ବାପାଙ୍କ ଶ୍ରାଦ୍ଧ ପୂର୍ବରୁ ଝୁଲିପଡ଼ିଲେ ବିଚାରପତି

ଆତ୍ମହତ୍ୟାର କାରଣ କେବଳ ତାଙ୍କ ପତ୍ନୀ ହିଁ କହିପାରିବେ: ସୁବାସଙ୍କ ଭଉଣୀ

କଟକ/ଯାଜପୁର: ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଝୁଲନ୍ତା ମୃତଦେହ ଆଜି କଟକସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି | ମିଳିଥିବା ସୂଚନା ମୁତାବକ ସିଡିଏ ସ୍ଥିତ ବାସଭବନରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ କଟକର ଏକ ବେସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା ଓ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ | ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ଆତ୍ମହତ୍ୟାରେ ବ୍ୟବହୃତ ରଶିକୁ ଜବତ କରିଛି | ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି | ଆଉ ସୁବାସଙ୍କ ମୃତ୍ୟୁ ପରେ ତାଙ୍କ ପୈତୃକ ଗାଁ ଯାଜପୁରର ବିହାରୀ ମଠ ଗାଁରେ ଶୋକର ଛାୟା ଖେଳିଯାଇଛି |

ସୁବାସଙ୍କ ପରିବାର ସଦସ୍ୟଙ୍କ କହିବା ମୁତାବକ ଆଜି ତାଙ୍କ ବାପାଙ୍କ ଶ୍ରାଦ୍ଧ ହେବାକୁ ଥିବାବେଳେ ସେ କିନ୍ତୁ ଆସିନଥିଲେ | ସେ ଭୁବନେଶ୍ୱର ପଞ୍ଚାୟତର ବିହାରୀ ମଠ ଗାଁରେ ଜନ୍ମ ଗ୍ରହଣ କରିଥିଲେ । ସୁବାସ ସେସଦେଵ ବାସନ୍ତୀ ସରକାରୀ ବିଦ୍ୟାଳୟରେ ପାଠ ପଢିଥିଲେ ।

ତେବେ ଘରେ ତାଙ୍କ ମା ଆଉ ସାନ ଭାଇ ରହୁଥିବା ବେଳେ ବିଚାରପତି ସୁବାସ ବିହାରୀ କଟକରେ ରହନ୍ତି । ସେ ଯାଜପୁରର ବିରଜା ଆଇନ ମହାବିଦ୍ୟାଳୟରେ ପାଠ ପଢିବା ପରେ ଯାଜପୁରରେ ଲ ପ୍ରାକ୍ଟିସ କରିବା ପରେ ଓ଼ଜେଏସରେ କୃତକାର୍ଯ୍ୟ ହେବା ପରେ ୨୦୦୪ରେ ଚାକିରି ପାଇଥିଲେ | ସୁବାସଙ୍କ ଭଉଣୀ ସୁମିତ୍ରା ବିହାରୀ କହିଛନ୍ତି ଯେ ଆତ୍ମହତ୍ୟାର କାରଣ କେବଳ ତାଙ୍କ ପତ୍ନୀ ହିଁ କହିପାରିବେ |

ସମ୍ବନ୍ଧିତ ଖବର