ସାମ୍ବାଦିକଙ୍କ କାର ଭାଙ୍ଗିବା ଘଟଣାକୁ ନେଇ ଜୟଦେବ ପ୍ରେସ କ୍ଲବର ନିନ୍ଦା

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠ ବାଳକାଟି ଅଞ୍ଚଳର ଜଣେ କାର୍ଯ୍ୟରତ ସାମ୍ବାଦକଙ୍କ କାର ଭାଙ୍ଗିବା ଘଟଣାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଉକ୍ତ ସାମ୍ବାଦିକଙ୍କ କାର ଆଗପଟ କାଚ ଦୁର୍ବୃତ୍ତମାନେ କିଛିଦିନ ପୂର୍ବେ ଭାଙ୍ଗି ଦେଇଥିଲେ । ଗତ ରବିବାର ବିଳମ୍ବିତ ରାତିରେ ପୁଣି କାରର ପଛପଟ କାଚକୁ ପଥରରେ ଛେଚି ଭାଙ୍ଗି ଦେଇଛନ୍ତି । ଏସଂପର୍କରେ ସଂପୃକ୍ତ ସାମ୍ବାଦିକ ବାଳକାଟି ଫାଣ୍ଡିରେ ଦୁଇଥର ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏଯାଏ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇପାରି ନାହିଁ ।

ଅଭିଯୋଗ ଗ୍ରହଣ କରି ପୁଲିସ କେବଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ପରେ ହାତବାନ୍ଧି ବସିଛି । ହେଲେ ସନ୍ଦିଗ୍ଧ ଅପରାଧିମାନଙ୍କୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇପାରି ନାହିଁ । ଜୟଦେବ ପ୍ରେସ କ୍ଲବ ପକ୍ଷରୁ ଦୁର୍ବୃତ୍ତମାନଙ୍କ କାରଭଙ୍ଗା ଘଟଣାକୁ ଦୃଢ଼ ନିନ୍ଦା କରାଯାଇଛି । ଆଜି ଅପରାହ୍ନରେ ସଂଗଠନ ପକ୍ଷରୁ ଏନେଇ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନିରଞ୍ଜନ ସେନାପତି ବୈଠକରେ ସଭାପତିତ୍ବ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ବଟକୃଷ୍ଣ ମହାପାତ୍ର , ପିତବାସ ଦାଶ, ଲୁକେଶ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ । ସାମ୍ବାଦିକଙ୍କ କାରଭଙ୍ଗା ଘଟଣାର ନିରପେକ୍ଷ ତଦନ୍ତ କରି ପୁଲିସ ଦୁର୍ବୃତ୍ତମାନଙ୍କ ବିରୋଧରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସମସ୍ତ ସଦସ୍ୟ ପୁଲିସ କମିସନରଙ୍କୁ ଭେଟି ଜଣାଇବେ ବୋଲି ନିଷ୍ପତ୍ତି ହୋଇଥିଲା । ଅନୁରୂପ ଭାବେ ଜୟଦେବ ବିଧାୟକ ଡ.ଅରବିନ୍ଦ ଢାଲିଙ୍କ ସମେତ  ସ୍ଥାନୀୟ ସରପଞ୍ଚ ଭାଗ୍ୟଧର ନନ୍ଦୀ ଓ ଯୁବନେତା ଅରବିନ୍ଦ ସାହୁ ପ୍ରମୁଖଙ୍କ ସମେତ ବିଧାୟକଙ୍କ ପତିନିଧି ଅଚ୍ୟୁତାନନ୍ଦ ପାତ୍ର ପ୍ରମୁଖ ମଧ୍ୟ ଘଟଣାର ତୀବ୍ର ନିନ୍ଦା କରିଛନ୍ତି । ପ୍ରାପ୍ତ ସୂଚନା ମୁତାବକ ନିଶା ବ୍ୟବସାୟୀମାନଙ୍କ ବିରୋଧରେ ପ୍ରକାଶିତ ଖବର ଘଟଣାକୁ ନେଇ ଦୁର୍ବୃତ୍ତମାନେ ସାମ୍ବାଦିକଙ୍କୁ ଟାର୍ଗେଟ କରିଛନ୍ତି ।

ସମ୍ବନ୍ଧିତ ଖବର