ରାଉରକେଲା: ସୋମବାରଠାରୁ ରାଉରକେଲାସ୍ଥ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ୧୩ତମ ଜାତୀୟ କନିଷ୍ଠ ବାଳକ ହକି ପ୍ରତିଯୋଗିତା ଆରମ୍ଭ ହୋଇଛି। ପୁଲ୍‌ ଡି’ରେ ଥିବା ଓଡ଼ିଶା ଏକତରଫା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ସଂପୂର୍ଣ୍ଣଭାବେ ଆଧିପତ୍ୟ ବିସ୍ତାରକରି ୧୮-୦ ଗୋଲ୍‌ରେ ଗୁଜୁରାଟକୁ ପରାସ୍ତ କରିଛି।
Advertisment
ମ୍ୟାଚ୍‌ର ପ୍ରଥମ ମିନିଟରୁ ଓଡ଼ିଶା ଖେଳାଳି ଆକ୍ରମଣାତ୍ମକ ଶୈଳୀ ଆପଣେଇ ବିପକ୍ଷଙ୍କ ଉପରେ ଚାପ ସୃଷ୍ଟି କରିଥିଲେ; ଯାହାକି ମ୍ୟାଚ୍‌ର ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ମ୍ୟାଚ୍‌ସାରା ଓଡ଼ିଶାର ଆଧିପତ୍ୟ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୪ମ ମିନିଟ୍‌ରେ ଓଡ଼ିଶା ଏକ ପେନାଲ୍‌ଟି କର୍ଣ୍ଣର୍‌ ସୁଯୋଗ ପାଇଥିଲା। ଏହି ସୁଯୋଗର ସଦୁପଯୋଗ କରି ଅରବିନ ଟପ୍ପୋ ଗୋଲ୍‌ରେ ପରିଣତ କରି ଦଳକୁ ୧-୦ ଗୋଲ୍‌ରେ ଆଗୁଆ କରିଥିଲେ। ଏହାପରେ ଓଡ଼ିଶା ‌ଖେଳାଳି ଗୋଲ୍‌ ବର୍ଷା କରିଥିଲେ। ଅରବିନଙ୍କ ଆଉ ୩ଟି ଗୋଲ୍‌ ତଥା ବ୍ୟକ୍ତିଗତ ୪ଟି ଗୋଲ୍‌(୪,୨୮,୩୩,୫୦) ଦେଇଥିବାବେଳେ ଆକାଶ ସୋରେଙ୍ଗ ୩ଟି(୧୧,୪୬,୫୪) ଅଧିନାୟକ ରୋଶନ କୁଜୁର ୨ଟି(୩୬,୩୬), ଦୀପକ ମିଞ୍ଜ ୨ଟି(୨୭, ୫୨) ଏବଂ ଆଦ୍ରୋହିତ ଲାକ୍ରା(୩୧), ଅସିତ ଲାକ୍ରା(୨୨), ପ୍ରତାପ ଟପ୍ପୋ(୪୯), ପୌଲୁସ ଲାକ୍ରା(୪୭), ସଞ୍ଜିତ ତିର୍କୀ(୫୯), ଋତିକ କୁଜୁର(୫୯) ଓ ସି‌ଲ୍‌ହୈବା ଲିଶାମ୍‌(୬୦) ଗୋଟିଏ ଗୋଲ୍‌ ଦେଇଥିଲେ। ସେହିଭଳି ଆଜି ମୋଟ୍‌ ୪ଟି ମ୍ୟାଚ୍‌ ଖେଳାଯାଇଥିଲା। ଉଦ୍‌ଘାଟନୀ ମ୍ୟାଚ୍‌ରେ ଝାଡ଼ଖଣ୍ଡ ସଂପୂର୍ଣ୍ଣ ଏକତରଫାଭାବେ ୧୮-୦ ଗୋଲ୍‌ରେ ଗୋଆକୁ ପରାସ୍ତ କରିଥିବାବେଳେ ତାମିଳନାଡ଼ୁ ୬-୧ ଗୋଲରେ ପୁଡ଼ୁଚେରୀକୁ ପରାସ୍ତ କରିଥିଲେ। ତେବେ ଦାଦ୍ରାନଗର ହାଭେଳୀ ଓ ଡାମନ ଡିଉ ମଧ୍ୟରେ ଖେଲାଯାଇଥିବା ମ୍ୟାଚ୍‌ ୪-୪ ଗୋଲ୍‌ରେ ଅମୀମାଂସିତ ରହିଥିଲା।