ମାଲକାନଗିରିରେ ସାମ୍ବାଦିକଙ୍କୁ ଦିଆଗଲା କରୋନା ଟୀକା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ସାମ୍ବାଦିକ ମାନଙ୍କୁ ଆଜି କରୋନା ଟୀକା ପ୍ରଦାନ କରାଯାଇଛି। ରାଜ୍ୟ ସରକାର ସାମ୍ବାଦିକ ମାନଙ୍କୁ ଆଗଧାଡିର କରୋନା ଯୋଦ୍ଧା ଭାବେ ଘୋଷଣା କରିବା ପରେ ବିଭିନ୍ନ ଜିଲ୍ଲାରେ ସାମ୍ବାଦିକ ମାନଙ୍କୁ କରୋନା ଟୀକା ପ୍ରଦାନ ଆରମ୍ଭ ହୋଇଥିଲା। ତେବେ ମାଲକାନଗିରି ଜିଲ୍ଲାରେ ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ଆଜି କରୋନା ଟୀକା ପ୍ରଦାନ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଥିଲା।

Sambad

ଏହି କ୍ରମରେ ଆଜି ଜିଲ୍ଲା ସଦର ମହକୁମାର ଜିଲ୍ଲା ହସପିଟାଲରେ ଆଜି ଅପରାହ୍ନରେ ଶତାଧିକ ସାମ୍ବାଦିକଙ୍କୁ କରୋନା ଟୀକା ପ୍ରଦାନ କରାଯାଇଥିଲା। ମେଡିକାଲର କରୋନା ଭ୍ୟାକ୍ସିନ୍‌ ଇନଚାର୍ଜ ସିଲୁ ପ୍ରହରାଜଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରାୟ ଦେଡଶହରୁ ଉର୍ଦ୍ଧ୍ବ ସାମ୍ବାଦିକ ଟୀକା ଗ୍ରହଣ କରିଥିଲେ। ଆଉ ଯେଉଁ ସାମ୍ବାଦିକ ମାନେ ଆଜି ଟୀକା ନେବାରୁ ବଂଚିତ ହୋଇଛନ୍ତି ସେମାନେ ଆଗାମୀ ଦିନରେ ଟୀକା ମେଡିକାଲକୁ ଯାଇ ନେଇପାରିବେ ବୋଲି କୁହାଯାଇଛି। ମାଲକାନଗିରି ସାମ୍ବାଦିକ ମାନଙ୍କ ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

ସମ୍ବନ୍ଧିତ ଖବର