ଭଞ୍ଜନଗର: ସହରର କୋଳାହଳ ଠାରୁ ଦୂରେଇ ଜଙ୍ଗଲରେ ବୁଲିବା ଓ ଜୀବଜନ୍ତୁଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକଙ୍କ ଜିଜ୍ଞାସା ରହିଛି। ବିଶେଷ କରି ଶୀତ ଦିନ‌େ ପର୍ଯ୍ୟଟକ ମାନଙ୍କୁ ଅଧିକ ଆର୍କଷଣ କରେ ଜଙ୍ଗଲର ପ୍ରାକୃତିକ ମନୋରମ ଦୃଶ୍ୟ ଓ ଏହା ଭିତରେ ରହୁଥିବା ପଶୁପକ୍ଷୀ। ଏଭଳି ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବା ପାଇଁ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ଉପକଣ୍ଠରେ ଥିବା କାଳିଆମ୍ବା ଜଳପ୍ରାପତ ଏକ ପ୍ରକୃଷ୍ଟ ସ୍ଥାନ। ଏଠାରେ ରହିଛି ଇକୋ ଟୁରିଜମ୍‌ ସହ ଚିତ୍ତୋବିନୋଦନର ମାଧ୍ୟମ। ଏହି ଜଳପ୍ରପାତ ନିକଟ ଜଙ୍ଗଲ ଭିତରେ ଥିବା ଜିଆଣ୍ଟ୍‌ ସ୍କ୍ବାରେଲ୍‌ ପ୍ରକୃତି ଶିବିର ରାଜ୍ୟ ଓ ରାଜ୍ୟ ବାହାରର ଶତାଧିକ ପର୍ଯ୍ୟଟକଙ୍କୁ ଏଠାକୁ ଟାଣି ଆଣିଥାଏ। ଏଥିସହ ଶାଳୁଆପଲ୍ଲୀ ଓ ଫୁଲବାଣୀ ରୋଡ଼ରେ ରହିଥିବା ବନ ବିହାର ପ୍ରକୃତି ଶିବିରରେ ପର୍ଯ୍ୟଟକଙ୍କ ଭିଡ ଦେଖବାକୁ ମିଳେ। ଭଞ୍ଜନଗର ଠାରୁ ବ୍ରହ୍ମପୁର ମୁଖ୍ୟ ରାସ୍ତାର ୫କିମି ପରେ ପଡେ ଶାଳୁଆପଲ୍ଲୀ ଗ୍ରାମ ସେଠାରୁ ଜଙ୍ଗଲ ଭିତର ରାସ୍ତା ଦେଇ ୮ କିମି ଗଲେ ପଡେ ଉପାନ୍ତ କାଳିଆମ୍ବା ଗ୍ରାମ। ଏହି ଜଙ୍ଗଲ ଇଲାକା ନିଶଦ୍ଦ ଓ ନିଘଞ୍ଚ ହୋଇଥିବାରୁ ଏଠାରେ ବିରଳ ପାଟ୍ଟ ମୂଷା ବା ଉଡନ୍ତା ନେପାଳି ମୂଷାଙ୍କ ଅବସ୍ଥିତି ରହିଛି। ତେଣୁ ବ୍ରିଟିଶ ସରକାର ଅମଳରୁ ଏହି ସ୍ଥାନରେ ଏକ ଡାକବଙ୍ଗଳା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟଟକ ମାନଙ୍କୁ ଏହି ଅକୃଷ୍ଟ କରିବା ପାଇଁ କାଳିଆମ୍ବା ଠାରେ ବନ ବିଭାଗ ପକ୍ଷରୁ ଜିଆଣ୍ଟ୍‌ ସ୍କ୍ବାରେଲ୍‌ ପ୍ରକୃତି ଶିବିର ଏବଂ ଶାଳୁଆପଲ୍ଲୀ ଠାରେ ବ୍ଳାକ୍‌ବକ୍‌ ଟିମ୍ବର ହାଉସ୍‌ ନିର୍ମାଣ କରାଯାଇଛି। ଏଥିସହ ବନ ବିହାରରେ ବଣ ଭୋଜି ପାଇଁ ପିଣ୍ଡି କରିବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ପ୍ରକୃତି ଶିବିର ମଧ୍ୟ ରହିଛି। ବନ ବିଭାଗ ପକ୍ଷରୁ ଅଭିନବ ପ୍ରୟାଶ ଯାହାକି ପର୍ଯ୍ୟଟକଙ୍କ ସଂଖ୍ୟ ବୃଦ୍ଧି କରିବାରେ ସହାୟକ‌ ହୋଇ ପାରିଛି। ନିଘଞ୍ଚ ଜଙ୍ଗଲ ଭିତରେ ଥିବା କାଳିଆମ୍ବା ପ୍ରକୃତି ଶିବିରରେ ଟ୍ରି ହାଉସ୍‌ ସହ ଏଠାରେ ଥିବା ଉଡନ୍ତା ପାଟ ମୂଷାକୁ ଦେଖିବା ପାଇଁ ପର୍ଯ୍ୟଟକ ଦୌଡି ଆସିଥାନ୍ତି। କାଳିଆମ୍ବା ପ୍ରକୃତି ଶିବିର ଠାରୁ ଏକ କିମି ଦୂରରେ ରହିଛି ଏହି ଜଳପ୍ରପାତ।

Advertisment

publive-image Sambad

ସେଠାରୁ କିଛି ଦୂର ଉପରକୁ ପାହାଡ ଚଢିବା ପରେ ପାହାଡ କୋଡରେ ଦେଖା ଦିଏ ଜଳପ୍ରପାତ। ଅଣଓସାରିଆ ରାସ୍ତା ଅତିକ୍ରମ କରି ଏହି ସ୍ଥାନକୁ ଯିବାକୁ ପଡେ। ପ୍ରକୃତି ସମସ୍ତ ପ୍ରକାର ବିଭବ ଏଠାରେ ଭରପୁର ହୋଇ ରହିଛି। ନିଶଦ୍ଦ ଇଲାକାରେ କଳକଳ ନାଦରେ ପାହାଡ ଉପରୁ ଝରି ଆସୁଥିବା ଶୀତଳ ଜଳଧାରା ସାଙ୍ଗକୁ ଚତୁପାର୍ଶ୍ବରେ ଥିବା ସବୁଜିମା ପ୍ରକୃତିପ୍ରେମୀ ମାନଙ୍କୁ ଏହି ଜଳପ୍ରପାତ ନିଜ ଭିତରେ ହଜାଇ ଦେଇଥାଏ। ପ୍ରକୃତିର ଏତେ ସବୁ ସମ୍ଭାର ଭରପୂର ହୋଇ ରହିଥିଲେ ମଧ୍ୟ ଏହି ସ୍ଥାନ ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଯାଇଛି। ସହର ଠାରୁ ଅନତି ଦୂରରେ ଥିବା ଏହି ଜଳପ୍ରପାତ ବିଷୟରେ ଆଜି ମଧ୍ୟ ଅନେକଙ୍କ ଅଗୋଚରରେ ରହିଛି। ଏହାର ଖୁବ୍‌ ନିକଟରେ ଥିବା ପ୍ରକୃତି ଶିବିରକୁ ବନ ବିଭାଗ ପକ୍ଷରୁ ସୁନ୍ଦର ଭା‌ବେ ସାଜସଜ୍ଜା କରାଯାଇଛି। ଏଠାରେ ବିଭିନ୍ନ ବିଶ୍ରାମାଗାର ସହ ଗଛ ଉପରେ ରାତ୍ରୀ ଯାପନର ମଜ୍ଜା ନେବା ପାଇଁ ଏକ କାଠ ଘର ନିର୍ମାଣ କରାଯାଇଛି। ପ୍ରକୃତି ଶିବିର ଠାରୁ ଜଳପ୍ରପାତର ପାଦଦେଶ ପର୍ଯ୍ୟନ୍ତ ମାଟି ରାସ୍ତା ରହିଥିବା ବେଳେ ଜଳ ପ୍ରପାତ ନିକଟକୁ ଯିବା ପାଇଁ ଜମାରୁ ଭଲ ରାସ୍ତା ଟିଏ ନାହିଁ। ଏହି ଜଳପ୍ରପାତ ସଂଲଗ୍ନ ଇଲାକାରେ ଆଖାପାଖ ଇଲାକାର କିଛି ବ୍ୟକ୍ତି ଆସି ବଣ ଭୋଜିର ମଜା ଉଠାଉ ଥିବା ବେଳେ ବାହାର ପର୍ଯ୍ୟଟକ ଏହା ସମ୍ପର୍କରେ ଜାଣିବା କଷ୍ଟକର ହୋଇପଡୁଛି। ପ୍ରଶାସନ ପକ୍ଷରୁ ଏହି ଜଳପ୍ରପାତ ବିକାଶ କରିପାରିଲେ ଏହା ଅଧିକ ପର୍ଯ୍ୟଟକଙ୍କୁ ଆର୍କଷିତ କରିପାରିବ।