ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ଦାବି ନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଦିଲ୍ଲୀସ୍ଥିତ କାର୍ଯ୍ୟାଳୟରେ କେନ୍ଦ୍ର ସ୍ମାସ୍ଥ୍ୟମନ୍ତ୍ରୀ ମନସୁଖ ଭାଇ ମାଣ୍ଡବ୍ୟଙ୍କୁ ସାକ୍ଷାତ କରି ଶ୍ରୀ ଓରାମ ଏ ସଂକ୍ରାନ୍ତରେ ଆଲୋଚନା କରିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସ୍ମାରକପତ୍ରରେ ଦର୍ଶାଇଛନ୍ତି, ୨୦୧୩‌ରେ ରାଜ୍ୟ ସରକାର ଏନ୍‌ଟିପିସି ସହ ଏଠାରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚୁକ୍ତିନାମା କରିଥିଲେ। ପ୍ରସ୍ତାବିତ ମେଡ଼ିକାଲ କଲେଜରେ ବିଦ୍ୟାର୍ଥୀଙ୍କ ପାଇଁ ୧୦୦ଟି ସିଟ୍‌ ସହ ରୋଗୀମାନଙ୍କ ପାଇଁ ୫୦୦ ଶଯ୍ୟା ଓ ଆଧୁନିକ ଯନ୍ତ୍ରପାତି ମଧ୍ୟ ରହିଛି।

Advertisment

୨୦୧୬-୧୭ରେ ନାମ ଲେଖାଇବାର ଯୋଜନା ଥିଲା। ଏହା ମଧ୍ୟରେ ୭ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ପାରିନାହିଁ। କେବଳ କୋଭିଡ୍‌ର ପ୍ରଥମ ଓ ଦ୍ବିତୀୟ ଲହର ବେଳେ ଏହା ସ୍ଥାନୀୟ ଓ ପଡୋଶୀ ରାଜ୍ୟର ଲୋକଙ୍କୁ ଚିକିତ୍ସା ଯୋଗାଇଦେବା ସହ ଟିକାକରଣ କରାଇ ପାରିଛି। ଶ୍ରୀ ଓରାମ ଆହୁରି କହିଛନ୍ତି ଯେ ସୁନ୍ଦରଗଡ଼ରେ ମେଡ଼ିକାଲ କଲେଜ ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେବା କାରଣରୁ ରାଜ୍ୟ ସରକାର ଜନସାଧାରଣଙ୍କ ଅସନ୍ତୋଷର ଶିକାର ହେଇଛନ୍ତି। ଲୋକଙ୍କ ଆକ୍ରୋଶରୁ ବଞ୍ଚିବାକୁ ଓଡ଼ିଶା ସରକାର ଏଠାରେ ଓଡ଼ିଶାର ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ମେଡ଼ିକାଲ କଲେଜ ସଂଲଗ୍ନ ୨୦୦ ଏକର ଜମି ସହ ଆଂଶିକ ଆର୍ଥିକ ଅନୁଦାନ ଦେବାକୁ ଓଡ଼ିଶା ସରକାର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଏହା ମଧ୍ୟରେ ଓଡ଼ିଶା ସରକାରଙ୍କ ଅନୁରୋଧ ରକ୍ଷା କରି ଏକ କେନ୍ଦ୍ରୀୟ ଉଚ୍ଚ ପର୍ଯ୍ୟବେକ୍ଷକ ଦଳ ମଧ୍ୟ ଅନୁଧ୍ୟାନ କରି ଯାଇସାରିଛନ୍ତି। ସୁନ୍ଦରଗଡ଼ରେ ଏମ୍‌ସ୍‌ ପ୍ରତିଷ୍ଠା ହେଲେ ପଶ୍ଚିମ ଓଡ଼ିଶାର ଲୋକଙ୍କ ସମେତ ପଡୋଶୀ ଛତିଶଗଡ ଓ ଝାଡ଼ଖଣ୍ଡର ସୀମାବର୍ତ୍ତୀ ଲୋକମାନେ ମଧ୍ୟ ଏକ ଜାତୀୟ ସ୍ତରର ଡାକ୍ତରଖାନାରେ ଚିକିତ୍ସା ସେବା ପାଇ ପାରିବେ ବୋଲି ଶ୍ରୀ ଓରାମ କହିଛନ୍ତି।