ଅନୁଗୁଳରେ ଜେଏସପିଏଲ ଦ୍ଵାରା ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଆରମ୍ଭ

ଭୁବନେଶ୍ବର : ଅନୁଗୁଳରେ ଜେଏସପିଏଲ ପକ୍ଷରୁ ଏକ କୋଭିଡ୍ କେୟାର ସେଣ୍ଟର ଖୋଲାଯ଼ାଇଛି । ଏହାକୁ ଆଜି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ଓଡିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ  ନବ କିଶୋର ଦାସ ଏବଂ ଜେଏସପିଏଲ୍ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି।

ଏହି କୋଭିଡ କେୟାର ସେଣ୍ଟରରେ ୧୦ଟି ନନ୍-ଇନଭାସିଭ ଭେଣ୍ଟିଲେସନ୍ ବେଡ୍ ଓ ପାଞ୍ଚଟି ଆଇସିୟୁ ବେଡ୍ ୨୭୦ ମେଡିକାଲ ଅକ୍ସିଜେନ ସଂଯୁକ୍ତ ଶଯ୍ୟା ସହିତ ରହିଛି ।

ଏହି କୋଭିଡ କେୟାର ସେଣ୍ଟରକୁ ଉଦଘାଟନ କରିବା ଅବସରରେ ଶ୍ରୀ ପ୍ରଧାନ କୋଭିଡ-୧୯ ମହାମାରୀ ମୁକାବିଲାରେ ଜେଏସପିଏଲ୍ ର ସହଯୋଗକୁ ପ୍ରଶଂସା କରିବା ସହିତ ଦେଶର ବିଭିନ୍ନ ଡାକ୍ତରଖାନାକୁ ତରଳ ମେଡିକାଲ ଅମ୍ଳଜାନ ଯୋଗାଇବାରେ ପାଇଁ ସେ ଜେଏସପିଏଲର ଚେୟାରମ୍ୟାନ୍  ନବୀନ ଜିନ୍ଦଲଙ୍କୁ ଧନ୍ୟବାଦ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିଥିଲେ ଯେ ୨୦୩୦ ସୁଦ୍ଧା ଅନୁଗୁଳରେ ୨୫ ଟି ଗଞଚଇ କ୍ଷମତା ବିଶିଷ୍ଠ ବିଶ୍ଵର ସର୍ବ ବୃହତ ଇସ୍ପାତ କାରଖାନା ନିର୍ମାଣ ପାଇଁ ଜେଏସପିଏଲ ର ଦୂରଦୃଷ୍ଟି ନିଶ୍ଚିତ ଭାବରେ ସ୍ଥାନୀୟ ଅଂଚଳର ବିକାଶରେ ସହାୟକ ହେବ । ଅନୁଗୁଳବାସୀଙ୍କ ପାଇଁ ଜେଏସପିଏଲ ଦ୍ଵାରା ସ୍ଥାପନ କରାଯାଇଥିବା ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟରରେ ଥିବା ବିଭିନ୍ନ ସୁବିଧାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ମହାମାରୀର ମୁକାବିଲାରେ ସହଯୋଗ ପାଇଁ ଓଡିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଦାସ ମଧ୍ୟ ଜେଏସପିଏଲଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୁଳ କଲେକ୍ଟର ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୁଳ ଏସପି ଜଗମୋହନ ମୀନା, ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଭି.ଆର. ଶର୍ମା, ଜେଏସପିଏଲ ଅନୁଗୁଳ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

କୋଭିଡ-୧୯ ପ୍ରଭାବିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ କୋଭିଡ କେୟାର ସେଣ୍ଟର ସ୍ଥାପନ କରିବାରେ ଜେଏସପିଏଲ ହେଉଛି ଓଡିଶାର ପ୍ରଥମ ବୃହତ୍ତ ଶିଳ୍ପାନୁଷ୍ଠାନ ।

ସମ୍ବନ୍ଧିତ ଖବର