ବାଙ୍କୀ: ସଂଘବଦ୍ଧ ଆକ୍ରମଣରେ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ସାମ୍ବାଦିକଙ୍କ ମୃତ୍ୟୁ

ବାଙ୍କୀ: କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ ଆଜି ଅପରାହ୍ନରେ ନୂଆଗାଁ ସରପଞ୍ଚଙ୍କ ସ୍ୱାମୀ ଓ ଜଣେ ସାମ୍ବାଦିକଙ୍କୁ ଖଜୁରୀପଦା ଠାରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିବା ଜଣାଯାଇଛି। ଆକ୍ରମଣରେ ୱେବ୍‌ ଚ୍ୟାନେଲ୍‌ର ସାମ୍ବାଦିକ ଆଦିତ୍ୟ ରଣସିଂ ଓ ନୂଆଗାଁ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମୀ ଭଗବାନ ସ୍ୱାଇଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଦିତ୍ୟ ରଣସିଂ, ଭଗବାନ ସ୍ୱାଇଁ ଓ ଅନ୍ୟ ଜଣେ ଯୁବକ ଆଜି ସକାଳୁ ଘରୁ ବାହାରି ବାଙ୍କୀ ଯାଇଥିଲେ। ସେମାନେ କାମ ସାରି ଅପରାହ୍ନରେ ଏକ ବୁଲେଟ୍‌ରେ ଘରକୁ ଫେରୁଥିଲେ। ବାଙ୍କୀ ବୈଦ୍ୟନାଥ ପୁଲିସ ଥାନା ଅନ୍ତର୍ଗତ ଖଜୁରୀପଦା ଠାରେ ସେମାନେ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣ ସମୟରେ ବୁଲେଟରୁ କୌଣସି ପ୍ରକାରରେ ଜଣେ ଲୋକ ଖସିଯାଇଥିଲେ। ଫଳରେ ସେ ବର୍ତ୍ତି ଯାଇଥିଲେ। ମାତ୍ର ସାମ୍ବାଦିକ ଓ ସରପଞ୍ଚଙ୍କ ସ୍ୱାମୀଙ୍କୁ ୪ରୁ ୫ ଜଣ ଲୋକ ନୃଶଂସ ଭାବେ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଆକ୍ରମଣରେ ସାମ୍ବାଦିକ ଆଦିତ୍ୟ ରଣସିଂଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ବେଳେ ଗୁରୁତର ଅବସ୍ଥାରେ ଭଗବାନ ସ୍ୱାଇଁଙ୍କୁ କଟକ ବଡ଼ମେଡିକାଲ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଭଗବାନ ସ୍ୱାଇଁଙ୍କୁ ଡାକ୍ତରମାନେ ବହୁ ଉଦ୍ୟମ କରି ମଧ୍ୟ ବଞ୍ଚାଇ ପାରି ନ ଥିଲେ।

ଆକ୍ରମଣ ସଂପର୍କିତ ସୂଚନା ପାଇ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଆଦିତ୍ୟଙ୍କ ମୃତଦେହ ଜବତ କରିଥିଲା ବେଳେ ଏସ୍‌ସିବିରୁ ଅନ୍ୟ ଏକ ମୃତଦେହ ଜବତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା ବେଳେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଦେଇଛି। ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ପାରିପାର୍ଶ୍ୱିକ ଅବସ୍ଥାକୁ ନେଇ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର