ନିର୍ମାଣଧୀନ ଦ୍ବିତୀୟ ବ୍ରାହ୍ମଣୀ ସେତୁ, ସୁପର ସ୍ପେସିଆଲିଟି ହସ୍ପିଟାଲ ସ୍ଥିତି ଅନୁଧ୍ୟାନ କଲେ ଜୁଏଲ

ରାଉରକେଲା : ବହୁ ପ୍ରତୀକ୍ଷିତ ନିର୍ମାଣଧୀନ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍‌ ସୁପର ସ୍ପେଶିଆଲିଷ୍ଟ ହସ୍ପଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ ଓରାମ। ଶ୍ରୀ ଓରାମ ଜିଲ୍ଲା ବିଜେପି ସଭାନେତ୍ରୀ ଲତିକା ପଟ୍ଟନାୟକ ସମେତ ଦୁଇ ପ୍ରକଳ୍ପର ବିଭାଗୀୟ ଅଧିକାରୀଙ୍କ ସହ ନିର୍ମାଣଧୀନ ପ୍ରକଳ୍ପଗୁଡ଼ିକ ବୁଲି ଦେଖିଥିଲେ। ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ନିର୍ଦ୍ଧାରିତ ସମୟ ପୂର୍ବରୁ ଦୁଇଟି ପ୍ରକଳ୍ପ ଶେଷ କରିବାକୁ ଠିକା ସଂସ୍ଥାକୁ କହିଥିଲେ।

ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ହସ୍ପିଟାଲ ନିର୍ମାଣ କାମ କୋଭିଡ୍‌ କଟକଣା ପାଇଁ କାମ ସାମାନ୍ୟ ବାଧାପ୍ରାପ୍ତ ହୋଇଛି। କୋଭିଡ କଟକଣା ଉଠିବା ପରେ ହୋଇଥିବା କାମକୁ ନେଇ ଶ୍ରୀ ଓରାମ ସନ୍ତୋଷ ବ୍ୟକ୍ତ କରିଥିଲେ। ଜମି ଅଧିଗ୍ରହଣ ବିଳମ୍ବ ହେତୁ ବ୍ରାହ୍ମଣୀ ସେତୁର କାର୍ଯ୍ୟ ବିଳମ୍ବ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଯାହା ହୋଇଛି ତାହା ସନ୍ତୋଷଜନକ। ବ୍ରାହ୍ମଣୀ ସେତୁ, ହସ୍ପିଟାଲରର ଚାଲିଥିବା କାମରେ କ’ଣ କ’ଣ ଅସୁବିଧା ରହିଛି ସେ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିଶ୍ରୁତି ମୁତାବକ ଦୁଇଟି ପ୍ରକଳ୍ପର ନିର୍ମାଣ କାମ ଚାଲିଛି।

ସୂଚନାଯୋଗ୍ୟ, ଗତ ୨୦୧୫ ଏପ୍ରିଲ ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଜିଏଚ୍‌ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ, ଦ୍ବିତୀୟ ବ୍ରାହ୍ମଣୀ ସେତୁ ଘୋଷଣା କରିଥିଲେ। ଘୋଷଣା ପରେ ମଧ୍ୟ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ନ ହେବାରୁ ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ପରେ ଅର୍ଥାତ୍‌ ୨୦୧୭ ଜୁଲାଇ ୨୧ରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ସମେତ ବୀରମିତ୍ରପୁର ଭାୟା ରାଜାମୁଣ୍ଡା ପର୍ଯ୍ୟନ୍ତ ଚାରି ଥାକିଆ ରାସ୍ତା ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡଗରୀ ୧୨୬ କି.ମି. ରାସ୍ତା ଓ ଦ୍ବିତୀୟ ବ୍ରାହ୍ମଣୀ ସେତୁର ଶିଳାନ୍ୟାସ କରି ଥିଲେ।

ସମ୍ବନ୍ଧିତ ଖବର