ସୁନ୍ଦରଗଡ଼ ଏମ୍ସ ପ୍ରସଙ୍ଗରେ ମୁହଁ ବୁଲାଇନେଲେ ଜୁଏଲ !

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ରକୁ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ପରେ କେନ୍ଦ୍ରୀୟ ବୈଷୟିକ ଟିମ୍ର ଏନଟିପିସି ମେଡିକାଲ ଓ ହସ୍ପିଟାଲର ଭିତ୍ତିଭୂମି ଅନୁଧ୍ୟାନ ଓ ରିପୋର୍ଟ ପ୍ରଦାନ, ଏହା ପରେ ହଠାତ ରାଜ୍ୟ ସରକାର ‘ଏମ୍ସ’ ପ୍ରସଙ୍ଗକୁ ଆଡ଼େଇ ନିଜେ ମେଡିକାଲ କଲେଜ ଖୋଲିବାକୁ ଏକ ପ୍ରକାର ନିଷ୍ପତ୍ତି ନେବାର ପୂରା ଘଟଣାକ୍ରମ ପଶ୍ଚିମ ଓଡ଼ିଶାବାସୀଙ୍କୁ ଭିନ୍ନ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଅବହେଳିତ ପଶ୍ଚିମ ଓଡ଼ିଶାକୁ ‘ଏମ୍ସ’ର ସ୍ବପ୍ନ ଦେଖାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କେଉଁ ଏକ ଅଦୃଶ୍ୟ ଚାପରେ ସେଥିରୁ ଓହରି ଯିବାକୁ ଭିତିରି ପ୍ରକ୍ରିୟା ଆରମ୍ଭ କରିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏହିକ୍ରମରେ ବିଜେପିର ଆଭିମୁଖ୍ୟ ଆଡ଼କୁ ଅଙ୍ଗୁଳି ଉଠାଇଛନ୍ତି ସୁନ୍ଦରଗଡ଼ବାସୀ। ରବିବାର ପଶ୍ଚିମାଞ୍ଚଳ ଏକତା ମଞ୍ଚର ‘ସମ୍ବଲପୁରୀ ଦିନ୍’ ଉତ୍ସବରେ ଯୋଗ ଦେବାକୁ ସୁନ୍ଦରଗଡ଼ ଆସିଥିବା ସାଂସଦ ଜୁଏଲ ଓରାମଙ୍କୁ ଏ ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ ସେ କୌଣସି ଉତ୍ତର ନଦେଇ ମୁହଁ ବୁଲାଇ ଚାଲିଯାଇଥିଲେ। ଚର୍ଚ୍ଚା ହେଉଛି, ସାଂସଦ ଶ୍ରୀ ଓରାମ ସୁନ୍ଦରଗଡ଼ ନୁହେଁ, ରାଉରକେଲା ଠାରେ ଏମ୍ସ ପ୍ରତିଷ୍ଠା କରିବାକୁ ଚାହୁଛନ୍ତି। ମୂଳରୁ ଭିନ୍ନ ଆଭିମୁଖ୍ୟପୋଷଣ କରି ଆସୁଥିବା ସାଂସଦ ଜୁଏଲ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପରେ ପରେ ‘ରାଜ୍ୟରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଅସମ୍ଭବ କହି ପ୍ରସ୍ତାବକୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ। ଅବଶ୍ୟ ପରବର୍ତ୍ତୀ ସମୟରେ ସେ ନିଜ ପ୍ରତିକ୍ରିୟାକୁ ସଂଶୋଧିତ କରି ‘ରାଜ୍ୟ ସରକାର ପ୍ରଥମେ ନିଜ ଅପାରଗତାକୁ ସ୍ବୀକାର କରି ଏନଟିପିସି ସହ କରିଥିବା ଚୁକ୍ତିନାମାକୁ ପ୍ରତ୍ୟାହାର କରିନିଅନ୍ତୁ, ତା’ ପରେ ଆମେ ସୁନ୍ଦରଗଡ଼ରେ ଏମ୍ସ କରିବୁ’ ବୋଲି କହିଥିଲେ। ଏମ୍ସକୁ ନେଇ ଜୁଏଲଙ୍କ ଏ ପ୍ରକାର ରାଜନୈତିକ ବୟାନବାଜି ଭିତରେ ରାଉରକେଲା ବିଧାୟକ ସାରଦାପ୍ରସାଦ ନାୟକ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଆଡ଼େଇ ରାଉରକେଲା ସୁପର ସ୍ପେଶିଆଲିଟି ହସ୍ପିଟାଲର ପରିଚାଳନା ଦାୟିତ୍ବ ଏମ୍ସ ହାତରେ ଦେବାକୁ ସ୍ବର ଉଠାଇଥିଲେ। ଏସ୍ଥିତିରେ ଜିଲ୍ଲା ବିଜେଡିରେ ଆଭିମୁଖ୍ୟ କ’ଣ ରହିବ, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ପଶ୍ଚିମ ଓଡ଼ିଶାର ଲୋକସଭାକୁ କବ୍ଜା କରି ନେଇଥିବାରୁ ଏବେ ପଶ୍ଚିମ ଓଡ଼ିଶାର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୭ଟି ବିଜେପି ଅକ୍ତିଆର କରିଥିବା ବେଳେ ସେଥିମଧ୍ୟରେ କେବଳ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ବରଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ରହିଛି। ସେହିପରି ବିଜେପି ପାଇଥିବା ୨୨ଟି ବିଧାନସଭା ଆସନ ମଧ୍ୟରୁ ୮ଟି ଆସନ ପଶ୍ଚିମ ଓଡ଼ିଶାରୁ ଯାଇଛି। ନବୀନ ସରକାରଙ୍କ ଅତ୍ୟନ୍ତ ଲୋକପ୍ରିୟତା ସତ୍ତ୍ବେ ଏସବୁ ଲୋକସଭା ଓ ବିଧାନସଭା କ୍ଷେତ୍ରରେ ଲୋକେ ବିଜେପିକୁ ପସନ୍ଦ କରିଛନ୍ତି। ଏସ୍ଥିତିରେ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିବା ବିଜେପି ସାଂସଦ ଓ ବିଧାୟକମାନେ କେନ୍ଦ୍ର ଉପରେ ଚାପ ପକାଇବେ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏହି ଲୋକପ୍ରତିନିଧିମାନେ ଏଯାଏ ମୁହଁ ବନ୍ଦ ରଖିଛନ୍ତି। ଏମ୍ସ ପ୍ରତିଷ୍ଠା ନେଇ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇ କେନ୍ଦ୍ରର କୌଣସି ନିଷ୍ପତ୍ତି ନଆସିବା ପୂର୍ବରୁ ହଠାତ ନିଜେ ମେଡିକାଲ କଲେଜ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପଛରେ ଭୁବନେଶ୍ବର ଓ କଟକର ହସ୍ପିଟାଲ ଶିଳ୍ପ ଲବି କଥା ଚର୍ଚ୍ଚାକୁ ଆସିଛି। ଏ ପ୍ରସଙ୍ଗ ଓ ପଶ୍ଚିମ ଓଡ଼ିଶା ପ୍ରତି ଅବହେଳା ଅଭିଯୋଗ ନେଇ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ବିଜେପି ନେତାମାନଙ୍କୁ ସୁଯୋଗ ମିଳିଛି। କିନ୍ତୁ ବିରୋଧୀ ବିଜେପି ଅସମ୍ଭବ ନିରବତା ଅବଲମ୍ବନ କରୁଥିବା ପରିଲକ୍ଷିତ ହୋଇଛି। ତେବେ ସ୍ବାସ୍ଥ୍ୟକ୍ଷେତ୍ରରେ ପଛୁଆ ପଶ୍ଚିମ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ଝାାଡ଼ଖଣ୍ଡ, ଛତିଶଗଡ଼ର କିଛି ଅଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇଁ ଏମ୍ସ ପ୍ରତିଷ୍ଠା ଜରୁରୀ ହୋଇଥିବା ବେଳେ ଏଥିପାଇଁ ବିଜେପି ସମେତ ସମସ୍ତ ଦଳ ସମ୍ମିଳିତ ସ୍ବର ଉଠାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର