ପୋଥି ଲେଖକଙ୍କ ଗାଁ ‘କଇଁଛପଦା’

ଅନୁଗୁଳ(ବ୍ରଜକିଶୋର ମହାରଣା): ଦିନଥିଲା, ଯେତେବେଳେ କାଗଜ କଲମ ସୁଲଭନଥିଲା, ଗମନାଗମନ ପାଇଁ ରାସ୍ତାଘାଟ ନଥିଲା, ସେତେବେଳେ ଜ୍ଞାନର ପ୍ରସାର ପାଇଁ ପୋଥିଲେଖକମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଉଥିଲେ। ଏହି ଲେଖକମାନେ କେବଳ ଲିପିକାର ବା ନକଲକାରୀ ନଥିଲେ। ସେମାନେ ଥିଲେ ସାଧକ। ସେମାନଙ୍କ ସାଧନା ପ୍ରସୂତ ପୋଥି ସେତେବେଳେ ଜ୍ଞାନଚର୍ଚ୍ଚା ଓ ଧର୍ମ ଚର୍ଚ୍ଚା ପାଇଁ ଥିଲା ମୁଖ୍ୟ ଅବଲମ୍ବନ। ଅନୁଗୁଳ ଜିଲ୍ଲାର ସୀମାନ୍ତରେ ଥିବା ଏକ ଗାଁ ‘କଇଁଛପଦା’ ପ୍ରାୟ ଦେଢ଼ଶହ ବର୍ଷ ତଳେ ଏହିପରି ଜ୍ଞାନର ପ୍ରସାରରେ ପ୍ରମୁଖ ଭୂମିକା ନେଇଥିଲା। ଏହି ଗାଁର ପୋଥି ଲେଖକମାନେ ପୋଥି ଲେଖି କେବଳ ଜୀବିକା ନିର୍ବାହ କରୁନଥିଲେ, ସେମାନେ ତତ୍କାଳୀନ ସା˚ସ୍କୃତିକ ପ୍ରବାହର କର୍ଣ୍ଣଧାର ଥିଲେ ବୋଲି କୁହାଯାଇପାରେ। କଇଁଛପଦାର ବାଇଧର ମହାପାତ୍ର, ଯଦୁନାଥ ମହାପାତ୍ର, ଦାଶରଥି ମହାପାତ୍ର, ଭାବଗ୍ରାହୀ ମହାପାତ୍ରଙ୍କ ଲିଖିତ ପୋଥି ଏବେ ମଧ୍ୟ ବିଭିନ୍ନ ଗାଁରେ ପୂଜା ପାଉଛନ୍ତି।

କଇଁଛପଦା ଛେଣ୍ତିପଦା ବ୍ଲକ୍‌ କମ୍ପସଲା ପଞ୍ଚାୟତର ଏକ ବ୍ରାହ୍ମଣ ଶାସନ। ଦେବଗଡ଼ ଜିଲ୍ଲା ସୀମାକୁ ଲାଗିଥିବା ଏହି ଗାଁ ଟିକିରା ନଦୀକୂଳରେ ଅବସ୍ଥିତ। ଏଠାକୁ ଯା’ଆସ ପାଇଁ ଏହି ନଦୀ ଥିଲା ମୁଖ୍ୟ ପ୍ରତିବନ୍ଧକ। ମାତ୍ର ୭ ମାସ ତଳେ ଏହି ନଦୀରେ ଏକ ପୋଲ ନିର୍ମିତ ହୋଇଛି। ତା’ପୂର୍ବରୁ ଏହି ଗାଁକୁ ଯିବା ପାଇଁ ଡଙ୍ଗା ହିଁ ଥିଲା ଭରସା। କଇଁଛପଦା ଛଅ ପିଢ଼ିର ଗାଁ। ଗ୍ରାମବାସୀ କହିବା ଅନୁଯାୟୀ, ଅନୁଗୁଳ ରାଜା ସୋମନାଥସି˚ହ ଜଗଦ୍ଦେବଙ୍କ ବ˚ଶଧର ନିତ୍ୟାନନ୍ଦସି˚ହ ଜଗଦ୍ଦେବ ଏହି ଗାଁ ବସାଇଥିଲେ। ସେ ପୁରୀରୁ ବ୍ରାହ୍ମଣଙ୍କୁ ନିମନ୍ତ୍ରଣକରି ଆଣିଥିଲେ। ତାଙ୍କ ନାମ ଅନୁସାରେ ଗାଁର ଅନ୍ୟତମ ନାଁ ନିତ୍ୟାନନ୍ଦପୁର ଶାସନ। ଏବେ ଗାଁରେ ପ୍ରାୟ ୬୦ଟି ବ୍ରାହ୍ମଣ ପରିବାର ବାସ କରୁଛନ୍ତି।

ନାଁ କଇଁଛପଦା କାହିଁକି?

କଇଁଛପଦା ଗାଁ ମୁଣ୍ତରେ ଅଛି ଏକ ପ୍ରକାଣ୍ତ ଶିଳା। ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଗୋଟିଏ ପଥର ଉପରେ ନିର୍ମିତ। ଏହି ଶିଳାଟି ସେହିପରି ବିଶାଳ। ଶିଳାର ଉପରିଭାଗ କଇଁଛର ପିଠିପରି ଦେଖାଯାଏ। କଇଁଛଟିଏ ବେକକାଢ଼ି ଚାଲିବାବେଳେ ଯେପରି ଦିଶେ, ଏହି ବିରାଟକାୟ ଶିଳା ଦିଶେ ଠିକ୍‌ ସେହିପରି। ତେଣୁ ଗାଁର ନାମ ହୋଇଛି କଇଁଛପଦା। ଗାଁର ବିଭୂତି ଭୂଷଣ ମହାପାତ୍ରଙ୍କ ସମେତ ଗ୍ରାମବାସୀମାନଙ୍କ ଉଦ୍ୟମରେ ୧୯୮୮ ମସିହାରୁ ଏହି ପଥର ଉପରେ ପ୍ରଭୁ କୂର୍ମନାରାୟଣଙ୍କ ମୂର୍ତ୍ତି ସ୍ଥାପନକରି ପୂଜା କରାଯାଉଛି। ଶିଳାର ମଧ୍ୟସ୍ଥଳରେ କୂର୍ମନାରାୟଣଙ୍କ ମନ୍ଦିର ନିର୍ମାଣ ପାଇଁ ଗ୍ରାମବାସୀଙ୍କର ଯୋଜନା ରହିଛି। ପ୍ରତିବର୍ଷ ମାଘମାସରେ ଏଠାରେ କୂର୍ମମେଳା ଅନୁଷ୍ଠିତ ହେଉଛି। ଏହି ବିଶାଳ ଶିଳାରେ ରହିଛି ଗୁମ୍ଫା। ଶୋଇଥିବା ହାତୀ ଓ ଘୋଡ଼ା ଆକୃତିର ପଥର ଏଠାରେ ଦେଖାଯାଏ। ସମୁଦ୍ର ମନ୍ଥନରୁ ଉଦ୍ଭୁତ ଐରାବତ ଓ ଉଚ୍ଚୈଃଶ୍ରବାଙ୍କ ମୂର୍ତ୍ତି ଇଏ ବୋଲି ଲୋକମୁଖରେ ଶୁଣାଯାଏ। ବିଷ୍ଣୁଙ୍କ କଚ୍ଛପ ଅବତାରର ସ˚କେତ ଏ ପୀଠ ବହନ କରୁଛି। ତେଣୁ ଏହା କୂର୍ମପୀଠ ବୋଲି ଅଞ୍ଚଳରେ ଜଣାଶୁଣା।

ନିଜ ଅଞ୍ଚଳକୁ ଏହିଭଳି ସା˚ସ୍କୃତିକ ଐତିହ୍ୟ ପ୍ରଦାନ ପାଇଁ ଉଦ୍ୟମରତ ଗାଁର କେତେକ ନୈଷ୍ଠିକ ବ୍ରାହ୍ମଣ ଥିଲେ ଜ୍ଞାନ ସାଧକ। ବେଦ ବେଦାନ୍ତଠାରୁ ଆରମ୍ଭକରି ରାମାୟଣ, ମହାଭାରତ, ଭାଗବତ ପ୍ରଭୃତି ପୁରାଣ ସମେତ ଜ୍ୟୋତିଷ ଶାସ୍ତ୍ର, ଇତିହାସ ଇତ୍ୟାଦି ବିଭିନ୍ନ ଶାସ୍ତ୍ର ଥିଲା ସେମାନଙ୍କର କଣ୍ଠସ୍ଥ। ସେମାନେ ଥିଲେ ପଣ୍ତିତ।  ତାଙ୍କ ମଧୢରୁ କେତେଜଣ ପୋଥି ଲେଖିବା ନିଜର ବୃତ୍ତି କରିଥିଲେ। ଲୁହାର ଲେଖନୀ ମୁନରେ ତାଳପତ୍ରକୁ କାଟି କାଟି ଲେଖୁଥିଲେ ପୋଥି। ତାଙ୍କ ମଧ୍ୟରୁ ଅପେକ୍ଷାକୃତ ଅଧିକ ପୋଥି ଲେଖିଛନ୍ତି ବାଇଧର ମହାପାତ୍ର। ପୋଥି ଲେଖି ଲେଖି ତାଙ୍କ ଡାହାଣ ହାତର ଗୋଟିଏ ଆଙ୍ଗୁଠି  ବଙ୍କା ହୋଇଯାଇଥିଲା। ସେ ଲଖିଛନ୍ତି ରାମାୟଣ, ମହାଭାରତ, ହରିବ˚ଶ, ବେଦ, ବେଦାନ୍ତ, କର୍ମକାଣ୍ତ, ଗୋପୀଭାଷା, ଧବଳେଶ୍ବର ପୁରାଣ, ଇତିହାସ ଇତ୍ୟାଦି।

ଇତିହାସ କହିଲେ ଏବେ ଆମେ ଯାହା ବୁଝୁଛେ, ସେ ଇତିହାସ ତାହା ନଥିଲା। ସେହି ଇତିହାସ ହେଉଛି ସଦାଚରଣ ଭିତ୍ତିକ କାହାଣୀ ସମ୍ବଳିତ ଗୀତ। ବଉଳାଗାଈ ଉପାଖ୍ୟାନ, ଋଷ୍ୟଶୃଙ୍ଗ ମୁନି- ଲୋମପାଦ ରାଜା ଚରିତ, ରାଜା ହରିଶ୍ଚନ୍ଦ୍ର ଚରିତ ଇତ୍ୟାଦି ଥିଲା ଇତିହାସର ବିଷୟବସ୍ତୁ। ଅନାବୃଷ୍ଟି ହେଲେ ଲୋକେ ସେତେବେଳେ ଯଜ୍ଞ କରିବା ଭଳି ‘ଇତିହାସ’ ବସାଉଥିଲେ। ଠାକୁରଙ୍କୁ ପୂଜାକରି ଇତିହାସ ଗାନ କରୁଥିଲେ। ପୋଥି ଲେଖକମାନେ ଲୋକମାନଙ୍କ ବରାଦ ମୁତାବକ ପୋଥି ଲେଖୁଥିଲେ। ବାଇଧର ମହାପାତ୍ର ଲେଖିଥିବା ପୋଥି ହରିହରପୁର,  ଘୁଣ୍ଟୁଳିପଶି, ଆଠମଲ୍ଲିକ ଭୋଗରା, ଦେବଗଡ଼ ଜିଲ୍ଲାର ଜରାଛାଟ, ସଲରାପାଳ, ଖିଲବେରୋଣି ପ୍ରଭୃତି ଗାଁରେ ଅଛି। କଇଁଛପଦା ଗାଁରେ ମଧ୍ୟ ରହିଛି ଅନେକ ପୋଥି।

ଗାଁର ଲଳିତ ମୋହନ ମହାପାତ୍ରଙ୍କ ଘରେ ଭାଗବତ ୧୦ମ, ୧୧ଶ ସ୍କନ୍ଦ, ଇତିହାସ, ବାଉରୀବନ୍ଧୁ ମହାପାତ୍ରଙ୍କ ଘରେ ଇତିହାସ, ହରିବ˚ଶ, ପ୍ରସନ୍ନ ମହାପାତ୍ରଙ୍କ ଘରେ ଯଜ୍ଞ କର୍ମକାଣ୍ତ, ଗ୍ରହଯଜ୍ଞ, ସୁଦଶାବ୍ରତ, ଗୁରୁପଞ୍ଚମୀ ବ୍ରତ, ଶ୍ରାଦ୍ଧ ପଦ୍ଧତି, ମଥୁରାମଙ୍ଗଳ ପ୍ରଭୃତି ପୋଥି ଅଛି। କଇଁଛପଦାରେ ପ୍ରାୟ ୫୬ଟି ପୋଥି ରହିଛି। ସବୁଠାରୁ ଅଧିକ ପୋଥି ଅଛି ହରିହରପୁରରେ। ଏହି ଗାଁରେ ରାମାୟଣ, ମହାଭାରତ, ହରିବ˚ଶ, ପର୍ଶୁରାମ ପୁରାଣ, ଭାଗବତ, ଜନ୍ମାଷ୍ଟମୀ ପୁରାଣ, ଧବଳେଶ୍ବର ପୁରାଣ, ଜ୍ୟୋତିଷ ଶାସ୍ତ୍ର ପ୍ରାୟ ପାଞ୍ଚଶହଟି ପୋଥି ରହିଛି। ଏହି ପୋଥିମାନେ ଠାକୁରଙ୍କ ଭଳି ପୂଜା ପାଉଛନ୍ତି। ନୈଷ୍ଠିକ ବ୍ରାହ୍ମଣ ଦୈନିକ ଏହାକୁ ପୂଜା କରୁଛନ୍ତି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କିଛି ପୋଥି ନଷ୍ଟ ହୋଇଗଲାଣି। ଏହି ପୋଥିମାନଙ୍କ ପ୍ରତି ଗ୍ରାମବାସୀଙ୍କ ଶ୍ରଦ୍ଧା ଓ ଭକ୍ତି ଅତୁଟ ରହିଛି। ପୋଥି ଲେଖକମାନଙ୍କ ପ୍ରତି ମଧ୍ୟ ରହିଛି ଗଭୀର ସମ୍ମାନବୋଧ। ତେବେ ପୋଥିମାନଙ୍କରେ ଲେଖକମାନେ ମୂଳସ୍ରଷ୍ଟାଙ୍କଠାରୁ ଦୂରେଇଯାଇ ନିଜର କେତେ ମୌଳିକତା ରଖିଛନ୍ତି, ସମାଜକୁ ଦିଗ୍‌ଦର୍ଶନ ଦେବାରେ ସେମାନଙ୍କର କେତେ ଅବଦାନ ଥିଲା, ତାହା ଗବେଷଣାର ଅପେକ୍ଷା ରଖେ।

ସମ୍ବନ୍ଧିତ ଖବର