ନୂଆଁଖାଇ ପର୍ବର ଏକ ସ୍ୱତନ୍ତ୍ର ଅଧ୍ୟାୟ ଜୁହାରି ଭେଟ ପରମ୍ପରା

ଖୁଣ୍ଟିଗୋରା: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇର ଏକ ସ୍ୱତନ୍ତ୍ର ଅଧ୍ୟାୟ ହେଉଛି ଜୁହାରି ଭେଟ ପରମ୍ପରା । ନୂଆ ସରିଆ ଧାନରୁ ପ୍ରସ୍ତୁତ ଚୁଡାକୁଣାଁ ଏବଂ ଚାଉଳରୁ ପ୍ରସ୍ତୁତ ଭୋଗ ଦେବାଦେବୀଙ୍କ ନିକଟରେ ପ୍ରଥମେ ସମର୍ପଣ ପରେ ନିଜ ପରିବାର ସହ ଆନନ୍ଦରେ ସମସ୍ତେ ନବାନ୍ନ ଭକ୍ଷଣ କରନ୍ତି ।

ଏହାପରେ ଜୁହାର ଭେଟ କାର୍ଯ୍ୟକ୍ରମ ଆରମ୍ଭ ହୁଏ । ଗାଁର ଛୋଟରୁ ବୃଦ୍ଧ ସମସ୍ତ ପୁରୁଷ ଓ ମହିଳା ଜୁହାରଭେଟ ହୋଇଥାନ୍ତି । ଛୋଟମାନେ ବଡଙ୍କୁ ମୁଣ୍ଡିଆ ମାରିଥାନ୍ତି ଓ ବଡମାନେ ଛୋଟଙ୍କୁ ଆଶୀର୍ବାଦ ଦେଇଥାନ୍ତି । ନୂଆଁଖାଇ ତା’ପର ଦିନର ଜୁହାରି ପରମ୍ପରା ଅତି ନିଆରା । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ଅଞ୍ଚଳରେ ମଙ୍ଗଳବାର ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥିର ନିର୍ଦ୍ଧାରିତ ଲଗ୍ନ ଅନୁସାରେ ଗ୍ରାମର ଆରାଧ୍ୟା ଦେବୀଙ୍କ ନିକଟରେ ଭୋଗ ଅର୍ପଣ ହୋଇଥିଲା । ତା’ପରେ ସମସ୍ତେ ନବାହ୍ନ ଭକ୍ଷଣ କରିସାରି ଜୁହାର, ମୁଣ୍ଡିଆ ମାରିଥିଲେ।

ବୁଧବାର ଜନସାଧାରଣ ଗ୍ରାମର ଗଉନ୍ତିଆଁ, ୱାର୍ଡସଭ୍ୟ, ପଞ୍ଚାୟତ ସରପଞ୍ଚ ଆଦିଙ୍କୁ ଜୁହାରି ଥିଲେ । ଜୁହାରିର ସ୍ୱତନ୍ତ୍ରତା ହେଲା ଲୋକମାନେ ଗାଁ ଗଉଁନ୍ତିଆ କିମ୍ବା ପଦପଦବିରେ ଥିବା ବ୍ୟକ୍ତିଙ୍କ ପଦଧୌତ ପୂର୍ବକ ଫୁଲ, ଚନ୍ଦନ ଲଗାଇ ବନ୍ଦାପନା କରନ୍ତି ଏବଂ ସାଙ୍ଗରେ ଆଣିଥିବା ଫୁଲମାଳକୁ ଗଳାରେ ପକାଇ କପଡା ଦାନ କରିଥାନ୍ତି । ସେହି ବ୍ୟକ୍ତି ଜନସାଧାରଣଙ୍କୁ କିଛି ଟଙ୍କା କିମ୍ବା ଖାସି ଦେଇ ବିଦାୟ ଦେଇଥାନ୍ତି ।

ଏହା ଦ୍ଵାରା ସ୍ଥାନୀୟ ଅଞ୍ଚଳରେ ଭାଇଚାରାର ସଂପର୍କ ନିବିଡ ହୋଇଥାଏ । ବୁଧବାର ଖୁଣ୍ଟିଗୋରା ସରପଞ୍ଚ ପ୍ରହଲ୍ଲାଦ ସେଠୀଙ୍କୁ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦେଇ ବଜା, ବାଣ, ଡିଜେ ସହ ଜୁହାରିଥିବା ଦେଖିବାକୁ ମିଳିଥିଲା । ନୂଆଁଖାଇ ଏକ ସ୍ୱାଭିମାନର ପର୍ବ, ଖିଆପିଆର ପର୍ବ, ଭାଇଚାରାର ପର୍ବ ଭାବେ ପାଳିତ ହେଉ ଥିବାରୁ ଜନସାଧାରଣ ଯାହାକୁ ଜୁହାରି ଥାନ୍ତି ସେ ଆନନ୍ଦ ସହକାରେ ସାମର୍ଥ୍ୟ ମୁତାବକ ଭେଟି ପ୍ରଦାନ କରିଥାନ୍ତି । ତେଣୁ ବର୍ଷର ସବୁପର୍ବ ଅପେକ୍ଷା ନୂଆଁଖାଇ ପର୍ବ ଅତି ନିଆରା ହୋଇଥାଏ ।

ସମ୍ବନ୍ଧିତ ଖବର