କେନ୍ଦ୍ର ସରକାରଙ୍କ ଯୁଗ୍ମ ଶାସନ ସଚିବଙ୍କ ପ୍ରସ୍ତାବିତ ପାଇକ ସ୍ମାରକୀ ପରିଦର୍ଶନ ଓ ସମୀକ୍ଷା

ଖୋର୍ଦ୍ଧା: କେନ୍ଦ୍ର ସରକାରଙ୍କ ଯୁଗ୍ମ ଶାସନ ସଚିବ ତଥା ଭାରତୀୟ ପ୍ରତ୍ନତାତ୍ୱିକ ବିଭାଗର ପରିଚାଳକ ସଂଯୁକ୍ତା ମୁଦଗଲ ଆଜି ଖୋର୍ଦ୍ଧା ଜିଲ୍ଲା ଗସ୍ତ କରିଛନ୍ତି । ଖୋର୍ଦ୍ଧା ଉପକଣ୍ଠ ବରୁଣେଇ ପାହାଡ଼ ତଳେ ପ୍ରସ୍ତାବିତ ପାଇକ ସ୍ମାରକୀ ସ୍ଥଳ ପରିଦର୍ଶନ କରିବା ସହ ଜମି ଅଧିଗ୍ରହଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଆଜି ପୂର୍ବାହ୍ଣରେ ଶ୍ରୀମତି ମୁଦଗଲ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରୁ ସେ ପ୍ରସ୍ତାବିତ ପାଇକ ସ୍ମାରକୀ ଅଂଚଳ ପରିଦର୍ଶନରେ ଯାଇଥିଲେ ।

ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ୯.୬୮୫ ଏକର ଜମିର ଅଧିଗ୍ରହଣ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ସେଠାରୁ ଫେରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମି ଓ ନିର୍ମାଣ ପାଇଁ ପାଣ୍ଠି ଆଦି ସମ୍ପର୍କରେ ସମୀକ୍ଷା କରିଥିଲେ । ଏନେଇ ରାଜ୍ୟ ସରାକରଙ୍କ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି ଯେ ରାଜ୍ୟ ସରକାର ଘୋଷଣା କରିଥିବା ସମସ୍ତ ଜାଗାର ଚିହ୍ନଟ ଓ ଅଧିଗ୍ରହଣ ଶେଷ ହୋଇଛି । ବର୍ତମାନ ଏହି ଜମି ରାଜସ୍ୱ ବିଭାଗ ନିକଟରେ ରହିଛି ।

ଆଜିର ଏହି ଗସ୍ତବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ସନତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସ ପଟ୍ଟନାୟ, ତହସିଲଦାର ପଦ୍ମଚରଣ ସାହୁଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର