗାଁଠାରୁ ମାତ୍ର ଶହେ ମିଟର ଦୂରରେ ଶକ୍ତିଶାଳୀ ବିସ୍ଫୋରଣ କରାଯାଉଥିବାରୁ ପ୍ରାୟ ୧୮ ଟି ଘରେ ଫାଟ ସୃଷ୍ଟି ହୋଇଥିବା ଓ ଖପର ପଡ଼ି ଯାଉଥିବା ପ୍ରଭାବିତ ପ୍ରକାଶ କରିଛନ୍ତି। ଏ ନେଇ ଗାଁ ଲୋକେ ଅନେକ ଥର କମ୍ପାନି କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିବା ପରେ ବି ନଶୁଣିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ନିୟମ ଅନୁସାରେ, ଜନବସତିଠାରୁ ୫ ଶହ ମିଟର ଦୂରରେ ବିସ୍ଫୋରଣ କରାଯିବା କଥା।
କିନ୍ତୁ କମ୍ପାନି ଏହାକୁ ଉଲ୍ଲଂଘନ କରି ବିସ୍ଫୋରଣ କରିଚାଲିଥିବାବେଳେ ଗାଁ ଲୋକେ ଆଶଙ୍କାରେ ରହିଛନ୍ତି। ଅଭିଯୋଗ ପାଇ ସୋମବାର ସନ୍ଧ୍ୟାରେ ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣସମ୍ପାଦକ ଯୋଗେଶ କୁମାର ସିଂ ଖୁଟିଝରିଆ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ଏନଟିପିସି ମହାପ୍ରବନ୍ଧକଙ୍କୁ ଫୋନ୍ କରି ତାଗିଦ୍ କରିଥିଲେ। ୭ ଦିନ ମଧ୍ୟରେ ପଦକ୍ଷେପ ନିଆ ନଗଲେ ଖଣି ବନ୍ଦ କରି ଦିଆଯିବ ବୋଲି ଶ୍ରୀ ସିଂ ଚେତାବନୀ ଦେଇଥିଲେ। ଏ ନେଇ ଶ୍ରୀ ସିଂ ମଙ୍ଗଳବାର ଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ଏନଟିପିସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।