ଗଞ୍ଜାମ: ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ସୁଧୀର ହୋତାଙ୍କ ଅଂଶୁଘାତରେ ମୃତ୍ୟୁ ଅଭିଯୋଗ

ବେଗୁନିଆପଡ଼ା: ଗଂଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ କନିଷ୍ଠ ଯନ୍ତ୍ରୀ ବୁଧବାର ଅଂଶୁଘାତରେ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ କନିଷ୍ଠ ଯନ୍ତ୍ରୀ ସୁଧୀର ହୋତା (୫୨) ପ୍ରାଣ ହରାଇଛନ୍ତି। ଜୁନିଅର ଇଞ୍ଜିନିୟର ଆଜି ସକାଳୁ ଫିଲ୍ଡ ପରିଦର୍ଶନରେ କୁମ୍ଭାର ଗାଁ ଯାଇଥିବଲେ। ଫେରିବା ବେଳକୁ ପୂର୍ବାହ୍ଣ ୧୧ଟା ହୋଇ ଯାଇଥିଲା। ଅଙ୍ଗାର ଗାଁରେ ପହଂଚିବା ବେଳକୁ ସେ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଏହା ପରେ ତାଙ୍କୁ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ହସ୍‌ପିଟାଲରେ ପହଂଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ମେଡିକାଲ ଡାକ୍ତର ସ୍ପଷ୍ଟ କରିଛନ୍ତି।

ସୂଚନାଯୋଗ୍ୟ ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରରେ ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଅଭିମନ୍ୟୁ ପ୍ରଧାନ (୫୦) କାମ କରୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ସେ ପୂର୍ବାହ୍ଣ ପାଖାପାଖି ୧୧ଟା ହେବ ଅନ୍ୟ ଶ୍ରମିକଙ୍କ ସହିତ ଟ୍ରାକ୍ଟରରେ ବାଲି ଲେଡିଂ କରୁଥିଲେ। ବାଲି ଲୋଡିଂ ହେବା ପରେ ତାହା ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବାର ଥିଲା। ମୁଣ୍ଡ ବୁଲାଇବାରୁ ଅଭିମୁନ୍ୟ ଏକ ଚାନ୍ଦିନୀ ଉପରେ ବସିପଡ଼ିଥିଲେ। ଏହି ସମୟରେ ତାଙ୍କର ମୁଣ୍ଡ ବୁଲାଇଥିଲା। ସେ ଚେତାଶୂନ୍ୟ ହୋଇ ତଳେ ପଡ଼ି ଯାଇଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ ଜୁନ ଦ୍ୱିତୀୟ ସପ୍ତାହ ଶେଷ ହେବାକୁ ଯାଉଥିଲେ ମଧ୍ୟ ସୂର୍ଯ୍ୟର ପ୍ରକୋପ କମି ନାହିଁ। ଓଡ଼ିଶାକୁ ମୌସୁମୀ ବାୟୁ ପହଂଚିବା ବିଳମ୍ବ ହେବାକୁ ଥିବା ବେଳେ ଆଜି ରାଜ୍ୟସାରା ତାପମାତ୍ରା ଅସହ୍ୟ ହୋଇପଡ଼ିଛି। ସକାଳ ୮ଟା ପରେ ଅପରାହ୍ଣ ୪ଟା ଯାଏଁ ପ୍ରବଳ ଖରା ହୋଇଛି।

 

ସମ୍ବନ୍ଧିତ ଖବର