ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ ଅଧ୍ୟକ୍ଷତାରେ ବୀରମହାରାଜପୁରଠାରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ହେମନ୍ତ ପାଢ଼ୀ ଶିବିରରେ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ବନ୍ଧୀୟ ୯୦ ଟି ପଞ୍ଜୀକୃତ ଅଭିଯୋଗ ଗ୍ରହଣ କରିଥିଲେ। ସେଥିମଧ୍ୟରେ ୮୪ଟି ବ୍ୟକ୍ତିଗତ ଓ ୬ଟି ସାମୂହିକ ଅଭିଯୋଗ ଥିଲା। ନୂଆ ଜିଲ୍ଲାପାଳ ଶ୍ରୀ ରାୟ ଏଠାରେ ତା’ଙ୍କ ପ୍ରଥମ ଅଭିଯୋଗ ଶୁଣାଣି ନିଆରା ଭାବରେ କରିଥିଲେ।

Advertisment

ସମସ୍ୟାଗୁଡ଼ିକର ଆଶୁ ସମାଧାନ ପାଇଁ ଅଭିଯୋଗକାରୀ ଓ ସମ୍ପୃକ୍ତ ବିଭାଗର ପ୍ରଶାସନିକ ଅଧିକାରୀଙ୍କୁ ଏକାଠି ବସାଇ ତା’ର ସମାଧାନ କରିଥିଲେ। ୧୮ ଟି ଅଭିଯୋଗର ତୁରନ୍ତ ସମାଧାନ ହୋଇଥିବା ବେଳେ ଅନ୍ୟଗୁଡ଼ିକର ମଧ୍ୟ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପାଖକୁ ପଠାଯାଇଛି। ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର, ବୀରମହାରାଜପୁର ଉପ ଜିଲ୍ଲାପାଳ ଅଶୋକ ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଶ୍ୱରଞ୍ଜନ ପତି, ଡିଇଓ ଲକ୍ଷ୍ମଣ ଭୋଇ, ସିଏସଓ ସୁରେଶ ପାଣିଗ୍ରାହୀ, ଶିଶୁ ସୁରକ୍ଷାଧିକାରୀ ବିଜୟ ବିଶ୍ୱାଳ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଏସଡିପିଓ ଡୋଲାମଣି ଭୋଇ, ବୀରମହାରାଜପୁର ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ତହସିଲଦାର ବିବୁଧ ଗଡ଼ନାୟକ, ଅତିରିକ୍ତ ତହସିଲଦାର ସ୍ୱାଗତ ପଣ୍ଡା, ବିଭିନ୍ନ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ମଧ୍ୟ ଶିବିରରେ ସାମିଲ ଥିଲେ।