ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତାର ସେମିଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ଓଡ଼ିଶା ୪-୨ ଗୋଲ୍‌ରେ କର୍ଣ୍ଣାଟକକୁ ପରାସ୍ତକରି ସେମିଫାଇନାଲ ପ୍ରବେଶ କରିଛି। ସେହିଭଳି ସେମିଫାଇନାଲ ସ୍ଥାନ ସୁରକ୍ଷିତ କରିଥିବା ଅନ୍ୟ ଦଳଗୁଡ଼ିକ ହେଲା ମଧ୍ୟପ୍ରଦେଶ, ଚଣ୍ଡିଗଡ଼ ଓ ହରିୟାଣା। ବୁଧବାର ଉଭୟ ସେମିଫାଇନାଲ ଖେଳାଯିବ। ପ୍ରଥମ ସେମିଫାଇନାଲ ଚଣ୍ଡିଗଡ଼ ଓ ହରିୟାଣା ଏବଂ ଦ୍ବିତୀୟ ସେମିଫାଇନାଲ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଖେଳାଯିବ।

Advertisment

ସୋମବାର ଶେଷ କ୍ବାର୍ଟର ଫାଇନାଲ ଓଡ଼ିଶା ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍‌ସାରା ଉଭୟ ଦଳର ଉତ୍କୃଷ୍ଟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୧୦ମ ମିନିଟ୍‌ରେ ଓଡ଼ିଶା ପାଇଥିବା ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗକୁ ଅନମୋଲ ଏକ୍କା ସଫଳତାର ସହ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରଥମ କ୍ବାର୍ଟର ଶେଷସୁଦ୍ଧା ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ତେବେ ଦ୍ବିତୀୟ କ୍ବାର୍ଟରର ପ୍ରଥମ ମିନିଟ୍‌ରେ କର୍ଣ୍ଣାଟକର ୟଶସ୍‌ ପୋନ୍ନାପ୍ପା ଟି.ଡି. ଏକ ଗୋଲ୍‌ ଦେଇ ସ୍କୋର୍‌ ୧-୧ ଗୋଲ୍‌ରେ ବରାବର କରିଥିଲେ। ତେବେ ୨୪ତମ ମିନିଟ୍‌ରେ ଓଡ଼ିଶା ଆଉ ଏକ ପେନାଲ୍‌ଟି କର୍ଣ୍ଣର ସୁଯୋଗ ପାଇଥିଲା। ଏହାକୁ ଅଧିନାୟକ ରୋଶନ କୁଜୁର ଗୋଲ୍‌ରେ ପରିଣତକରି ଦଳକୁ ୨-୧ରେ ଆଗୁଆ କରିଥିଲେ। କିନ୍ତୁ ଏହାର ମାତ୍ର ତିନି ମିନିଟ୍‌ରେ କର୍ଣ୍ଣାଟକର ହର୍ଷ ଏଚ୍‌ଆର୍‌ ଗୋଲ୍‌କୁ ପରିଶୋଧକରି ପୁନର୍ବାର ‌ସ୍କୋର୍‌କୁ ୨-୨କୁ ନେଇଆସିଥିଲେ। ତେବେ ତୃତୀୟ କ୍ବାର୍ଟରରେ ଓଡ଼ିଶା ଆକ୍ରମଣକୁ ବ୍ୟାପକ କରିଥିଲା। ସଞ୍ଜିତ ତିର୍କୀ(୩୮)ଙ୍କ ଗୋଲ୍‌ ବଳରେ ସ୍କୋର୍‌କୁ ୩-୨ରେ ପହଞ୍ଚିଥିଲା।

କର୍ଣ୍ଣାଟକ ସ୍କୋର୍‌ ବରାବର କରିବାକୁ ଆପ୍ରାଣ ପ୍ରୟାସ କରିଥିଲା; କିନ୍ତୁ ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ ଓଡ଼ିଶାର ରକ୍ଷଣଭାଗ ଖେଳାଳି। ମ୍ୟାଚ୍‌ର ୫୦ତମ ମିନିଟରେ ଅଧିନାୟକ ରୋଶନ ଆଉ ଏକ ଗୋଲ୍‌ ଦେଇ ସ୍କୋର୍‌କୁ ୪-୨ ଗୋଲ୍‌ର ପହଞ୍ଚାଯାଇଥିଲେ; ଯାହାକି ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା।

ଆଜିର ପ୍ରଥମ କ୍ବାର୍ଟର ଫାଇନାଲରେ ମଧ୍ୟପ୍ରଦେଶ ଏକତରଫାଭାବେ ୯-୨ ଗୋଲ୍‌ରେ ମହାରାଷ୍ଟ୍ରକୁ ପରାସ୍ତ କରିଛି। ତେବେ ଦ୍ବିତୀୟ ଓ ତୃତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍‌ର ଫଳାଫଳ ସୁଟ୍‌ଆଉଟ୍‌ ଦ୍ବାରା ହିଁ ନିର୍ଦ୍ଧାରିତ ହୋଇଛି। ଦ୍ବିତୀୟ କ୍ବାର୍ଟର ଫାଇନାଲରେ ଚଣ୍ଡିଗଡ଼ ସୁଟ୍‌ଆଉଟ୍‌ରେ ୩-୨ ଗୋଲ୍‌ରେ ପଞ୍ଜାବକୁ ଏବଂ ତୃତୀୟ କ୍ବାର୍ଟର ଫାଇନାଲ୍‌ରେ ହରିୟାଣା ସୁଟ୍‌ଆଉଟ୍‌ରେ ୩-୨ ଗୋଲ୍‌ରେ ଝାଡ଼ଖଣ୍ଡକୁ ପରାସ୍ତକରି ସେମିଫାଇନାଲ ପ୍ରବେଶ କରିଛି।