ମନ୍ତ୍ରୀ ଶୂନ୍ୟ କରି ଜିଲ୍ଲାକୁ ପଛୁଆ ରଖିବାକୁ ଚାହୁଛନ୍ତି ନବୀନ: ଜୁଏଲ

ସୁନ୍ଦରଗଡ଼: ‘ଖଣିଜ ସମ୍ପଦରେ ଆଗୁଆ ସୁନ୍ଦରଗଡ଼କୁ ମନ୍ତ୍ରୀ ଶୂନ୍ୟ କରି ଜିଲ୍ଲାକୁ ପଛୁଆ ରଖିବାକୁ ଚାହୁଛନ୍ତି ନବୀନ। ଆଦିବାସୀଙ୍କ ପ୍ରତି ବିଜେଡି ସରକାରର ଏହା ସିଧାସଳଖ ଉପେକ୍ଷା। ଜିଲ୍ଲାବାସୀ ଭୋଟ ଦେଇ ନଥିବାରୁ ନବୀନ ବାବୁ ଏପରି ପ୍ରତିଶୋଧ ନେଉଛନ୍ତି କି’ ବୋଲି ବିଜେଡି ସରକାରଙ୍କୁ କଟାକ୍ଷ କରିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ। ଆଜି ସୁନ୍ଦରଗଡ଼ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ବଜେଟ ସମ୍ପର୍କରେ ଆଲୋଚନା କଲା ବେଳେ ଶ୍ରୀ ଓରାମ ନବୀନ ସରକାରଙ୍କୁ ଏପରି ସମାଲୋଚନା କରିବା ସହ ‘ମୁଖ୍ୟମନ୍ତ୍ରୀ ଗୋଟିଏ ଦିନ ପାଇଁ ମାଳମାଳ ମନ୍ତ୍ରୀଙ୍କୁ ଧରି ସୁନ୍ଦରଗଡ଼ ଆସି କି ବିକାଶ କରିବେ’ ବୋଲି ପ୍ରଶ୍ନ କରିଥିଲେ।

ବିଜେଡିରେ ମଙ୍ଗଳା, ବିଜେପିରେ ଜୁଏଲ ଓ କଂଗ୍ରେସରେ ଜର୍ଜଙ୍କୁ ଉପେକ୍ଷା କଲେ ଦଳ ଆଗେଇବ କି ବୋଲି ସେ କହିଥିଲେ। ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଗସ୍ତର ଅବ୍ୟବହିତ ପୂର୍ବରୁ ଜୁଏଲଙ୍କ ଏ କଟାକ୍ଷ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଭୋଜପୁରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ବଜେଟ ସମ୍ପର୍କରେ ଶ୍ରୀ ଓରାମ ପୃଥକ ପୃଥକ ଭାବେ ସୁନ୍ଦରଗଡ଼ର ବୁଦ୍ଧିଜୀବୀ ଓ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ ଜିଲ୍ଲାକୁ ବିଭିନ୍ନ ଯୋଜନାରେ ୧୦ ହଜାର କୋଟି ଦିଆଯାଇଥିବା ପ୍ରକାଶ କରିଥିଲେ।

ବିଶେଷ କରି ଜାତୀୟ ରାଜପଥ, ରେଳପଥ, ଜିଲ୍ଲାରେ ସ୍ବାସ୍ଥ୍ୟ ପ୍ରୟୋଗଶାଳା, ସବୁ ବ୍ଲକରେ ୩୫ କୋଟି ଲେଖାଏଁ ବ୍ୟୟରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ସ୍ବାସ୍ଥ୍ୟ, ରାସ୍ତାର ଉନ୍ନତି, ଚାଷୀଙ୍କୁ ସହଜରେ ଋଣ ପ୍ରଦାନ ଓ ମଣ୍ଡିଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ମୋଦୀ ସରକାର ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। କିନ୍ତୁ ବହୁ ସମୟରେ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପର ମଞ୍ଜୁରି ଓ ଜମି ଅଧିଗ୍ରହଣକୁ ପକାଇ ରଖି ଜିଲ୍ଲା ଓ ରାଜ୍ୟର ବିକାଶକୁ ପଛକୁ ଠେଲି ଦେଇଥିବା ଶ୍ରୀ ଓରାମ ଅଭିଯୋଗ କରିଥିଲେ। ସାମ୍ବାଦିକ ସମ୍ମିଳନୀରେ ତଳସରା ବିଧାୟକ ତଥା ଜିଲ୍ଲା ସଭାପତି ଭବାନୀଶଙ୍କର ଭୋଇ ଉପସ୍ଥିତ ଥିଲେ।

ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥ ପ୍ରସଙ୍ଗକୁ ଏଡ଼ାଇଗଲେ
କେନ୍ଦ୍ର ବଜେଟରେ ଏଥର ମଧ୍ୟ ସୁନ୍ଦରଗଡ଼ବାସୀଙ୍କ ସ୍ବପ୍ନର ବହୁ ପ୍ରତୀକ୍ଷିତ ଝାରସୁଗୁଡ଼ା-ଅମ୍ବିକାପୁର ରେଳପଥ ସ୍ଥାନ ପାଇ ନାହିଁ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଜୁଏଲ ଓରାମ ‘ଆଗାମୀ ବଜେଟରେ ଏହି ରେଳପଥ ନିର୍ମାଣ ପାଇଁ ଅର୍ଥ ବରାଦ କରାଯିବ’ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ଯାହା ସୁନ୍ଦରଗଡ଼ବାସୀଙ୍କ ମନରେ ଆଶା ସଞ୍ଚାର କରିଥିଲା। ଜୁଏଲ ରେକର୍ଡ ଭୋଟରେ ବିଜୟୀ ହୋଇଥିଲେ। କିନ୍ତୁ ଲୋକଙ୍କ ଆଶା ଏଥର ମଧ୍ୟ ଫଳବତୀ ହୋଇପାରି ନଥିବାରୁ ସୁନ୍ଦରଗଡ଼ବାସୀଙ୍କ ମନରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ବଜେଟ ଆଲୋଚନା ବେଳେ ତାକୁ ଆଧାର କରି ସାମ୍ବାଦିକମାନେ ସାଂସଦ ଜୁଏଲଙ୍କୁ ତାଙ୍କ ପୂର୍ବ ପ୍ରତିଶ୍ରୁତିକୁ ମନେ ପକାଇ ଦେଇ ‘ଏ ରେଳପଥ କାହିଁକି ବଜେଟରେ ସ୍ଥାନ ପାଇଲା ନାହିଁ’ ବୋଲି ପଚାରିଥିଲେ। ପ୍ରଥମେ ଶ୍ରୀ ଓରାମ ସର୍ଭେ ପାଇଁ ଟଙ୍କା ଦିଆଯାଇଛି ବୋଲି କହିଥିଲେ। କିନ୍ତୁ ସାମ୍ବାଦିକମାନେ କେତେ ଟଙ୍କା ଦିଆଯାଇଛି ଓ କେବେ ସର୍ଭେ ହେବ ବୋଲି ପଚାରିବାରୁ ସେ ପ୍ରସଙ୍ଗକୁ ଏଡ଼ାଇ ଯାଇ କେବଳ ବଜେଟ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର