କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ

କୋରାପୁଟ : ରାଜ୍ୟରେ ପୁଣି ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ କରୋନା । କୋରାପୁଟ ଜିଲ୍ଲା ଜୟପୁରର ସୁମିତ ଅନକା କରୋନାରେ ସଂକ୍ରମିତ ହୋଇ  ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ୩୪ ବର୍ଷ ବୟସ୍କ ସୁମିତ ଅନକାଙ୍କ ମୃତ୍ୟୁ ଖବର ପରେ ଜୟପୁରରେ ଶୋକର ଛାୟା ଖେଳିଯାଇଛି ।

ସୁମିତ ଦୈନିକ ଖବରକାଗଜ ପାୟୋନିଅରର ବିଶାଖାପାଟଣା ପ୍ରତିନିଧି ଭାବେ କାମ କରୁଥିଲେ । ପୂର୍ବରୁ ଇଂରାଜୀ ଖବର କାଗଜ ଡେକାନ କ୍ରୋନୋକିଲରେ କ୍ରାଇମ ରିପୋର୍ଟର ଭାବେ ସୁମିତ କାମ କରିଥିଲେ । ତେବେ ଗତ ଏପ୍ରିଲ ୨୨ରେ ତାଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା। ଏହାପରେ ସେ କରୋନା ପରୀକ୍ଷା କରିବାରୁ ତାଙ୍କର ରିପୋର୍ଟ ପିଜିଟିଭ ଆସିଥିଲା । ସଙ୍ଗେ ସଙ୍ଗେ ତାଙ୍କୁ କୋଭିଡ କେୟାର ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ୨୪ ତାରିଖରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଶାଖାପାଟଣା ସ୍ଥିତ ଭିମସ୍ ନାମକ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟା ୬ଟାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଉଥିବା ବେଳେ  ଦୈନିକ କରୋନା ସଂକ୍ରମଣ ୧୦ ହଜାର ମୁହାଁ ହୋଇଛି । ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୯୮୮୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୫୬୧୧ଜଣ ସଙ୍ଗରୋଧରୁ ଓ ୪୨୭୮ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର