‘ଝରାଫୁଲଙ୍କୁ ନ୍ୟାୟ ଦିଅ’ : ଛାତ୍ର ସଂଗଠନ ପକ୍ଷରୁ କଠୋର ଦଣ୍ଡ ଦେବାକୁ ଦାବି

ବାରିପଦା: ରାଜ୍ୟ ସରକାର ନାରୀ ସୁରକ୍ଷା ଓ ନାରୀ ସଶକ୍ତିକରଣ ନାମରେ ମିଛ ଡିଣ୍ଡିମ ପିଟୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ଝିଅ ଝରାଫୁଲ ଝରି ପଡ଼ିଛି । ଏହାକୁ ବିରୋଧ କରି ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଯୁବ ଛାତ୍ର ସଂଗଠନ ଭଞ୍ଜସେନା ପକ୍ଷରୁ ଗତକାଲି ସନ୍ଧ୍ୟାରେ ଝରାଫୁଲଙ୍କ ଆତ୍ମାର ସଦଗତି କାମନା ଓ ବିନମ୍ର ଶ୍ରଦ୍ଧାଞ୍ଜଳି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏଥି ସହିତ ଦୋଷୀକୁ କଠୋର ଦଣ୍ଡ ସହିତ ଫାଶି ଦିଆଯାଉ ବୋଲି ଦାବି କରିଥିଲେ । ସେହିପରି ମାସା ଆର୍ମିର ଜିଲ୍ଲା ସଭାପତି ସୁକୁଲାଲ ମାର୍ଣ୍ଡୀଙ୍କ ନେତୃତ୍ୱରେ ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ତଥା ମୟୂରଭଞ୍ଜ ମାଟିର ଝିଅ ଝରାଫୁଲ ନାୟକଙ୍କ ଆତ୍ମାକୁ ନ୍ୟାୟ ପ୍ରଦାନ ଓ ହତ୍ୟାକାରୀଙ୍କୁ ଫାଶି ଦାବିରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ମୃତକ ଝରାଫୁଲଙ୍କ ପରିବାରକୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
ବାରିପଦା: ରମାଦେବୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଫିଲୋସଫି ବିଭାଗର ୨ ବର୍ଷ ଛାତ୍ରୀ ଝରାଫୁଲର ମୃତ୍ୟୁକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ ମହିଳା ମୋର୍ଚ୍ଚା ସଭାପତି ବନ୍ଦିତା ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ମୟୂରଭଞ୍ଜ ଜିଲ୍ଲା ସଭାନେତ୍ରୀ ସସ୍ମୀତା ଘୋଷାଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଝରାଫୁଲର ଗ୍ରାମକୁ ଯାଇ ବାପା ରମାକାନ୍ତ ନାୟକଙ୍କୁ ଭେଟି ସମବେଦନା ଜଣାଇବା ସହିତ ଝରାଫୁଲର ମୃତ୍ୟୁର ରହସ୍ୟ ଅବିଳମ୍ବେ ଉନ୍ମୋଚନ କରାଯିବା, ପରିବାରକୁ ନ୍ୟାୟ ପ୍ରଦାନ ଓ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରିଛନ୍ତି । ଯଦି ସରକାର ଏଥିରେ ବିଫଳ ହୁଅନ୍ତି ତେବେ କଂଗ୍ରେସ ନୀରବ ହୋଇ ନ ବସି ଆନ୍ଦୋଳନକୁ ଓହ୍ଲାଇ ଆସିବାର ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର