ଫରେଷ୍ଟ ସର୍ଭେ ଅଫ୍ ଇଣ୍ତିଆ-୨୦୨୧ ରିପୋର୍ଟ, ଭିତରକନିକାରେ ବଢିଛି ସବୁଠୁ ଅଧିକ ଲୁଣା ଜଙ୍ଗଲ

ରାଜନଗର: ବ୍ରାହ୍ମଣୀ, ବୈତରଣୀ ଓ ମହାନଦୀ ଅବବାହିକାରେ ବିସ୍ତୃତ ଭିତରକନିକା ଲୁଣା ଜଙ୍ଗଲ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ତିଆ–୨୦୨୧ର ରିପୋର୍ଟରୁ ଏଭଳି ତଥ୍ୟ ଆସିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଗତ ୨ ବର୍ଷରେ ଲୁଣା ଜଙ୍ଗଲ ସବୁଠୁ ଅଧିକ ବୃଦ୍ଧି ପାଇଛି। ଦେଶରେ ଗତ ୨ ବର୍ଷରେ ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ସେଥିମଧ୍ୟରୁ ଓଡିଶାରେ ୮.୩୪ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଓଡିଶାରେ ବୃଦ୍ଧି ପାଇଥିବା ୮.୩୪ ବର୍ଗ କିମି ଲୁଣା ଜଙ୍ଗଲ ମଧ୍ୟରୁ କେବଳ ଭିତରକନିକା ଜାତୀୟ ଉଦ୍ୟାନରେ ୭.୭୬ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗ ପକ୍ଷରୁ ପ୍ରତି ୨ ବର୍ଷରେ ଦେଶରେ ଥିବା ଜଙ୍ଗଲଗୁଡିକର ସର୍ଭେ କରାଯାଇ ରିପୋର୍ଟ ପ୍ରକାଶ କରାଯାଇଥାଏ। ଫରେଷ୍ଟ ସର୍ଭେ ଅଫ୍ ଇଣ୍ତିଆ ୨୦୨୧ର ମ୍ୟାନଗ୍ରୁଭ କଭର ରିପୋର୍ଟ ଅନୁସାରେ ଚଳିତବର୍ଷ ସାରା ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ସେଥିମଧ୍ୟରୁ ଆନ୍ଧପ୍ରଦେଶରେ ୧ ବର୍ଗ କିମି, ଗୋଆରେ ୧, କର୍ଣ୍ଣାଟକରେ ୩, ମହାରାଷ୍ଟ୍ରରେ ୪, ପଶ୍ଚିମବଙ୍ଗରେ ୨ ଓ ଓଡିଶାରେ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି। ଗୁଜୁରାଟରେ ୨ ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଥିବା ବେଳେ କେରଳ, ତାମିଲନାଡୁ, ଆଣ୍ତାମାନ ନିକୋବର ଆଇଲ୍ୟାଣ୍ତ, ଡି ଆଣ୍ତ ଏନଏଚ ଆଣ୍ତ ଡାମନଡିଉ ଓ ପୋଡ଼ୁଚେରୀରେ ଲୁଣା ଜଙ୍ଗଲ ୨୦୧୯ରେ ଯାହା ଥିଲା, ବର୍ତମାନ ସମାନ ରହିଛି। ରିପୋର୍ଟ ଅନୁଯାୟୀ, ଆନ୍ଧପ୍ରଦେଶରେ ୨୦୧୯ରେ ୪୦୪.୧୪ ବର୍ଗକିମି ଲୁଣା ଜଙ୍ଗଲ ଥିବା ବେଳେ ୨୦୨୧ରେ ୪୦୫ ବର୍ଗ କିମିକୁ ବୃଦ୍ଧି ପାଇଛି।

ଗୋଆରେ ୨୬ରୁ ୨୭ ବର୍ଗ କିମି, କର୍ଣ୍ଣାଟକରେ ୧୦.୦୪ରୁ ୧୩ ବର୍ଗ କିମି, ମହାରାଷ୍ଟ୍ରରେ ୩୨୦.୨୭ରୁ ୩୨୪ ବର୍ଗ କିମି, ଓଡିଶାରେ ୨୫୦.୬୪ରୁ ୨୫୯ ବର୍ଗ କିମି, ପଶ୍ଚିମବଙ୍ଗରେ ୨୧୧୨.୧୧ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇ ୨୧୧୪ ବର୍ଗ କିମିରେ ପହଞ୍ଚିଛି। ଗୁଜୁରାଟରେ ୨୦୧୯ ମସିହାରେ ୧୧୭୭. ୨୭ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ ତାହା ହ୍ରାସ ପାଇ ୧୧୭୫ ବର୍ଗ କିମିରେ ପହଞ୍ଚିଛି। କେରଳରେ ୮.୯୦ ବର୍ଗ କିମି ଲୁଣା ଜଙ୍ଗଲ ୯ ବର୍ଗ କିମିରେ ପହଞ୍ଚିଥିବା ବେଳେ ତାମିଲନାଡୁରେ ୪୪.୮୩ ବର୍ଗ କିମି ଲୁଣା ଜଙ୍ଗଲ ୪୫ ବର୍ଗ କିମିରେ ପହଞ୍ଚିଛି। ଆଣ୍ତାମାନ ନିକୋବର ଆଇଲ୍ୟାଣ୍ତରେ ଲୁଣା ଜଙ୍ଗଲ ୬୧୬.୨୮ ବର୍ଗ କିମିରୁ ଖସି ୬୧୬ ବର୍ଗ କିମିରେ ପହଞ୍ଚିଥିବା ବେଳେ ଡି ଆଣ୍ତ ଏନଏଚ ଆଣ୍ତ ଡାମନଡିଉରେ ଲୁଣା ଜଙ୍ଗଲ ୩.୧୦ ବର୍ଗ କିମିରୁ ଖସି ୩ ବର୍ଗ କିମିରେ ପହଞ୍ଚିଛି ଏବଂ ପୋଡ଼ୁଚେରୀରେ ୧.୬୪ ବର୍ଗ କିମିରୁ ବୃଦ୍ଧି ପାଇ ୨ ବର୍ଗ କିମିରେ ପହଞ୍ଚିଛି। ଓଡିଶାରେ ବାଲେଶ୍ବରରେ ୦.୩୩ ବର୍ଗ କିମି, ଜଗତସିଂହପୁରରେ ୦.୨୭ ବର୍ଗ କିମି ଓ କେନ୍ଦ୍ରାପଡାରେ ୭.୭୬ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବା ବେଳେ ଭଦ୍ରକରେ ଯାହା ଥିଲା ସେୟା ରହିଛି ଓ ପୁରୀରେ ୦.୦୨ ପ୍ରତିଶତ ଲୁଣା ଜଙ୍ଗଲ ହ୍ରାସ ପାଇଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ତିଆ ରିପୋର୍ଟ ଅନୁଯାୟୀ ୧୯୯୫ରେ ଓଡିଶା ଉପକୂଳରେ ୧୯୫ ବର୍ଗ କିମି ଲୁଣା ଜଙ୍ଗଲ ଥିବା ବେଳେ ୧୯୯୭ରେ ୨୧୧ ବର୍ଗକିମି, ୧୯୯୯ରେ ୨୧୫, ୨୦୦୧ରେ ୨୧୯, ୨୦୦୩ ରେ ୨୦୩, ୨୦୦୫ରେ ୨୧୭, ୨୦୦୯ରେ ୨୨୧, ୨୦୧୧ରେ ୨୨୨, ୨୦୧୩ରେ ୨୧୩, ୨୦୧୫ରେ ୨୩୧, ୨୦୧୭ରେ ୨୪୩, ୨୦୧୯ରେ ୨୫୦.୬୪ ଓ ୨୦୨୧ରେ ୨୫୮.୫୯ରେ ପହଞ୍ଚିଛି। ଓଡିଶାରେ କେନ୍ଦ୍ରାପଡା ଜିଲ୍ଲା, ବିଶେଷକରି ଭିତରକନିକାରେ ରାଜ୍ୟର ପ୍ରାୟ ୮୧ ପ୍ରତିଶତ ଲୁଣା ଜଙ୍ଗଲ ରହିଛି। ଏହାବାଦ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଓ ପୁରୀରେ ଲୁଣା ଜଙ୍ଗଲ ରହିଛି। ରାଜନଗର ମ୍ୟାନଗ୍ରୁଭ ଫରେଷ୍ଟ ଡିଭିଜନ ପକ୍ଷରୁ ଗତ ୨ ବର୍ଷରେ ଜଉଦିଆ, ହେଟାମୁଣ୍ତିଆ, ବତୀଘର, ସାନଟୁବି, ପ୍ରଭାତି ଆଦି ଅଂଚଳରେ ଲୁଣା ଜଙ୍ଗଲ ସୃଷ୍ଟି କରାଯିବା ସହ ବିଭିନ୍ନ ସ୍ଥାନରେ ଚିଙ୍ଗୁଡି ଘେରି ଭଙ୍ଗାଯାଇ ଲୁଣା ଜଙ୍ଗଲ ସୃଷ୍ଟି କରାଯାଉଛି। ଏହାବାଦ୍‌ ସ୍ଥାନୀୟ ଲୋକଙ୍କ ସହଭାଗିତାରେ ଲୁଣା ଜଙ୍ଗଲ ପରିସର ବୃଦ୍ଧି ପାଇ ମ୍ୟାନଗ୍ରୁଭ ମିତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ସମସ୍ତଙ୍କ ସହଯୋଗରେ ଭିତରକନିକାରେ ଲୁଣା ଜଙ୍ଗଲ ପରିସର ସାରା ଭାରତରେ ସବୁଠୁ ଅଧିକ ବୃଦ୍ଧି ପାଇଛି ବୋଲି ରାଜନଗର ଡିଏଫଓ ଡ. ଯଜ୍ଞଦତ ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର